ମଙ୍ଗଳବାର ବିଜେଡି ସଂସଦୀୟ ଦଳ ବୈଠକ

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ୱର : ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ମଙ୍ଗଳବାର ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସଂସଦ ଅଧିବେଶନ ପାଇଁ ନିଜର ରଣନୀତିକୁ ବିଜେଡି ଚୂଡ଼ାନ୍ତ ରୂପ ଦେବ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ବୈଠକରେ ଉପସ୍ଥିତ ରହିବା ପାଇଁ ଦଳର ସମସ୍ତ ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ବୈଠକରେ ସାମିଲ ହେବେ। ଜାନୁୟାରୀ ୩୧ତାରିଖରେ ଆରମ୍ଭ ହେବାକୁ ଯାଉଥିବା ସଂସଦର ବଜେଟ୍ ଅଧିବେଶନରେ ବିଜେଡି କିଭଳି ଆଭିମୁଖ୍ୟ ପୋଷଣ କରିବ ସେ ନେଇ ଆଲୋଚନା ହେବା ସହ ମୁଖ୍ୟତଃ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଦଳ ଗୁରୁତ୍ୱ ଦେବ ବୋଲି ଜଣାପଡ଼ିଛି।

ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡିଛି ଯେ, ବିଜେଡି ସଂସଦୀୟ ବୈଠକ ଜାନୁୟାରୀ ୨୯ତାରିଖରେ କରିବା ପାଇଁ ସ୍ଥିର ହୋଇଥିଲା। ମାତ୍ର ସମସ୍ତଙ୍କ ସହମତିରେ ଏହା ୨୮ତାରିଖରେ ହେବା। ବୈଠକରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।
ବିଜେଡି ମୁଖ୍ୟତଃ ସଂସଦର ଉଭୟ ଗୃହରେ, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେବା, ମହାନଦୀ ଜଳ ବିବାଦ ଓ ପୋଲାଭରମ ପ୍ରକଳ୍ପର ତ୍ୱରିତ୍ ସମାଧାନ, ପଛୁଆବର୍ଗଙ୍କୁ ୨୭ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସାମିଲ କରିବା, ମହିଳାଙ୍କୁ ସଂରକ୍ଷଣ, ବିଧାନ ପରିଷଦ ଗଠନ ଆଦି ପ୍ରସଙ୍ଗରେ ବୈଠକରେ ବିଚାରବିମର୍ଶ ହେବ। ତା’ଛଡ଼ା ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ଜଡ଼ିତ ଯେଉଁ ପ୍ରସଙ୍ଗ ଗୃହରେ ଉଠାଇବାକୁ ଚାହିଁବେ ତାହା ଉଠାଇପାରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।