କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍ର ଦୁର୍ନୀତି ତାଲିକା ଲମ୍ବିବାରେ ଲାଗିଛି। ତିନି ଜଣ ନିର୍ଦ୍ଦେଶକଙ୍କ ନିଜ ପିଲାମାନଙ୍କୁ ବ୍ୟାଙ୍କ୍ରେ ଚାକିରି ଦେବା ଯୋଜନାରେ ସବୁ ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଯୋଗ୍ୟତାକୁ ନଜରଅନ୍ଦାଜ କରି ସଂପୂର୍ଣ୍ଣ ପ୍ରିୟାପ୍ରୀତି ନୀତିରେ ଚାକିରି ଦେଇ ଦିଆଯାଇଥିବା ଜଣାପଡ଼ିଛି।
କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କ୍ରେ ବେଆଇନ ନିଯୁକ୍ତି, ଆଗୁଆ ଜମାନତ ନ ରଖି ଠିକାଦାରଙ୍କୁ ଜାଲିଆତି ପୂର୍ବକ ଅଧ କୋଟି ଟଙ୍କା ଋଣ ଦିଆଯିବା ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଏଭଳି ଆଉ ଏକ ବେନିୟମ କାର୍ଯ୍ୟ ସାମ୍ନାକୁ ଆସିଛି। ବ୍ୟାଙ୍କ୍ରେ ପରିଚାଳନା ବୋର୍ଡର ତିନି ଜଣ ନିର୍ଦେଶକ ଶରତ କୁମାର ବେଉରା, ମୁକ୍ତାର ଖାନ୍ ଏବଂ ବସନ୍ତ କୁମାର ସେଠୀଙ୍କ ପୁଅ ବ୍ୟାଙ୍କରେ ଚାକିରି ପାଇଛନ୍ତି। ପୁଅ ମାନଙ୍କ ଚାକିରି ପକ୍କା ହେଇଯିବା ପରେ ଏମାନେ ନିର୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଏମାନେ ଇସ୍ତଫା ଦେଇଥିଲେ ବି ଏହା ପଛରେ ଯେଉଁ କାରଣଟି ଲୁଚି ରହିଛି, ତାହା ହେଉଛି ନିୟମର ବାଧ୍ୟବାଧକତା।
ରାଜ୍ୟ କୋ-ଅପରେଟିଭ୍ ସୋସାଇଟିର ନିୟମ କହୁଛି, ପରିଚାଳନା ବୋର୍ଡର ସଦସ୍ୟ ରହିଲେ ସଂପୃକ୍ତ ବ୍ୟାଙ୍କରେ ପରିବାରର କେହି ବେତନଭୋଗୀ କର୍ମଚାରୀ ହୋଇପାରିବେ ନାହିଁ। ଅର୍ଥାତ୍ ପୁଅ, ଝିଅ ଅଥବା ପତ୍ନୀ ବ୍ୟାଙ୍କ୍ରେ ଚାକିରି କରିପାରିବେ ନାହିଁ। ଏହି କ୍ରମରେ ପୁଅକୁ ଚାକିରି ମିଳିଯିବା ପରେ ସେମାନେ ନିୟମକୁ ଢାଲ କରି ନିର୍ଦେଶକ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।
ବ୍ୟାଙ୍କ୍ ରେକର୍ଡ ମୁତାବକ ନିର୍ଦେଶକ ଶରତ ବେଉରାଙ୍କ ପୁଅ କୀର୍ତ୍ତି ରଂଜନଙ୍କୁ କିରାଣି କମ୍ କ୍ୟାସିୟର୍ ପଦରେ ନିଯୁକ୍ତି ମିଳିଥିବା ବେଳେ ନିର୍ଦେଶକ ମୁକ୍ତାର ଖାଁଙ୍କ ପୁଅ ମୁଜାଫର୍ଙ୍କୁ ମାର୍କେଟିଂ ଏକଜିକ୍ୟୁଟିଭ୍ ଏବଂ ନିର୍ଦେଶକ ବସନ୍ତ ସେଠୀଙ୍କ ପୁଅ ବିକ୍ରମଙ୍କୁ ପିଅନ ଚାକିରି ମିଳିଛି। ସାଂଘାତିକ କଥା ହେଉଛି, ମୁଜାଫର୍ଙ୍କ ପାଇଁ ନୂଆ କରି ବ୍ୟାଙ୍କ୍ରେ ମାର୍କେଟିଂ ଏକଜିକ୍ୟୁଟିଭ୍ ପଦବି ସୃଷ୍ଟି କରାଯାଇଛି। ପୂର୍ବରୁ ବ୍ୟାଙ୍କ୍ରେ ଏହି ପଦବି ନ ଥିଲା। ଏହି ନୂଆ ପଦବି ସୃଷ୍ଟି ପୂର୍ବରୁ ବି ବିଭାଗୀୟ କର୍ତୃପକ୍ଷଙ୍କ ଅନୁମୋଦନ ନିଆଯାଇନାହିଁ। ଅନୁରୂପ ଭାବେ ବିକ୍ରମ ମାଟ୍ରିକ୍ ପାସ୍ କରିନଥିବା ବେଳେ ତାଙ୍କୁ ପିଅନ ଚାକିରି ମିଳିଥିବା ତଦନ୍ତ ଅଧିକାରୀ ରିପୋର୍ଟରେ ଦର୍ଶାଇଛନ୍ତି। ଏହା ସୂଚାଇ ଦେଉଛି ଯେ କର୍ତୃପକ୍ଷ ପରିବାର ମୋହରେ ଅନ୍ଧ ହୋଇ କିଭଳି ନିଜ ପିଲାମାନଙ୍କୁ ବ୍ୟାଙ୍କ୍ରେ ଥଇଥାନ ପାଇଁ ଯୋଗ୍ୟତା ରୂପକ ମାନଦଣ୍ଡକୁ ନଜରଅନ୍ଦାଜ୍ କରିବା ସହ ବେଆଇନ ଭାବେ ନୂଆ ପଦବି ସୃଷ୍ଟି କରିବାକୁ ପଛଘୁଞ୍ଚା ଦେଇନାହାନ୍ତି। ତଦନ୍ତ ଅଧିକାରୀ ରିପୋର୍ଟରେ ଏ କଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ପରେ ବ୍ୟାଙ୍କ କର୍ତୃପକ୍ଷଙ୍କ କାର୍ଯ୍ୟକଳାପ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।