ବିଭିନ୍ନ ଅଦାଲତରେ ପଡ଼ିରହିଛି ୧୨ ଲକ୍ଷରୁ ଅଧିକ ମାମଲା : ଖୋର୍ଦ୍ଧା ଜିଲ୍ଲା ପ୍ରଥମ

ଓଡିଶା ବଡ ଖବର ରାଜ୍ୟ

କଟକ : ବିଳମ୍ବିତ ନ୍ୟାୟ, ନ୍ୟାୟରୁ ବଂଚିତ ହେବା ସହ ସମାନ କୁହାଯାଉଥିବାବେଳେ ଏହି ସ୍ଥିତି ଦିନକୁ ଦିନ ରାଜ୍ୟରେ ଗୁରୁତର ହେବାରେ ଲାଗିଛି। ବିଭିନ୍ନ ଅଦାଲତରେ ବର୍ଷ ବର୍ଷ ଧରି ମାମଲା ଗଡୁଥିବା ବେଳେ ନ୍ୟାୟ ମିଳୁନି। ମିଳିଥିବା ତଥ୍ୟ ଅନୁଯାୟୀ ୪୮୮୧ଟି ଏଭଳି ମାମଲା ରହିଛି ଯାହାରକି ୩୦ ବର୍ଷ ଅଥବା ତାଠାରୁ ଅଧିକ ସମୟ ଧରି ବିଚାର ଚାଲିଛି। ୨୦୧୯ ବର୍ଷ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଅଦାଲତରେ ମୋଟ ୧୨ ଲକ୍ଷ ୩୪ ହଜାର ୪୨୫ଟି ମାମଲା ବିଚାରାଧୀନ ରହିଛି। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟରେ ୨୦୨୦, ଜାନୁଆରି ୧ରେ ଉପଲବ୍ଧ ତଥ୍ୟ ଅନୁସାରେ ରାଜ୍ୟରେ ଏବେ ବିଭିନ୍ନ ଅଦାଲତରେ ୨ ଲକ୍ଷ ୬୦ ହଜାର ୭୯୮ଟି ସିଭିଲ କେସ୍ ଓ ୯ ଲକ୍ଷ ୭୩ ହଜାର ୬୨୭ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି।

ବିଚାରାଧୀନ ମାମଲା ମଧ୍ୟରୁ ରାଜ୍ୟରେ ୧ ହଜାର ୫୪୨ଟି ଏପରି ସିଭିଲ ମାମଲା ଅଛି ଯାହା ୩୦ ବର୍ଷ ବା ତାଠାରୁ ପରୁଣା ବୋଲି ସୂଚନା ମିଳିଛି। ସେହିଭଳି ୩ ହଜାର ୩୩୯ଟି ୩୦ ବର୍ଷ ବା ତାଠାରୁ ପରୁଣା ଅପରାଧିକ ମାମଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ବିଚାରାଧୀନ ଅବସ୍ଥାରେ ରହିଛି। ସେହିଭଳି ୨୦ରୁ ୩୦ ବର୍ଷ ପୁରୁଣା ୩୦ ହଜାର ୬୮୨ଟି ବିଚାରାଧୀନ ମାମଲା ରହିଛି। ଏଥି ମଧ୍ୟରେ ୩ ହଜାର ୬୬୦ଟି ସିଭିଲ ଓ ୨୭ ହଜାର ୨୨ଟି କ୍ରିମିନାଲ ମାମଲା ଅନ୍ତର୍ଭୁକ୍ତ। ୧୦ରୁ ୨୦ ବର୍ଷ ପୁରୁଣା ୧ ଲକ୍ଷ ୬୬ ହଜାର ୬୬୩୩ଟି ବିଚାରାଧୀନ ମାମଲା ବିଭିନ୍ନ ଅଦାଲତରେ ପଡ଼ିରହିଛି।

ଏଥିମଧ୍ୟରେ ୨୧ ହଜାର ୨୯୬ ଟି ସିଭିଲ ଓ ୧ ଲକ୍ଷ ୪୫ ହଜାର ୩୩୭ଟି କ୍ରିମିନାଲ ମାମଲା ରହିଛି। ସେହିଭଳି ଭାବେ ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୨ ଲକ୍ଷ ୬୦ ହଜାର ୪୮। ୩ରୁ ୫ ବର୍ଷ ପୁରୁଣା ୨ ଲକ୍ଷ ୮ ହଜାର ୪୧୫ ମାମଲା ଓ ୧ ବର୍ଷରୁ ୩ ବର୍ଷ ପୁରୁଣା ୩ ଲକ୍ଷ ୫୫ ହଜାର ୧୭୧ ମାମଲା ଏବେ ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି।

ବିଚାରାଧୀନ ମାମଲା ପ୍ରସଂଗରେ ସବୁଠାରୁ ଆଗରେ ‌ଖୋର୍ଦ୍ଧା ଜିଲ୍ଲା ରହିଛି। ଖୋର୍ଦ୍ଧା ଜିଲ୍ଲା‌ର ବିଭିନ୍ନ ଅଦାଲତରେ ୧ ଲକ୍ଷ ୩୩ ହଜାର ୮୮୬ଟି ମାମଲା ବିଚାରାଧୀନ ରହିଛି। ଏଥି ମଧ୍ୟରେ ୩୨ ହଜାର ୫୮୭ଟି ସିଭିଲ ଓ ୧ ଲକ୍ଷ ୧ହଜାର ୨୯୯ଟି କ୍ରିମିନାଲ ମାମଲା ଅନ୍ତର୍ଭୁକ୍ତ ବୋଲି ଜଣା ପଡିଛି। ଖୋର୍ଦ୍ଧା ତଳକୁ ରହିଥିବା କଟକ ଜିଲ୍ଲାରେ ଏବେ ୧ ଲକ୍ଷ ୯ ହଜାର ୮୯୫ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। କଟକ ଜିଲ୍ଲାର ବିଭିନ୍ନ ଅଦାଲତରେ ୨୫ ହଜାର ୯୪୩ ସିଭିଲ କେସ୍ ଓ ୮୩ ହଜାର ୯୫୨ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି। ତୃତୀୟ ସ୍ଥାନରେ ରହିଛି ବାଲେଶ୍ବର ଜିଲ୍ଲା। ବାଲେଶ୍ବର ଜିଲ୍ଲାରେ ୨୭ ହଜାର ୭୭୧ଟି ସିଭିଲ ଓ ୬୯ ହଜାର ୯୬୭ କ୍ରିମିନାଲ କେସକୁ ମିଶାଇ ମୋଟ ୯୭ ହଜାର ୭୩୮ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଗଜପତି ଜିଲ୍ଲାରେ ସବୁ ଠାରୁ କମ୍ ୬ ହଜାର ୫୨୩ଟି ମାମଲା ବିଚାରାଧୀନ ରହିଛି। ଏଥି ମଧ୍ୟରେ ୫୫୭ଟି ସିଭିଲ କେସ୍ ଓ ୫ ହଜାର ୯୬୬ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ।