କମିଶନରେଟ ପୁଲିସ୍‌ର ନୂଆ ନିୟମ, କମେଣ୍ଟ ମାରିଲେ ପୁଲିସ୍‌ ପଠାଇବ ନାଲିକାର୍ଡ, ଯୁବକଙ୍କୁ କରାଯିବ ତଡ଼ିପାର

ଓଡିଶା ବଡ ଖବର ମହାନଗର ରାଜ୍ୟ

ଭୁବନେଶ୍ବର: ଏଣିକି ମହିଳାଙ୍କୁ କମେଣ୍ଟ କିମ୍ବା ହଇରାଣ ହରକତ କଲେ ଆଉ ନିସ୍ତାର ପାଇବେନି ରୋଡ୍‌ ରୋମିଓ। ଅଭିଯୋଗରେ ସତ୍ୟତା ଥିଲେ ଉକ୍ତ ଯୁବକଙ୍କୁ ବର୍ଷେ ପାଇଁ ତଡ଼ିପାର କରାଯିବ । ଆଜି କମିସନରେଟ୍‌ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ଏଭଳି ଏକ କଠୋର ନିଷ୍ପତ୍ତି ଶୁଣାଇଛନ୍ତି ପୁଲିସ୍‌ କମିସନର ସୁଧାଂଶୁ ଷଡଙ୍ଗୀ।

ଏଥିପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ସାଧାରଣ ମହିଳାଙ୍କୁ ନେଇ ଏକ ସ୍ବତନ୍ତ୍ର ପୁଲିସ ଅଫିସର ବା ଏସପିଓ ଭାବେ ନିଯୁକ୍ତି ଦିଆଯାଇଛି। ଯେଉଁଥିରେ ପାଖାପାଖି ୨୪୬ଜଣ ମହିଳା ସାମିଲ ହୋଇଛନ୍ତି। ତେବେ ବଡ଼ କଥା ହେଉଛି, ଏହି ଏସପିଓମାନେ ପୁଲିସକୁ ସବୁପ୍ରକାରର ସୂଚନା ଦେବେ।  ଏପରିକି ସେମାନେ ଚାହିଁଲେ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ। ଏଥିପାଇଁ ଏମାନଙ୍କୁ ସାମିୟକ ଭାବେ ୩ମାସ ପାଇଁ ନିଯୁକ୍ତି ଦିଆଯାଇଛି। କାହାକୁ ସୁରକ୍ଷା ଦରକାର, କେଉଁଠି ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି ଏସବୁ ଦିଗରେ କଡ଼ା ନଜର ରଖିବେ ଏସପିଓର ସଦସ୍ୟମାନେ।

ସେହିଭଳି ଯଦି କୌଣସି ଯୁବକ ଝିଅମାନଙ୍କୁ କମେଣ୍ଟ ବା ହଇରାଣ ହରକତ କରୁଥିବାର ନଜର ଆସନ୍ତି ତେବେ ତାକୁ ଏକ ନାଲିକାର୍ଡ ନୋଟିସ କରାଯିବା ସହ ଉକ୍ତ ଯୁବକର ଅଭିଭାବକ କିମ୍ବା ଓକିଲ ଏବାବଦରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯିବ। ଆଉ ଯଦି ସେମାନଙ୍କ ଉତ୍ତର ସନ୍ତୋଷଜନକ ନହୁଏ ତେବେ ଉକ୍ତ ଯୁବକ ଜଣକ ଯେଉଁ ଜାଗାରେ ମହିଳାଙ୍କୁ ହଇରାଣ ବା କମେଂଟ ମାରୁଥିଲେ ସେଠାରୁ ତାଙ୍କୁ ସ୍ବତନ୍ତ୍ର ଆଇନ ବଳରେ ବର୍ଷେ ଯାଏଁ ନ ଆସିବାକୁ ନିର୍ଦ୍ଦେଶ ଦିଆଯିବ ବା ବର୍ଷେ ପାଇଁ ଉକ୍ତ ସ୍ଥାନରୁ ତଡ଼ିପାର କରାଯିବ ବୋଲି କହିଛନ୍ତି ପୁଲିସ୍‌ କମିସନର ସୁଧାଂଶୁ ଷଡଙ୍ଗୀ।

