ଭୁବନେଶ୍ୱର: ବିଭିନ୍ନ ଶ୍ରମିକ ସଂଗଠନ ଓ ବାମଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ‘ଭାରତ ବନ୍ଦ’ ଡାକରାର ପ୍ରଭାବ ଦେଶ ସମେତ ରାଜ୍ୟରେ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ରାଜ୍ୟରେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି। ଆନ୍ଦୋଳନକାରୀମାନେ ରାଜଧାନୀର ମାଷ୍ଟର କ୍ୟାଂଟିନ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ସତସଙ୍ଗ ବିହାର ଭଳି ପ୍ରମୁଖ ସ୍ଥାନମାନଙ୍କରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଚଳାଚଳ ବନ୍ଦ ରହିଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଆଡେ ରାସ୍ତା ଖାଁ ଖାଁ ହୋଇଯାଇଛି। ବିକ୍ଷୋଭକାରୀମାନେ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।
କଟକରେ ମଧ୍ୟ ବନ୍ଦ ପାଳନର ପ୍ରଭାବ ଦେଖାଯାଇଛି। ବାଦାମବାଡିରେ ବସ, ଅଟୋ, ଟ୍ୟାକ୍ସି ଚଳାଚଳ ବନ୍ଦ ରହିଛି। ଗାଡି ଚଳାଚଳ ଓ ଯାତାୟତ ଏକପ୍ରକାର ଠପ୍ ହୋଇଯାଇଛି। ସେହିପରି କଟକ ରେଳଷ୍ଟେସନରେ ଏଆଇଡିଏସଓ ପକ୍ଷରୁ ରେଳରୋକ କରାଯାଇଛି। ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବ ନାହିଁ ବୋଲି ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି । ଆଜି ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବାଦାମବାଡ଼ି ଓ ଲିଙ୍କରୋଡରେ ପିକେଟିଂ ଆରମ୍ଭ କରିଛନ୍ତି । ଆସନ୍ତାକାଲି ସକାଳ ୬ଟା ଯାଏଁ ବନ୍ଦର ପ୍ରଭାବ ଅନୁଭୂତ ହେବ।
ବନ୍ଦ ପାଇଁ ସତର୍କତା ଦୃଷ୍ଟିରୁ ରାଜ୍ୟର ୧୫ଟି ଜିଲ୍ଲାରେ ସ୍କୁଲ୍ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ଛୁଟି ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କନ୍ଧମାଳ, ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା, ଭଦ୍ରକ, ଗଜପତି, ଜଗତସିଂହପୁର, ରାୟଗଡ଼ା, ଝାରସୁଗୁଡ଼ା, ନୟାଗଡ଼, ବୌଦ୍ଧ, ଯାଜପୁର, ମାଲକାନଗିରି, କେନ୍ଦ୍ରାପଡ଼ା ଓ କଳାହାଣ୍ଡି।