ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଦୁଷ୍କର୍ମ, ଏଏସ୍ଆଇ ଅଟକ

ଓଡିଶା ଜିଲ୍ଲା ପୁରୀ ରାଜ୍ୟ

ପିପିଲି :  (ବିଜୟ କୁମାର ମହାପାତ୍ର )ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିବା ପରେ ବଳଙ୍ଗା ଥାନା ଏଏସ୍ଆଇଙ୍କୁ ଅଟକ ରଖି ପିପିଲି ଏସଡିପିଓ ପଚରାଉଚରା କରୁଥିବାର ସୂଚନା ମିଳିଛି।
ଜଣେ ୩୦ ବର୍ଷୀୟା ବିବାହିତ ମହିଳାଙ୍କୁ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଂଜନ ଦାସ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଗତକାଲି ସନ୍ଧ୍ୟାରେ ପୀଡ଼ିତା ପିପିଲି ଏସଡିପିଓଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ। ଏସ୍ଡିପିଓ ଦେବଦତ୍ତ ବରାଳ ଅଭିଯୋଗକୁ ଗ୍ରହଣ କରିବା ସହ ଜଣେ ମହିଳା ପୁଲିସ ଅଧିକାରୀଙ୍କ ଦ୍ବାରା ତଦନ୍ତ ଆରମ୍ଭ କରିଥିଲେ। ଏ ସଂପର୍କରେ ସୂଚନା ପାଇ ଗତକାଲି ପୁରୀ ପୁଲିସ ଅଧୀକ୍ଷକ ମଧ୍ୟ ପିପିଲିରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ ଏ ସଂପର୍କରେ ସରିତା ପ୍ରଥମେ ବଳଙ୍ଗା ଥାନା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ। ଫଳରେ ସେ ବାଧ୍ୟ ହୋଇ ଗତକାଲି ସନ୍ଧ୍ୟାରେ ଏସ୍ଡିପିଓଙ୍କୁ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଥିଲେ। ଏହି ଘଟଣାରେ ସେ ପୁରୀ ପୁଲିସ ଅଧୀକ୍ଷକ, କେନ୍ଦ୍ରାଞ୍ଚଳ ଡିଆଇଜି, ପୁଲିସ ଡିଜି ଏବଂ ମହିଳା କମିସନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

Image result for pipili police station

ଅନ୍ୟ ପକ୍ଷରେ ତାଙ୍କ ସହ ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ, ରାଜ୍ୟ ମହିଳା ସମ୍ପାଦିକା ଟିକିନା ପରିଡ଼ା, ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ପୁରୀ ଜିଲ୍ଲା ସଭାପତି ଜୟଦେବ ବେହେରା ଓ ପିପିଲି ବ୍ଲକ୍ ସଭାପତି ରମେଶ ବେହେରା ପ୍ରମୁଖ ପିପିଲି ଏସ୍ଡିପିଓଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତକୁ ଗିରଫ ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଜଣେ ବିବାହିତା ମହିଳା। ପ୍ରାୟ ଛଅ ମାସ ପୂର୍ବେ ତାଙ୍କ ସ୍ବାମୀ ଏକ ଅଟୋ ଆଣିଥିଲେ। ମାତ୍ର ଏହି ଅଟୋକୁ ସରିତାଙ୍କ (ଛଦ୍ମନାମ) ଶ୍ବଶୁର ଘର ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଥାନାର ଏଏସ୍ଆଇ ଚିତ୍ତରଂଜନ ଦାସ ପୀଡ଼ିତାଙ୍କୁ ଡକାଇଥିଲେ ମଧ୍ୟ ସେତେବେଳେ ସେ ଯାଇ ପାରିନଥିଲେ। ଏହାର କିଛି ଦିନ ପରେ ଫୋନ୍ରେ ଚିତ୍ତରଞ୍ଜନ ଅଟୋ ପୋଡ଼ି ମାମଲାରେ ଶ୍ବଶୁର ଆସିବେ, ତୁମେ ଶୀଘ୍ର ଆସ ବୋଲି କହି ପୀଡିତାଙ୍କୁ ଥାନାକୁ ଡକାଇଥିଲେ। ଥାନା ବାବୁଙ୍କ ଡାକରା ପାଇ ପୀଡ଼ିତା ପହଞ୍ଚିଥିଲେ। ତେବେ ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଶ୍ବଶୁର ଆସି ନଥିଲେ।

ଏହି ସମୟରେ ଚିତ୍ତରଂଜନ କାଗଜପତ୍ର ଦେଖିବା ବାହାନାରେ ସରିତାଙ୍କୁ ନିଜ ରୁମକୁ ଡାକି ନେଇ ପାଟି ବନ୍ଦକରି ଦୁଷ୍କର୍ମ କରିଥିଲେ ଏବଂ କାହାକୁ କିଛି କହିଲେ ମିଛ ମାମଲାରେ ବାନ୍ଧି ଜେଲ ପଠାଇଦେବେ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ; ଏହା ପରେ ବିଭିନ୍ନ ସମୟରେ ବିଳମ୍ବିତ ରାତିରେ ଫୋନ୍ କରି ଅଶ୍ଳୀଳ କଥା ହେବା ସହ ବାରମ୍ବାର ରୁମକୁ ଆସିବା ପାଇଁ ବାଧ୍ୟ କରୁଥିଲେ। ରୁମକୁ ଆସି ତାଙ୍କ କଥା ବୁଝିଦେଲେ ଦଫା କୋହଳ କରିଦେବେ ବୋଲି ଥାନା ବାବୁ କହୁଥିବା ସରିତା ଅଭିଯୋଗରେ ଦର୍ଶାଇଛନ୍ତି।