#ଥାନା_ଅଧିକାରୀଙ୍କ_ମୁଣ୍ଡରେ_ରିଭଲଭର କୋରାପୁଟ: (ନିରଜ ଶତପଥୀ) ଜଣେ ଥାନା ଅଧିକାରୀଙ୍କ ମୁଣ୍ଡରେ ରିଭଲଭର ଲଗାଯାଇଛି। ପୁଣି ଲଗାଇଛନ୍ତି ସେହି ପୁଲିସ ବିଭାଗର ଜଣେ ପଦସ୍ଥ ଅଧିକାରୀ। କକ୍ କରି ଟ୍ରିଗର ଚିପି ଦେବାକୁ ବି ଉଦ୍ୟମ କରିଛନ୍ତି। ଆଉ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଥାନା ଅଧିକାରୀ। ଏହାକୁ ନେଇ ଏବେ କୋରାପୁଟ ପୁଲିସରେ ହଲଚଲ ଖେଳି ଯାଇଛି। ପୁଲିସ ବିଭାଗରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ବି ହେଉଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କେହି ମୁହଁ ଖୋଲୁ ନାହାନ୍ତି। ତଥାପି ପୁଲିସ ବାବୁଙ୍କ ଏମିତି ଗୁଣ୍ଡାଗିରି ପରେ ତଳିଆ ଅଧିକାରୀଙ୍କ ଭିତରେ ବିଦ୍ରୋହ ଦାନା ବାନ୍ଧିବାରେ ଲାଗିଛି।
କୋରାପୁଟ ଜିଲ୍ଳାରେ କିଛି ଦିନ ତଳେ ଏକ ଜୁଆ ଆଡ୍ଡା ଧରା ପଡିଥିଲା। ଆଉ ଏହି ଜୁଆ ଖେଳ ଧରା ପଡିବା ପରେ ବରିଷ୍ଠ ପୁଲିସ ଅଧିକାରୀ ଜଣଙ୍କ ରାଗି ପାଚି ଲାଲ ହୋଇ ଯାଇଥିଲେ। ଜୁଆ ଖେଳ ନିୟମିତ ଚାଲୁଥିଲେ ମଧ୍ୟ କେମିତି ଆଖପାଖ ଥାନା ଅଧିକାରୀମାନେ ଜାଣି ପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଏକାଧିକ ଥାନା ଅଧିକାରୀଙ୍କୁ ଗାଲିଗୁଲଜ କରିଥିଲେ ଏହି ବରିଷ୍ଠ ଅଧିକାରୀ। ପୁଲିସିଆ ଭାଷାର ଭରପୁର ପ୍ରୟୋଗ କରିଥିଲେ। ମନଇଛା ଗାଳି କଲା ପରେ ବି ବରିଷ୍ଠଙ୍କ ରାଗ ଥଣ୍ଡା ହୋଇ ନ ଥିଲା। ବରଂ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା। ମୁଣ୍ଡକୁ ରାଗ ଏମିତି ଚଢିଥିଲା ଯେ, ପକେଟରୁ ରିଭଲଭର ବାହାର କରି ଜଣେ ଇନ୍ସପେକ୍ଟରଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ। ଗୁଳି ମାରିଦେବାକୁ ଧମକ ଦେଇଥିଲେ। ଏପରିକି କକ୍ ବି କରିଥିଲେ। ଟ୍ରିଗର ଚିପି ଦେବାକୁ ଉଦ୍ୟତ ହେଲା ବେଳକୁ ଥାନାରେ ଥିବା କିଛି ଅଧିକାରୀ ରିଭଲଭର ଛଡାଇ ନେଇଥିଲେ। ଫଳରେ ଏକ ବଡ ଅଘଟଣ ଅଳ୍ପକେ ଟଳି ଯାଇଥିଲା। ରାଗରେ ଥିବା ବଡ ଅଧିକାରୀଙ୍କୁ ଆଉ କିଛି ଅଧିକାରୀ ବୁଝାଶୁଝା କରି ନେଇ ଯାଇଥିଲେ।