ଟ୍ରକ୍‌ ସହ ବସ୍‌ର ମୁହାଁମୁହିଁ ଧକ୍କା,ଚାଲିଗଲା ୨ ଜୀବନ

ଓଡିଶା ଜିଲ୍ଲା ବଡ ଖବର ଭଦ୍ରକ ରାଜ୍ୟ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗରରେ ଦୁଇ ଦିନ ଧରି ଚାଲିଥିବା  ଉର୍ସରୁ ଫେରୁଥିବା ଏକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଭୋର ପ୍ରାୟ ୪ଟା ବେଳେ ବାସୁଦେବପୁର ଅଭିମୁଖେ ଯାଉଥିବା ଏହି ବସ୍‌ଟି ବନ୍ତ ଛକରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ରାତି ୩ଟା ପରେ ବସ୍‌ଟି ବାସୁଦେବପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବସ୍‌ରେ ରାଜ୍ୟ ବାହାରର କିଛି ଯାତ୍ରୀ ମଧ୍ୟ ଥିଲା। ସେମାନେ ଚରମ୍ପା ଷ୍ଟେଶନ୍‌ ନିକଟରେ ଓହ୍ଲାଇଥା’ନ୍ତେ। ହେଲେ ତା’ ପୂର୍ବରୁ ଘଟିଲା ଦୁର୍ଘଟଣା। ଭଦ୍ରକ ସହରର ବନ୍ତ ଛକରେ ୧୬ ନମ୍ବର ଜାତୀୟ ରାଜପଥର କାମ ଚାଲୁଥିବାରୁ ଡାଇଭର୍ସନ ହୋଇଛି ଓ ଗୋଟିଏ ରୁଟ୍‌ରେ ଉଭୟ ପଟରୁ ଗାଡ଼ି ଚଳାଚଳ କରୁଛି। । ଏଣୁ ଅସାବଧାନତା ହେତୁ  ବସ୍ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ ଭିତରେ ଡ୍ରାଇଭର ସମେତ ୩ ଜଣ ଯାତ୍ରୀ ଚାପି ହୋଇ ରହିଯାଇଥିଲେ। ୪ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ବାହାର କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବସ୍‌ ଡ୍ରାଇଭର ଗୁରୁତର ଅଛନ୍ତି।

ସମସ୍ତ ଆହତଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ  କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।  ଗୁରୁତରଙ୍କ ମଧ୍ୟରେ ବସ୍‌ ଡ୍ରାଇଭରଙ୍କ ସହ ଟ୍ରକ୍‌ ଡ୍ରାଇଭର ବି ଅଛନ୍ତି। ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଓ ଏସ୍‌ପି ଡାକ୍ତରଖାନାରେ ପହଞ୍ଚି ଆହତଙ୍କୁ ଭେଟିଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ,  ବସ୍‌ଟି ଜାତୀୟ ରାଜପଥ କଡ଼ରେ ଥିବା ସୁରକ୍ଷା ପାଚେରିରେ ଯାଇ ଅଟକି ଯିବାରୁ ବହୁ ଲୋକ ରକ୍ଷା ପାଇଯାଇଥିଲେ। ନହେଲେ ସ୍ଥିତି ଆହୁରି ସାଂଘାତିକ ହୋଇଥା’ନ୍ତା। ବସ୍‌ରେ କ୍ଷମତାଠାରୁ ବହୁ ଅଧିକ ଯାତ୍ରୀ ଥିଲେ ବୋଲି କୁହାଯାଉଛି।