ସମୀର ମହାନ୍ତି ବିଜେପିର ନୂଆ ରାଜ୍ୟ ସଭାପତି

ଓଡିଶା ବଡ ଖବର ମହାନଗର ରାଜନୀତି ରାଜ୍ୟ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି। ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ରାଜ୍ୟ ସଭାପତି ଭାବେ ସମୀରଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ସେ ଆସନ୍ତା ୩ ବର୍ଷ ପାଇଁ ସଭାପତି ପଦରେ ରହିବେ। ଆଜି ଏକମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ମହାନ୍ତି ରାଜ୍ୟ ବିଜେପି ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ଦିନ ୩ଟାରେ ରାଜ୍ୟ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅନ୍ୟ କେହି ପ୍ରାର୍ଥୀ ଥିଲେ ଆସନ୍ତାକାଲି ଭୋଟ ଗ୍ରହଣ ହୋଇଥାନ୍ତା। ମାତ୍ର ଅନ୍ୟ କେହି ପ୍ରାର୍ଥୀ ହୋଇନଥିବାରୁ ଭୋଟଗ୍ରହଣର ଆବଶ୍ୟକତା ପଡ଼ିନଥିଲା। ଆଜି ହିଁ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରାଯାଇଛି।

ରାଜ୍ୟ ସଭାପତି ପଦ ପାଇଁ ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ନିମନ୍ତେ ଦଳୀୟ ନେତାମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଥିଲ। ତେବେ ଶ୍ରୀ ମହାନ୍ତି ରାଜ୍ୟ ସଭାପତି ହେବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୂର୍ଣ୍ଣ ପ୍ରଭାବ ରାଜ୍ୟ ସଂଗଠନ ଉପରେ ରହିଥିବା ସ୍ପଷ୍ଟ ହୋଇଯାଇଛି। ଆଜି ଏହି ପ୍ରକ୍ରିୟା ଚୂଡ଼ାନ୍ତ ହେବା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ସଂଗଠନ ସମ୍ପାଦକ ସୌଦାନ ସିଂ, ରାଜୀବ ପ୍ରତାପ ରୁଡ଼ି, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା ଓ ନରେନ୍ଦ୍ର ସିଂ ତୋମାରଙ୍କ ସମେତ ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୨୦୧୬ ମସିହାରେ ସମସ୍ତ କଳ୍ପନା ଜଳ୍ପନାକୁ ପଛରେ ପକାଇ ବିଜେପି ରାଜ୍ୟ ସଭାପତି ଭାବେ ବସନ୍ତ ପଣ୍ଡାଙ୍କୁ ଅବସ୍ଥାପିତ କରିବାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସକ୍ଷମ ହୋଇଥିଲେ। ଚଳିତଥର ରାଜ୍ୟ ସଭାପତି ରେସରେ ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ, ପୃଥ୍ୱୀରାଜ ହରିଚନ୍ଦନ, ସମୀର ମହାନ୍ତିଙ୍କ ସମେତ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଗତକାଲି ପର୍ଯ୍ୟନ୍ତ ଶ୍ରୀ ହରିଚନ୍ଦନଙ୍କ ନାଁ ଉପରେ ସହମତି ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା। କିନ୍ତୁ ଦଳର ବରିଷ୍ଠ ନେତାମାନଙ୍କ ବୈଠକ ପରେ ଶ୍ରୀ ମହାନ୍ତିଙ୍କ ନାଁ ଉପରେ ମୋହର ଲାଗିଛି।

ଆଗକୁ ରହିବ ଏହି ସବୁ ଚ୍ୟାଲେଞ୍ଜ

ସମୀରଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ- ଦଳର ସବୁ ନେତାଙ୍କୁ ସାଙ୍ଗରେ ଧରି ଚାଲିବା। ଦ୍ୱିତୀୟ ଚ୍ୟାଲେଞ୍ଜ ହେବ- ଆଗାମୀ ପୌର ନିର୍ବାଚନରେ ୧ ନମ୍ବର ଦଳ ଭାବେ ସହରୀ ଭୋଟରଙ୍କ ବିଶ୍ୱାସ ଭାଜନ ହେବା, ୩ ଚ୍ୟାଲେଞ୍ଜ ହେବ- କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ନିବିଡ଼ ସମ୍ପର୍କ ଚର୍ଚ୍ଚା ଭିତରେ ତୃଣମୂଳ ସ୍ତରରେ କର୍ମୀଙ୍କ ମନରେ ସୃଷ୍ଟ ସନ୍ଦେହ ଦୂର କରିବା ଏବଂ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡିକୁ ଠିକଣା ମୁକାବିଲା କରିବା।

୨୦୧୬ରୁ ରାଜ୍ୟ ବିଜେପିର ଉପସଭାପତି ଭାବେ କାର୍ଯ୍ୟ କରି ଆସୁଥିଲେ ସମୀର। ୧୯୭୭ରେ ଛାତ୍ର ସଂଗଠନ ଏବିଭିପିରୁ ସେ ରାଜ୍ୟନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୮୦ରେ ଏବିଭିପି ରାଜ୍ୟ ଉପସଭାପତି ପରେ ୧୯୮୪ରେ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଏହାର ବର୍ଷକ ପରେ ବିଡିଏର ଉପ ସୂଚନା ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ତେବେ ୧୦ ବର୍ଷ ପରେ ଚାକିରିରୁ ଇସ୍ତଫା ଦେଇ ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ନେଇଥିଲେ। ୨୦୦୯ରେ ଭୁବନେଶ୍ୱର ଏକାମ୍ର ଆସନରୁ ପ୍ରାର୍ଥୀ ହୋଇଥିଲେ ସମୀର।ବିଜେପି ଇତିହାସରରେ କେବଳ ୧୯୮୮ ଓ ୧୯୯୭ରେ ଦୁଇ ଥର ସଭାପତି ପଦ ଲାଗି ଲଢେଇ ହୋଇଥିଲା ବେଳେ ସବୁଥର ଭଳି ଏଥର ମଧ୍ୟ ସହମତି ଭିତିରେ ନିର୍ବାଚନ ହୋଇଛି।