ଯେଉଁ ପୁଅ ରୋଷେଇ କରିବାକୁ ମନା କରିବ ତାକୁ ଝିଅ ବାହା ହେବା କଥା ନୁହଁ

ଏହି ଅବସରରେ କମିଶନର୍ କହିଝନ୍ତି ଯେ, ମହିଳା କେବଳ ରୋଷେଇ ଘରେ ସୀମିତ ହୋଇ ରହିବେନି, ସେଥିପାଇଁ ସ୍କୁଲ ଜୀବନରୁ ହିଁ ପୁଅଙ୍କୁ ରୋଷେଇ ଶିଖିବା ଆବଶ୍ୟକ। ଆଜି ଏପରି କିଛି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର୍ ସୁଂଧାଶୁ ଷଡ଼ଙ୍ଗୀ । ଖାଲି ଏତିକି ନୁହେଁ ଯେଉଁ ପିଲା ରୋଷେଇ କରିବାକୁ ବାରଣ କରିବେ ତାଙ୍କୁ ବିବାହ କରିବାକୁ ଯୁବତୀ ମାନେ ମନା କରିବା ଦରକାର ବୋଲି ସିପି କହିଛନ୍ତି।

ଏହି ଅବସରରେ କମିଶନର୍ ନିଜ କଲେଜ ଦିନର ସ୍ମୁତିକୁ ମନେ ପକାଇ ଉଦାହରଣ ଭାବେ ଥୋଇଥିଲେ।  ସେ କହିଥିଲେ ଯେ, ମୁଁ ଯେତେବେଳେ ରେଭେନ୍ସା କଲେଜରେ ପଢ଼ୁଥିଲି ପୁରା କଲେଜରେ ଜଣେ ଝିଅ ସାଇକେଲରେ ଆସୁଥିଲା। ବାକି ସମସ୍ତେ ରିକ୍ସାରେ ଆସୁଥିଲେ। ତାଙ୍କୁ ଯିଏ କମେଣ୍ଟ ମାରିବ ଶୁଣି ନଶୁଣିଲା ଭଳି ଆସୁଥିଲେ। କେହି ପ୍ରତିବାଦ କରୁ ନଥିଲେ। କିନ୍ତୁ ବର୍ତ୍ତମାନ ସମୟ ବଦଳିଯାଇଛି ବୋଲି ସେ କହିଥିଲେ।

ସେ ଆହୁରି କହିଛନ୍ତି ଯେ ଆମ ଦେଶରେ ଯେତେ ପର୍ଯ୍ୟନ୍ତ ରୋଷେଇ କାମକୁ ଗୋଟିଏ ମହିଳାମାନଙ୍କ କାମ ବୋଲି କୁହାଯାଉଥିବ ସେତେ ଦିନ ଯାଏଁ ମହିଳାମାନଙ୍କୁ ସମ୍ମାନ ମିଳିବନି ବୋଲି ସେ କହିଥିଲେ। ସେ କହିଥିଲେ ଯେ ସ୍କୁଲ ବେଳରୁ ପୁଅମାନେ ରୋଷେଇ ଶିଖିବା ଉଚିତ୍‌। କମିଶନରଙ୍କ ଏହି ମନ୍ତବ୍ୟ ବେଶ ହାସ୍ୟରୋଳ ସୃଷ୍ଟି କରିଥିଲା। ସେ କହିଥିଲେ ଯେ, ରୋଷେଇ ନକଲେ ରୋଷେଇର ଗୁରୁତ୍ୱ ବୁଝିବେନି । ତେଣୁ ମହିଳାମାନଙ୍କୁ ଯେମିତି ସମ୍ମାନ ମିଳିବ ସେ ଦିଗରେ ଆମକୁ କାମ କରିବାକୁ ପଡ଼ିବ ବୋଲି ସେ କହିଥିଲେ।