ଅଶୋକ ଦାସ ମେମୋରିଆଲ ଆନ୍ତଃ ରାଜ୍ୟ କବାଡି ଉଦଯାପିତ, ମହିଳାରେ କୁଆଖିଆ ଓ ପୁରୁଷରେ କଟକ ଚାମ୍ପିଅନ

sports ଓଡିଶା ଖେଳ ଜିଲ୍ଲା ବଡ ଖବର ଯାଜପୁର ରାଜ୍ୟ

ଯାଜପୁର : ( ବିଶ୍ବଜିତ ରଣା )ସ୍ଥାନୀୟ ବାଳାଶ୍ରମ ପଡିଆ ଠାରେ ଦୁଇଦିନ ଧରି ଚାଲିଥିବା ଅଶୋକ ଦାସ ମେମୋରିଆଲ ଆନ୍ତଃରାଜ୍ୟ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ମା ବିରଜା ୟୁଥ୍ କ୍ଲବ ସହଯୋଗ କ୍ରମେ ତଥା କେବି ଟ୍ରେଡର୍ସ ପ୍ରାୟୋଜିତ ଏହି ଉଭୟ ମହିଳା ଓ ପୁରୁଷ କବାଡି ପ୍ରତିଯୋଗୀତାରେ ଭୁବନେଶ୍ୱର, ପିପିଲି, ଢେଙ୍କାନାଳ ସାଇ, କଟକ, ଖଣ୍ଡିତର କବାଡି ଆସୋସିଏସନ, କୁଆଖିଆ, ବାରଙ୍ଗ, ପୁରୀ, ଗଞ୍ଜାମ, ବାଲେଶ୍ୱର ଓ ପାଣିକୋଇଲି ଅଞ୍ଚଳରୁ ୧୨ଟି ଟିମ୍ ଯୋଗଦେଇଥିଲେ । କବାଡି ଫିଭର-୨୦୨୦ ଭାବେ ନାମିତ ଏହି ଦିବାରାତ୍ର ପ୍ରତିଯୋଗୀତାର ଅନ୍ତିମ ଦିବସରେ ଅନୁଷ୍ଠିତ ଫାଇନାଲରେ ଯାଜପୁରଟାଉନର ମହିଳା ଦଳ ସହିତ କୁଆଖିଆ ସ୍ପୋର୍ସ କ୍ଲବ ମହିଳା କବାଡି ଦଳର ଘମାଘୋଟ ଲଢେଇ ହୋଇଥିଲା । ଏଥିରେ କୁଆଖିଆ ଦଳଟି ବିଜୟୀଲାଭ କରି ଚମ୍ପିଆନ ଟ୍ରଫି ହାତେଇଛି ।

ସେହିପରି ପୁରୁଷ ଦଳର କଟକ କବାଡି କ୍ଲବ ସହିତ ଆୟୋଜକ ଯାଜପୁରର ମା ବିରଜା ୟୁଥ୍ କ୍ଲବ ସହିତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏ ଦୁଇଦଳ ମଧ୍ୟରେ ଖେଳ ବେଶ୍ ଆକର୍ଷଣୀୟ ହୋଇଥିଲା । କର ବା ମର ଲଢେଇରେ ଶେଷରେ କଟକ ଦଳ ଚମ୍ପିଆନ ହୋଇଥିବା ବେଳେ ମହିଳା ଦଳ ଭଳି ଯାଜପୁରର ପୁରୁଷ ଦଳକୁ ମଧ୍ୟ ରନର୍ସ ଅଫ୍ ଟ୍ରଫିରେ ସନ୍ତୋଷ ହେବାକୁ ପଡିଥିଲା ।

ପୁରୁସ୍କାର ପ୍ରଦାନ ଉତ୍ସବରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିଆନ ଦଳ ଦ୍ୱୟଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥ ସହିତ ଟ୍ରଫି ମାନ ପୁରସ୍କୃତ କରିଥିବା ବେଳେ ରନର୍ସ ଅଫ୍ ହୋଇଥିବା ଉଭୟ ମହିଳା ଓ ପୁରୁଷ ଦଳକୁ ୭ ହଜାର ଟଙ୍କା ଲେଖାଏଁ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ଅଶୋକ ଦାସ ଫାଉଣ୍ଡେସନର ମୁଖ୍ୟ ସଂଯୋଜକ ତଥା ପ୍ରାକ୍ତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ଜିଲ୍ଲା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ବଟକୃଷ୍ଣ ମହାପାତ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ସମାଜସେବୀ ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗଦେଇ ବିଭିନ୍ନ ଆଧୁନିକ ଖେଳ ମଧ୍ୟରେ ହଜି ଯାଉଥିବା ଗାଁର ସେହି ବାଗୁଡି ଖେଳ ବା ତାର ପରବର୍ତ୍ତୀ ସ୍ୱରୂପ କବାଡି ଖେଳକୁ ଅଧିକ ପ୍ରସାରିତ କରିବା ପାଇଁ ଅଶୋକ ଦାସ ମେମୋରିଆଲର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । କୋଚ ଶୁଭାଙ୍ଗୀ ରାୟ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ଖେଳ ପରିଚାଳନାରେ ସହଯୋଗ ପାଇଁ ଶ୍ରୀକାନ୍ତ କୁମାର ପତି ଓ ସୁଧାଂଶୁ ଶେଖର ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରିାଯାଇଥିଲା । ଉଦଘାଟନୀ ମ୍ୟାଚକୁ ବିଧାୟକ ପ୍ରଣବ ପ୍ରକାଶ ଦାସ ଶୁଭ ଉଦଘାଟନ କରି ସମସ୍ତ ଖେଳାଳୀ ଏବଂ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ ।