ଆଜି ଆଇଏଏସ ସମ୍ମିଳନୀ

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ୱର: ପ୍ରଥମଥର ପାଇଁ ଆସନ୍ତାକାଲି ରାଜ୍ୟ ସରକାର ଆଇଏଏସ ଅଫିସରଙ୍କ ସମ୍ମିଳନୀର ଆୟୋଜନ କରିଛନ୍ତି। ଏହି ସମ୍ମିଳନୀରେ ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କ ସମେତ ସବୁ ବର୍ଗର ଆଇଏଏସ ଅଫିସରମାନଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଦିନିକିଆ ସମ୍ମିଳନୀରେ ଫାଇଭ-ଟି ଓ ଭିତ୍ତିଭୂମି ଅଭିବୃଦ୍ଧି ମାଧ୍ୟମରେ ‘ଆଧୁନିକ ତଥା ନୂଆ ଓଡ଼ିଶା’ ଗଠନ ନିମନ୍ତେ ୫ଟି ପର୍ଯ୍ୟାୟରେ ଆଇଏଏସ ଅଫିସରମାନେ ପରସ୍ପର ମଧ୍ୟରେ ବିଚାର ବିମର୍ଶ କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଲୋକସେବା ଭବନ ପରିସରରେ ନବନିର୍ମିତ କନଭେନସନ ହଲରେ ଆୟୋଜିତ ହେବାକୁ ଥିବା ଏହି ଆଇଏଏସ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ମଧ୍ୟ ଏଥିରେ ସାମିଲ ହେବେ। ରାଜ୍ୟ ସରକାର ନିୟମିତ ଭାବେ ଜିଲ୍ଲାପାଳ ସମ୍ମିଳନୀ କରୁଥିବାବେଳେ ଚଳିତବର୍ଷ ପ୍ରଥମଥର ପାଇଁ ଆଇଏଏସ ସମ୍ମିଳନୀ କରିଛନ୍ତି। ପଞ୍ଚମ ପାଳି ଜିତିବାପରେ ରାଜ୍ୟ ସରକାର ପ୍ରଶାସନିକ ସଂସ୍କାର ଉପରେ ଅଧିକ ଫୋକସ କରୁଥିବାବେଳେ ପ୍ରଶାସନକୁ ବାସ୍ତବବାଦୀ ଓ ଲୋକାଭିମୁଖୀ କରିବା ନିମନ୍ତେ ଏହି ଆଇଏଏସ ସମ୍ମିଳନୀର ଆୟୋଜନ କରିଥିବା ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ବିଭିନ୍ନ ପର୍ଯ୍ୟାୟରେ ୫ଟି ପ୍ରସଙ୍ଗ ଉପରେ ଆଇଏଏସ୍ ଅଧିକାରୀମାନେ ନିଜର ମତ ରଖିବେ। ଅଧିବେଶନକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାପରେ ‘ନୂଆ ଯୁଗର ଜ୍ଞାନକୌଶଳ ଓ ଭଦ୍ଭାବନ’ ଶୀର୍ଷକ ଆଲୋଚନା ହେବ। ୫ଟି ପ୍ରସଙ୍ଗ ଉପରେ ବରିଷ୍ଠ ଆଇଏଏସମାନେ ନିଜର ମତ ରଖିବେ । ଅର୍ଥ ସଚିବ ଅଶୋକ କୁମାର ମୀନା ଏହି ପ୍ରସଙ୍ଗରେ ଆଲୋଚନାକୁ ଆରମ୍ଭ କରିବେ ଓ ତାଙ୍କୁ ଇଆଣ୍ଡଇଟି ବିଭାଗ ସଚିବ ମନୋଜ ମିଶ୍ର ଓ ଓରସାକ୍ ସିଇଓ ପିକେ ମଲ୍ଲିକ ସହଯୋଗ କରିବେ। ସେହିପରି ଓଡ଼ିଶା ଏକ ଆକର୍ଷଣୀୟ କେନ୍ଦ୍ର , ଭିତ୍ତିଭୂମି ପାଇଁ ଅଭିବୃଦ୍ଧି, ଓଡ଼ିଶାର ଭବିଷ୍ୟତ ସହରଗୁଡ଼ିକୁ ସାମଗ୍ରିକ ବସବାସଯୋଗ୍ୟ ଓ ସ୍ଥାୟୀ କରିବା ଏବଂ ସାମଗ୍ରିକ ପ୍ରଶାସନ ଆଦି ୫ଟି ବିଷୟ ଉପରେ ଆଇଏଏସମାନଙ୍କ ମଧ୍ୟରେ ବିଚାରବିମର୍ଶ ହେବ ବୋଲି ଜଣାପଡ଼ିଛି।

ଏହି ସମ୍ମିଳନୀରେ ନୂଆ ଓଡ଼ିଶା ଗଠନ ନିମନ୍ତେ ‘ଫାଇଭ-ଟି’ର ଉପଯୋଗ ମାଧ୍ୟମରେ ଗରିବଙ୍କ କଲ୍ୟାଣ ଓ ବିକାଶମୂଳକ ଯୋଜନା ଉପରେ ମଧ୍ୟ ବିଚାରବିମର୍ଶ ହେବ ବୋଲି ସୂଚନା ମିଳିଛି।