ବାର୍ଡ ଫ୍ଲୁ ଆତଙ୍କ: ଏକ କିମି ଅଞ୍ଚଳର ସବୁ କୁକୁଡ଼ା ମରାଯିବେ, ନନ୍ଦନକାନନର ପକ୍ଷୀ ବିହାର ବନ୍ଦ

ଓଡିଶା ବଡ ଖବର ମହାନଗର ରାଜ୍ୟ

ଭୁବନେଶ୍ବର:  ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁର ସ୍ପଷ୍ଟ ପ୍ରମାଣ ମିଳିବା ପରେ ରାଜ୍ୟ ସରକାର ଏବେ ଏହାର ଏକକିମି ବ୍ୟାସାର୍ଦ୍ଧ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଓ ଏକରୁ ୧୦କିମି ବ୍ୟାସାର୍ଦ୍ଧ ଅଞ୍ଚଳକୁ ନିରୀକ୍ଷଣ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ସଂକ୍ରମିତ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ କୁକୁଡ଼ାଙ୍କୁ ମରାଯାଇ ଗଭୀର ଗାତରେ ପୋତି ଦିଆଯିବ ଓ ମାଟି ଘୋଡ଼ାଇବା ପୂର୍ବରୁ ସେଥିରେ ଚୂନ ଓ ବ୍ଲିଚିଂ ପାଉଡ଼ର ପରି ବିଶୋଧକ ପ୍ରୟୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କୁଡ଼ାମରା ଅଭିଯାନ ଓ ରୋଗ ନିୟନ୍ତ୍ରଣ ପାଇଁ ସରକାରଙ୍କ ତରଫରୁ ୧୨ଟି ତ୍ୱରିତ୍ କାର୍ଯ୍ୟକାରୀ ଦଳ(ରାପିଡ଼୍ ରେସପନ୍ସ ଟିମ) ନିଯୁକ୍ତ କରାଯାଇଛି। ୭ଟି ଦଳ କୁକୁଡ଼ାମରା କାର୍ଯ୍ୟରେ ନିୟୋଜିତ ଥିଲାବେଳେ ଅନ୍ୟ ପାଞ୍ଚଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ରାପିଡ୍ ଟିମ୍ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହ ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମରେ ମହଜୁଦ୍ ଥିବା କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତିବା ସାଙ୍ଗକୁ ଘରଘର ବୁଲି ଯେଉଁମାନେ କୁକୁଡ଼ା ରଖିଛନ୍ତି ସେ କୁକୁଡ଼ାଗୁଡ଼ିକୁ ମାରିବାର ବ୍ୟବସ୍ଥା କରିବେ।

ସେହିପରି ମଙ୍ଗଳବାରଠାରୁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ କରାଯିବ ବୋଲି ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନନ୍ଦନକାନନର କେବଳ ପକ୍ଷୀ ବିହାର ବନ୍ଦ ହେବ, ପୂରା ନନ୍ଦନକାନନ ବନ୍ଦ ହେବ ନାହିଁ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଆଦେଶ ନମିଳିବା ଯାଏ ଏହି ପକ୍ଷୀ ବିହାର ବନ୍ଦ ରହିବ। ନନ୍ଦନକାନନକୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ ପକ୍ଷୀମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦ୍ବାରା ବାର୍ଡଫ୍ଲୁର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶା କୃଷି ବିଦ୍ୟାଳୟ (ଓୟୁଏଟି) କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି  କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲ୍ୟାବ୍‌କୁ ପଠାଇଥିଲେ। ଆଜି ଭୋପାଳ ଟେଷ୍ଟିଂ ଲ୍ୟାବ୍‌ରୁ  ରିପୋର୍ଟ  ପିଜିଟିଭ୍‌ ଆସିବା ପରେ କୁକୁଡା ବାର୍ଡ ଫ୍ଲୁ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି। ଏହାପରେ ବାର୍ଡ ଫ୍ଲୁ ନେଇ ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ହୋଇଥିବା ନେଇ କେନ୍ଦ୍ର ପକ୍ଷରୁ ବିଧିବଦ୍ଧ ଭାବେ ଅବଗତ ବି କରାଯାଇଛି। ଓୟୁଏଟି ଠାରୁ ୧କିମି ପରିବ୍ୟାପ୍ତ ଅଞ୍ଚଳରେ କୁକୁଡ଼ା ମାରିବାକୁ ପଦକ୍ଷେପ ନିଆଯାଇଛି। ଓୟୁଏଟି ଫାର୍ମରେ ଶହସ୍ରାଧିକ କୁକୁଡ଼ା ରହିଥିବା ସୂଚନା ମିଳିଛି। ରାଜ୍ୟରେ କରୋନା ଭୂତାଣୁ ପରେ ବାର୍ଡ ଫ୍ଲୁ ଆତଙ୍କ ଲୋକମାନଙ୍କ ମନରେ କୋକୁଆ ଭୟ ଖେଳାଇ ଦେଇଛି।