କାଲିଠାରୁ ରାହାଧରି କାନ୍ଦୁଛି କୁନି ଝିଅ, ଆଜି ପହଞ୍ଚି କହିଲେ ମୁଁ ତାର ମା’

ଓଡିଶା ଜଗତସିହଂପୁର ଜିଲ୍ଲା ରାଜ୍ୟ

 

ଜଗତସିଂହପୁର : (ମହେଶ୍ବର ତ୍ରିପାଠୀ)  ବୁଧବାର ଠାରୁ ରାହାଧରି କାନ୍ଦୁଛି କୁନି ଝିଅ ।ଏମିତି ୨୪ ଘଣ୍ଟା ପରେ ନିଜ ପିଲା ପାଖରେ କେହି ଜଣେ ମହିଳା ପହଞ୍ଚି ଛୁଆର ମା’ ବୋଲି ଦାବି କରିଛନ୍ତି। ଆଉ କହିଛନ୍ତି ଇଏ ହେଉଛି ମୋ ଝିଅ। ମୁଁ ତାକୁ ନେଇ ଯିବାକୁ ଆସିଛି। ବୁଧବାର ଦୁଇବର୍ଷର କୁନି ଝିଅକୁ ଛାଡ଼ିଚାଲି ଯିବା ପରେ ଗୁରବାର ଜଣେ ମହିଳା ପହଞ୍ଚି ଏମିତି ଦାବି କରିବା ଚର୍ଚ୍ଚା ଜୋର ଧରିଛି। ଶିଶୁକନ୍ୟାକୁ ନିଜ ଝିଅ ଦାବି କରି ସିଡବ୍ଲ୍ୟୁସିରେ  ମହିଳା ଜଣକ ପହଞ୍ଚିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ,ବୁଧବାର ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଜଗତସିଂହପୁର ଗୋରେଖନାଥଙ୍କ ପୀଠରେ ଭିକ୍ଷାବୃତ୍ତି କରୁଥିବା ଜଣେ ବୃଦ୍ଧାଙ୍କ ପାଖରେ ଜଣେ ମହିଳା ନିଜର ଦୁଇ ବର୍ଷର ଛୁଆକୁ ଛାଡ଼ି ଥିଲେ। ଆଉ କହିଥିଲେ, ମାଉସୀ ମୋ ସ୍ୱାମୀଙ୍କୁ ଖୋଜିବା ପାଇଁ ଯାଉଛି, ଝିଅକୁ ଟିକେ ଲକ୍ଷ୍ୟ କରିଥିବ। ଏହା ପରେ ମହିଳା ଜଣକ ଗୋରେଖନାଥ ପୀଠ ଭିତରକୁ ଯାଇଥିଲେ। ହେଲେ ଫେରିଲେ ନାହିଁ। ଦୀର୍ଘ ସମୟ ଧରି ମହିଳା ଜଣକ ନଫେରିବାରୁ ଛୁଆଟି ରାହା ଧରି କାନ୍ଦିଥିଲା। ବୃଦ୍ଧା ଜଣକ ଛୁଆଟିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଝିଅଟି ମାଆକୁ ନପାଇ ରାହା ଧରି କାନ୍ଦିବା ଆରମ୍ଭ କରିଥିଲେ।

ଶେଷରେ ବୃଦ୍ଧା ଜଣକ ସ୍ଥାନୀୟ ଲୋକଙ୍କୁ ପୂରା ଘଟଣା କହିଥିଲେ। ଏହା ପରେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ସିଡବ୍ଲ୍ୟୁସି କୁ ହସ୍ତାନ୍ତର କରିଥିଲେ।

ତେବେ ଗୁରବାର ଶିଶୁକନ୍ୟାକୁ ନିଜ ଝିଅ ଦାବି କରି ସିଡବ୍ଲ୍ୟୁସିରେ ପହଞ୍ଚି ଥିଲେ  ଉକ୍ତ  ମହିଳା। ମହିଳାଙ୍କ ଘର କନ୍ଦରପୁର ଥାନା ଦାମୋଦରପୁର ସୂଚନା ମିଳିଛି। ମହିଳା ଜଣଙ୍କ ନିଜର ଝିଅ ବୋଲି ପ୍ରମାଣପତ୍ର ଦେଖାଇଥିବା ସୂଚନା ମିଳିଛି। ତେବେ ପ୍ରମାଣପତ୍ର ସଠିକ୍ ଜଣାପଡ଼ିଲେ ଝିଅକୁ ହସ୍ତାନ୍ତର କରାଯିବ ସିଡବ୍ଲ୍ୟୁସି ପକ୍ଷରୁ କୁହାଯାଇଛି।