ନୟାଗଡ଼ରେ୫ ବର୍ଷରେ ୧୨ ଶହରୁ ଅଧିକ ଶିଶୁ ମୃତ

ଓଡିଶା ଜିଲ୍ଲା ନୟାଗଡ଼ ବଡ ଖବର ରାଜ୍ୟ

ନୟାଗଡ଼ : (ହୁସେନ ଖାଁ) ନୟାଗଡ଼ ଜିଲ୍ଲାରେ  ଶିଶୁ ମୃତ୍ୟୁ ହାର ଐକ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ସରକାରଙ୍କ ବ୍ୟାପକ ଯୋଜନା ସତ୍ତ୍ବେ ଶିଶୁ ମୃତ୍ୟୁକୁ ରୋକିବା ଦିଗରେ ବିଶେଷ ସୁଫଳ ପାରିନି। ଗତ ପାଞ୍ଚବର୍ଷ ତଳେ ଘଟୁଥିବା ନବଜାତକ ଶିଶୁ ମୃତ୍ୟୁଠାରୁ ଆରମ୍ଭ କରି ଜନ୍ମରୁ ପାଞ୍ଚ ବର୍ଷ ବୟସ ମଧ୍ୟରେ ଶିଶୁ ମୃତ୍ୟୁହାର ତୁଳନାରେ ବର୍ତ୍ତମାନ କମ୍ ମୃତ୍ୟୁ ଘଟୁଥିଲେ ମଧ୍ୟ ଏହା ଉତ୍ସାହଜନକ ନୁହେଁ। ଗତ ୫ ବର୍ଷ ମଧ୍ୟରେ ୧୨ଶହରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥିବା ପରିସଂଖ୍ୟାନରୁ ଜଣାପଡ଼ିଛି।

ତଥ୍ୟ ଅନୁସାରେ, ୨୦୧୫-୧୬ ବର୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ଡି‌ସେମ୍ବର ମାସ ସୁଦ୍ଧା ଜିଲ୍ଲାରେ ୧୨୩୮ ଶିଶୁଙ୍କର ପ୍ରା‌ଣ ଯାଇଛି। ରଣପୁର, ଓଡ଼ଗାଁ, ନୂଆଗାଁ ବ୍ଲକ୍‌ରେ ସର୍ବାଧିକ ନବଜାତକଙ୍କ ମୃତ୍ୟୁ ଘଟିଛି। ସରକାରୀ ଭାବେ ଶିଶୁ ମୃତ୍ୟୁ ହ୍ରାସର ପରିସଂଖ୍ୟାନ ଓ ବାସ୍ତବ ଚିତ୍ର ମଧ୍ୟରେ ଆକାଶ ପାତ‌ାଳ ଫରକ ରହିଛି। ବିଗତ ପାଞ୍ଚ ବର୍ଷରେ ରଣପୁର ବ୍ଲକ୍‌ରେ ସର୍ବାଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ନବଜାତକଙ୍କଠାରୁ ଆରମ୍ଭ କରି ୧ରୁ ୫ ବର୍ଷ ମଧ୍ୟ‌ରେ ଶିଶୁ ରହିଛନ୍ତି। ୨୦୯ ଜଣ ଶିଶୁ ରଣପୁରରେ ପ୍ରାଣ ହରାଇଛନ୍ତି। ଓଡ଼ଗାଁରେ ୨୦୦ ଓ ନୂଆଗାଁରେ ୧୭୪ ଶିଶୁଙ୍କ ମୃତ୍ୟୁ ଘଟିଛି। ରଣପୁର ବ୍ଲକ୍‌ରେ ୨୦୧୫-୧୬ରେ ୭୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେ‌ଳେ, ୨୦୧୬-୧୭ରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭-୧୮ରେ ୨୯ ଓ ୨୦୨୮-୧୯ରେ ଏହା ବଢ଼ି ୪୧ରେ ପହଞ୍ଚିଥିବା ବେଳେ ୨୦୧୯ ଡିସେମ୍ବର ସୁଦ୍ଧା ଏଠାରେ ୩୦ ଶିଶୁଙ୍କ ମୃତ୍ୟୁ ଘଟିଛି। ଓଡ଼ଗାଁରେ ଶିଶୁ ମୃତ୍ୟୁ ସଂଖ୍ୟା ହ୍ରାସରେ ବିଶେଷ ଉନ୍ନତି ହେଉନଥିବା ଦେଖାଯାଇଛି। ୨୦୧୫-୧୬ରେ ଏଠାରେ ସରକାରୀ ଭାବେ ୩୩ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ୨୦୧୬-୧୭ରେ ଏହି ସଂଖ୍ୟା ବଢ଼ି ୪୦ରେ ପହଞ୍ଚିଥିବା ବେଳେ ୨୦୧୭-୧୮ରେ ୩୯, ୨୦୧୮-୧୯ର ଏହା ୪୮ରେ ପହଞ୍ଚିଛି। ୨୦୧୯-୨୦ ବର୍ଷର ଡିସେମ୍ବର ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୦ରେ ରହିଛି। ଓଡ଼ଗାଁ ବ୍ଲକ୍‌ରେ ଶିଶୁ ମୃତ୍ୟୁ ବଢ଼ୁଥିବା ପରିସଂଖ୍ୟାନ ଦର୍ଶାଉଛି। ନୂଆଗାଁ ବ୍ଲକ୍‌ ଶିଶୁ ମୃତ୍ୟୁ ନେଇ ତୃତୀୟ ସ୍ଥାନରେ ରହିଛି। ୨୦୧୫-୧୬ ବର୍ଷରେ ଏଠାରେ ୫୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ, ୨୦୧୬-୧୭ରେ ୩୭, ୨୦୧୭-୧୮ରେ ୩୩, ୨୦୧୮-୧୯ରେ ୨୯ ଓ ୨୦୧୯-୨୦ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ଏହି ସଂଖ୍ୟା ୨୫ରେ ରହିଛି। ନୟାଗଡ଼ ବ୍ଲକ୍‌ରେ ୧୪୬ ଶିଶୁ ମୃତ୍ୟୁ ଘଟିଥିବା ବେଳେ, ଖଣ୍ଡପଡ଼ାରେ ୧୪୭, ଗଣିଆରେ ୬୮, ଦଶପଲ୍ଲାରେ ୧୬୮ ଓ ଭାପୁରରେ ୧୨୯ ଶିଶୁ ମୃତ୍ୟୁ ଘଟିଛି। ପାଞ୍ଚବର୍ଷ ପୂର୍ବ ତୁଳନାରେ ଜିଲ୍ଲାରେ ଶିଶୁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ‌ବେଳେ, ଏହା ବିଶେଷ ଉତ୍ସାହଜନକ ହାରରେ ହ୍ରାସ ପାଇପାରିନାହିଁ। ଏବେ ବି ପ୍ରତିବର୍ଷ ଶତାଧିକ ଶିଶୁଙ୍କୁ ମୃତ୍ୟୁ ଘଟିଚାଲିଛି। ଯାହାକି, ଉଦ୍‌ବେଗଜନକ!