ଡ. ନମିତା ଦାଶ ଉତ୍କଳ ବିଶ୍ୱବିଦ୍ୟାଳୟର ‘ରୁସା’ ସଂଯୋଜକ

ଓଡିଶା ବଡ ଖବର ମହାନଗର ରାଜ୍ୟ

ଭୁବନେଶ୍ବର : ବିଦାହେଲେ ଉତ୍କଳ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା‌ ଅଭିଯାନ (ରୁସା) ସଂଯୋଜକ ଡ. ହିମାଂଶୁ ଶେଖର ରାଉତ। ଛାତ୍ରଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ  ଦୀର୍ଘଦିନ ହେଲା ଶ୍ରୀ ରାଉତଙ୍କୁ ଘଣ୍ଟ ଘୋଡ଼ାଇ ଆସୁଥିବା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ବୁଧବାର ଶ୍ରୀ ରାଉତଙ୍କୁ ରୁସା ସଂଯୋଜକ ପଦରୁ ହଟାଇ ଛନ୍ତି। ତାଙ୍କ ସ୍ଥାନରେ ଗଣିତ ବିଭାଗର ଡ. ନମିତା ଦାଶ ରୁସା ସଂଯୋଜକ ଭାବେ ନିଯୁକ୍ତି ପାଇବା ସହ ଗୁରବର ଦାୟିତ୍ବ ଗ୍ରହଣ କରିଛନ୍ତି।

ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା‌ ଅଭିଯାନ (ରୁସା) ପାଣ୍ଠିରୁ ବିଶ୍ବବିଦ୍ୟାଳୟକୁ ଆସୁଥିବା କୋଟି କୋଟି ଟଙ୍କା ହେରଫେର ହେଉଥିବା ଅଭିଯୋଗ କରି ଡ. ରାଉତଙ୍କୁ ରୁଷା ସଂଯୋଜକ ପଦରୁ ହଟାଇବା ପାଇଁ ଦୁଇ ମାସ ହେଲା ଛାତ୍ରଛାତ୍ରୀ ଦାବି କରି ଆସୁଥିଲେ। କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିଭିନ୍ନ ସମୟରେ ଭଙ୍ଗାରୁଜା ବି କରିଥିଲେ। ତଥାପି କୁଳପତି ପ୍ରଫେସର ପଟ୍ଟନାୟକ ମୁଣ୍ଡ ନୁଆଁଇ ନ ଥିଲେ। ବରଂ ଛାତ୍ରଛାତ୍ରୀଙ୍କ ମୁକାବିଲା କରିବା ସହ ଡ. ରାଉତଙ୍କୁ ସୁରକ୍ଷା ଦେଉଥିଲେ। ଏମିତିକି ଡ. ରାଉତଙ୍କୁ ସୁରକ୍ଷା ଦେବାକୁ ଯାଇ କୁଳପତି ପ୍ରଫେସର ପଟ୍ଟନାୟକ ଆନ୍ଦୋଳନର ନେତୃତ୍ବ ନେଉଥିବା ଛାତ୍ରନେତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। କୁଳପତି ପୁଲିସର ଦ୍ବାରସ୍ଥ ହେବା ପରେ ଗୋଟିଏ ଛାତ୍ରଗୋଷ୍ଠୀ ନରମି ଯାଇଥିଲେ। ହେଲେ ଆଉ ଗୋଟିଏ ଗୋଷ୍ଠୀ ପଛଘୁଞ୍ଚା ଦେଇ ନ ଥିଲେ। ବରଂ ଡ. ରାଉତଙ୍କୁ ଘଣ୍ଟ ଘୋଡ଼ାଉଥିବାରୁ କୁଳପତିଙ୍କ ନାମରେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରିଥିଲେ। ପରିଣାମ ସ୍ବରୂପ କୁଳପତି ବାଧ୍ୟ ହୋଇ ଶ୍ରୀ ରାଉତଙ୍କୁ ପଦରୁ ହଟାଇଛନ୍ତି।