#ସଂକ୍ରମଣ _ରୋକିବାକୁ_କଣ୍ଟେନମେଣ୍ଟ_ଜୋନ ଭୁବନେଶ୍ୱର : ରାଜ୍ୟର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳ କିମ୍ବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଅଥବା କରୋନା ସଂଦିଗ୍ଧ ଥିବା ଅଞ୍ଚଳକୁ ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁଛନ୍ତି । ଏହି କ୍ରମରେ ସରକାର ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଏହି କଣ୍ଟେନମେଣ୍ଟ ଜୋନ ପ୍ରଥମେ ଘୋଷଣା କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ସୂର୍ଯ୍ୟନଗର, ସୁନ୍ଦରପଦାଠାରୁ ଯଦୁପୁର, ବମିଖାଲ ଓ ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
କେବଳ ଭୁବନେଶ୍ୱରରେ ନୁହେଁ, କଟକରେ ମଧ୍ୟ ୨ଟି କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । କଟକର ସାଲେପୁର ବ୍ଲକର ୧, ୧୨ ଓ ୧୩ ନମ୍ବର ୱାର୍ଡ, ଜୟରାମପୁର, ବକ୍ସିବଜାର ପଟାପୋଲ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଗଞ୍ଜାମ ଜିଲ୍ଲାରେ ଚିକିଟି ବ୍ଲକ ଲାଲମେଣ୍ଟା ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି ।
ଶ୍ରୀ ବାଗଚୀ କହିଛନ୍ତି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଭାରତ ବିଶ୍ୱର କରୋନା ତାଲିକାରେ ୨୪ତମ ସ୍ଥାନରେ ଅଛି । ଭାରତରେ ମୋଟ ୫ ହଜାର ୧୯୪ ଜଣ ସଂକ୍ରମିତ ଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ଓଡ଼ିଶାର ସ୍ଥାନ ହେଉଛି ୧୬ ନମ୍ବର । ଓଡ଼ିଶାରେ ୨ ହଜାର ୪୪୧ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ସେଥିରୁ ୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ହେଉଛି ୩୯ ଜଣ । କରୋନ ସନ୍ଦିଗ୍ଧ ବିଭିନ୍ନ ଡାକ୍ତରଖାନାରେ ୯୧ ଜଣଙ୍କ ଚିକିତ୍ସା ଜାରି ରହିଛି ।