ଚର୍ଚ୍ଚାରେ ଟିକ୍‌ଟକ୍‌ ଦିଦି ,ଏସ୍‌ସିବିରେ ରୋଗୀଙ୍କୁ ପିଟୁଛି କିଏ?

ଓଡିଶା କଟକ ଜିଲ୍ଲା ବଡ ଖବର ରାଜ୍ୟ

କଟକ : ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ୍‌ ହେଉଛି ଏସ୍‌ସିବି ମେଡିକାଲ୍‌। ଏହି ମେଡିକାଲ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ। କେତେବେଳେ ଡାକ୍ତରଙ୍କୁ ରୋଗୀ ତ ଆଉ କେତେବେଳେ ରୋଗୀଙ୍କୁ ଡାକ୍ତର ମାଡ଼ ମାରୁଛନ୍ତି। ତେବେ ଆଜି ସମସ୍ତଙ୍କୁ ଚମକାଇ ଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ମେଡିକାଲ୍‌ରେ ଚିକିତ୍ସାଧୀନ ନିରାଶ୍ରୟ ରୋଗୀଙ୍କୁ ମାଡ ମରାଯାଉଛି। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ବଡ଼ ମେଡିକାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ହୋସ୍‌ ଉଡିଯାଇଛି। ନିରାଶ୍ରୟ ରୋଗୀଙ୍କୁ ମାଡ଼ ମରାଯିବା ନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି। ସେପଟେ ରୋଗୀଙ୍କୁ ମାଡ଼ ମାରୁଥିବା ଟିକ୍‌ଟକ ଦିଦିକୁ ନେଇ କଟକରେ ହେଉଛି ଚର୍ଚ୍ଚା।

ନିରାଶ୍ରୟ ରୋଗୀ ଭଲ ଚିକିତ୍ସା ପାଇବେ। ସେହି ଲକ୍ଷ୍ୟରେ ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ୍‌ କଟକ ଏସ୍‌ସିବିର ବିଭିନ୍ନ ବିଭାଗରେ ପୁରୁଷ ଓ ମହିଳା ରୋଗୀଙ୍କ ପାଇଁ ୧୦ଟି ଡେଷ୍ଟିଚ୍ୟୁଟ୍‌ ଓ୍ୱାର୍ଡ ଖୋଲା ଯାଇଛି। ଏଠାରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସବୁପ୍ରକାର ଚିକିତ୍ସା ବ୍ୟବସ୍ଥା ହୋଇଛି। ଏହା ସତ୍ତ୍ୱେ ଏଠି ରୋଗୀଙ୍କୁ ଚିକିତ୍ସା କମ୍‌ ନିର୍ଯାତନା ବେଶୀ ଦିଆଯାଉଛି। ସର୍ଜରୀ ବିଭାଗ ଡେଷ୍ଟିଚ୍ୟୁଟ୍‌ ଓ୍ୱାର୍ଡରେ ଡାକ୍ତର କି ନର୍ସଙ୍କ ପାଦ ପଡୁନଥିବାରୁ ଆଟେଣ୍ଡାଣ୍ଟମାନେ ରୋଗୀ ସେବା କରୁଛନ୍ତି! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁରୁଷ ଡେଷ୍ଟିଚ୍ୟଟ୍‌ ଓ୍ୱାର୍ଡରେ ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଦେଖିବାକୁ ମିଳୁଛି। ଚିକିତ୍ସା ଅଭାବରୁ ନିରାଶ୍ରୟ ରୋଗୀଙ୍କ ଗୋଡ଼ ଓ ମୁଣ୍ଡରେ ପୋକ ସାଲୁବାଲୁ ହୋଇଛନ୍ତି। ଅବହେଳାର ଏମିତି ଦୟନୀୟ ଦୃଶ୍ୟର ଭିଡିଓ ଭାଇରାଲ୍‌ ହେଉଛି। ଏଥିରେ ଦେଖିବାକୁ ମିଳିଛି, ଜଣେ ଆଟେଣ୍ଡାଣ୍ଟ୍‌ ହାତରେ ବାଡ଼ି ଓ ଅନ୍ୟ ଜଣଙ୍କ ହାତରେ ଠେଙ୍ଗା ଧରିଛନ୍ତି। ସେମାନେ ଅତି ଦୟନୀୟ ଭାବେ ଜଣେ ଅସହାୟ ରୋଗୀଙ୍କୁ ଓ୍ୱାର୍ଡ ଭିତରେ ମାଡ଼ ମାରୁଛନ୍ତି। ଯାହାକୁ ବର୍ଣ୍ଣନା କରିବା ସମ୍ଭବପୁର ନୁହେଁ। ମେଡିକାଲ୍‌ କର୍ମଚାରୀଙ୍କ ଏପରି ବ୍ୟବହାର ବୁଦ୍ଧିଜୀବୀଙ୍କ ଅକଲ ଗୁଡୁମ ହୋଇଯାଇଛି।

ତେବେ ସବୁଠୁ ବଡ଼ କଥା ହେଉଛି ଭାଇରାଲ୍‌ ଭିଡିଓରେ ଠେଙ୍ଗା ଧରିଥିବା ସେହି ମହିଳା ଆଟେଣ୍ଡାଣ୍ଟ ହେଉଛନ୍ତି ସାବିତ୍ରୀ ଭୋଇ। ଯିଏ କିଛିଦିନ ତଳେ ସେହି ନିରାଶ୍ରୟ ଓ୍ୱାର୍ଡରେ ଟିକ୍‌ଟକ ଭିଡିଓ କରି ଚର୍ଚ୍ଚାକୁ ଆସିଥିଲେ। ସେଥିପାଇଁ ସେ ନିଲମ୍ବିତ ହୋଇଥିଲେ। ହେଲେ ପୁଣି ସେଇଠି କାର୍ଯ୍ୟରେ ଯୋଗଦେଇ ରୋଗୀଙ୍କୁ ଠେଙ୍ଗାରେ ପିଟିଲେଣି।