ଆରମ୍ଭ ହେଲା ‘ଓଡିଶା ମୋ ପରିବାର’

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ୱର : ସଂପର୍କ ଯୋଡିବ ‘ଓଡିଶା ମୋ ପରିବାର’ । ରାଜ୍ୟର ପ୍ରତି ପରିବାରେ ଯୋଡ଼ି ହେବାକୁ ବିଡେଡି ବିଧିବଦ୍ଧ ଭାବେ ଆରମ୍ଭ କରିଛି ଓଡିଶା ମୋ ପରିବାର । ସମାଜସେବା ମାଧ୍ୟମରେ ଲୋକଙ୍କ ପାଖରେ ପହଁଚି ସେମାନଙ୍କ ସହ ଯୋଡି ହେବାକୁ ଦଳ ଏହି ନୂଆ ପ୍ରୟାସ ଆରମ୍ଭ କରିଛି । ପରିବେଶ ସୁରକ୍ଷା, ସ୍ବାସ୍ଥ୍ୟ ସେବା ଓ ବିପନ୍ନ ଓଡିଆଙ୍କୁ ସହାୟତା ଦେବା ଭଳି ତିନିଟି ବିଷୟରେ ବିଜେଡିର ଓଡିଶା ମୋ ପରିବାର କାର୍ଯ୍ୟ କରିବ । ନବୀନ ନିବାସରେ ବିଜେଡି ସୁପ୍ରିମୋ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକ ଏହି ନିଷ୍ପତ୍ତି ହୋଇଛି । ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡିଶା ମୋ ପରିବାର କାର୍ଯ୍ୟକ୍ରମକୁ ତ୍ବରାନ୍ହିତ କରିବାକୁ ବିଭିନ୍ନ କମିଟି ଗଢିଛି ବିଜେଡି । ସ୍ବାସ୍ଥ୍ୟ କମିଟିକୁ ଦଳର ଜୀବନ ବିନ୍ଦୁ ଭଳି କାର୍ଯ୍ୟକ୍ରମକୁ ଆଗକୁ ନେବାର ଦାୟିତ୍ବ ଦେଇଛି ଦଳ । ପରିବେଶ କ୍ଷେତ୍ରରେ ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ଓଡିଶା, ଜଳାଶୟ ଗୁଡିକର ପୁନରୁଦ୍ଧାର ପରିବେଶ କମିଟିର ଦାୟିତ୍ବ ରହିବ । ବିପନ୍ନ ଓଡିଆ ମାନଙ୍କୁ ସାହାଯ୍ୟ କରିବା ଓ ପ୍ରବାସୀ ଓଡିଆଙ୍କ ସହିତ ଓଡିଶାର ଅଧିକ ସମ୍ପର୍କ ଗଢିବା ଏହି ସବ-କମିଟିର ଦାୟିତ୍ବ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଲକ୍ଷ ବନ୍ଧୁ ସେବା କାର୍ଯ୍ୟରେ ସହଯୋଗ କରିବେ । ଏଥିପାଇଁ ଦଳର ବରିଷ୍ଠ ନେତା, ବିଧାୟକ ଓ ସାଂସଦ ମାନଙ୍କୁ ଏହି ସବୁ କମିଟିର ଦାୟିତ୍ବ ଦେଇଛନ୍ତି ନବୀନ ।

ବିଜେଡି ଏକ ଦଳ ନୁହେଁ ଏକ ଆନ୍ଦୋଳନ ଏମିତି ଏକ ମେସେଜ ବାରମ୍ବାର ଦେବାକୁ ଚାହିଁଛନ୍ତି ନବୀନ। ଆଉ ସାମାଜିକ ସ୍ତରରେ ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ହେବାକୁ ଯୋଜନା ରଖିଛି। ଏବେ ଏହି ଧାରାକୁ ଆହୁରି ଆଗକୁ ନେଇ ଲୋକଙ୍କ ସହ ଦଳକୁ ଅଧିକ ଯୋଡିବାକୁ ଆରମ୍ଭ କରିଛନ୍ତି ନୂଆ କାର୍ଯ୍ୟକ୍ରମ।