ଓଡ଼ିଶାକୁ ୫ମ ଥର ପାଇଁ ମିଳିଲା ‘କୃଷି କର୍ମଣ’ ପୁରସ୍କାର

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଁ ଓଡ଼ିଶାକୁ ୫ମ ଥର ପାଇଁ ‘କୃଷି କର୍ମଣ’ ପୁରସ୍କାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ ସାହୁଙ୍କୁ ‘କୃଷି କର୍ମଣ’ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଶ୍ରୀ ସାହୁ ପୁରସ୍କାର ସ୍ୱରୂପ ଏକ କୋଟି ଟଙ୍କା ପୁରସ୍କାର ଗ୍ରହଣ କରିଛନ୍ତି। କର୍ଣ୍ଣାଟକର ଟୁମ୍‌କର୍‌ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଓଡ଼ିଶାକୁ ଏହି ଜାତୀୟ ପୁରସ୍କାର ମିଳିଛି। ଏହି ଅବସରରେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ର ଓ କୃଷି ନିର୍ଦ୍ଦେଶକ ଡ. ଏମ୍‌ ମୁଥୁକୁମାର ମଧ୍ୟ ଉପସ୍ଥିତ ଥିଲେ। ତେବେ ୨୦୧୬-୧୭ ବର୍ଷ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଖାଦ୍ୟଶସ୍ୟ ଉତ୍ପାଦନରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଥିବାରୁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।  କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନିମନ୍ତ୍ରଣ କ୍ରମେ କୃଷି ମନ୍ତ୍ରୀ ଡ.ସାହୁ ବେଙ୍ଗାଲୁରୁ ଗସ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶରେ ସାମଗ୍ରୀକ କୃଷି ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଦ୍ଵିତୀୟ ଶ୍ରେଣୀ ରାଜ୍ୟ ଭାବେ ଚୟନ କରିଛନ୍ତି। ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଣଠୁଁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ଯୋଗାଇବାରେ ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, କୃଷି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଁ ଓଡ଼ିଶାକୁ ପୂର୍ବରୁ ୪ ଥର ‘କୃଷି କର୍ମଣ’ ପୁରସ୍କାର ମିଳିସାରିଛି । ବର୍ଷ ୨୦୧୦-୧୧, ୨୦୧୨-୧୩, ୨୦୧୩-୧୪ ଓ ୨୦୧୪-୧୫ ପାଇଁ ଏହି ପୁରସ୍କାର ମିଳିଥିଲା।