ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ୱର: ରୋଜଗାର ଲାଗି  ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କୁ  ରୋକିବା ଲାଗି ରାଜ୍ୟ ସରକାର ପ୍ରୟାସ କରିଛନ୍ତି | ୧୧ଟି ଜିଲ୍ଲା ପାଇଁ ଆଜି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ରାଜ୍ୟର ୧୧ଟି ଦାଦନ ପ୍ରବଣ ଜିଲ୍ଲାର ଶ୍ରମିକଙ୍କ ଆର୍ଥିକ ମାନଦଣ୍ଡ ଓ ଜୀବନଜୀବିକାର ସ୍ୱଚ୍ଛଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ଏହି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି | ଓଡ଼ିଶାର ୧୧ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର ଏବଂ ଖୋର୍ଦ୍ଧା ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି | ଏହା ପ୍ରବାସୀ ଶ୍ରମିକଙ୍କ ପାଇଁ ପାଇଁ ନିଜ ଅଞ୍ଚଳରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

ଘୋଷିତ ପ୍ୟାକେଜରେ ତ୍ୱରିତ ମଜୁରୀ ପ୍ରଦାନ ବ୍ୟବସ୍ଥା, ଶିକ୍ଷା ଓ ଉନ୍ନତ ଜୀବନଶୈଳୀ ଅବଲମ୍ବନର ବ୍ୟବସ୍ଥା କରାଯାଇଛି | ଏକ ସ୍ୱତନ୍ତ୍ର ରାଜ୍ୟ ଖସଡା ମାଧ୍ୟମରେ ରାଜ୍ୟ ସରକାର ବିଭିନ୍ନ ସରକାରୀ ବିଭାଗ ସହିତ ସମନ୍ୱୟ କରି ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି | ବରଗଡ, ବଲାଙ୍ଗିର, ନୂଆପଡା ଓ କଳାହାଣ୍ଡିର ୨୦ଟି ବ୍ଲକରେ ପ୍ରତ୍ୟେକ ଗ୍ରାମୀଣ ପରିବାର ନିମନ୍ତେ ଅତିରିକ୍ତ ଶହେ ଦିନ କାର୍ଯ୍ୟ ବୃଦ୍ଧିକରି ମୋଟ ୨ ଶହ ଦିନ କାର୍ଯ୍ୟସହିତ ଦୈନିକ ମଜୁରୀକୁ ବି ବୃଦ୍ଧି କରାଯାଇଛି |

ଏହି ୪ ଜିଲ୍ଲାରେ ୨୦ଟି ବ୍ଲକର ସମସ୍ତ ଗ୍ରାମପଂଚାୟତକୁ ଓଡିଶା ଜୀବିକା ମିଶନର ସଘନ ପଂଚାୟତ ଭାବରେ ଚୟନ କରାଯାଇଛି | ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ବୀମାଭୁକ୍ତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି | ଏହି ୪ ଜିଲ୍ଲାର ୨୦ ଗୋଟି ବ୍ଲକରେ ଯୋଗ୍ୟ ବିବେଚିତ ପରିବାରକୁ ପକ୍କା ଘର ଯୋଗାଇ ଦିଆଯବା ବ୍ୟବସ୍ଥା କରାଯାଇଛି | ବିଶେଷ କରି ନିଯୁକ୍ତି ପାଇଥିବା ଶ୍ରମିକମାନଙ୍କର ପ୍ରାପ୍ୟ ନିର୍ଦ୍ଧାରିତ ସମୟରେ ଏବଂ ନିର୍ବିଘ୍ନରେ ପ୍ରଦାନ ନିମନ୍ତେ ୫୦୦ କୋଟି ଟଙ୍କାର ରାଜ୍ୟସ୍ତରୀୟ କର୍ପସ ପାଣ୍ଠି ଗଠନ କରାଯାଇଛି |