ୱାଟର ଟୁରିଜିମକୁ ପ୍ରୋତ୍ସାହନ ପାଇଁ କେରଳ ସହ ଏମଓୟୁ କଲା ଓଡ଼ିଶା

ଓଡିଶା ବଡ ଖବର

ଭୁବନେଶ୍ୱର : ଓଡ଼ିଶାର ୪୮୨କିମିର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି, ଚିଲିକା ହ୍ରଦ ଓ ୮ଟି ପ୍ରମୁଖ ଜଳଭଣ୍ଡାରରେ ୱାଟର ଟୁରିଜିମକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏସବୁ ସ୍ଥାନ ପ୍ରତି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବେ କେରଳ ସରକାରଙ୍କ ସହଯୋଗ ଲୋଡ଼ିଛି।

ରାଜ୍ୟରେ ଜଳପଥରେ ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବା ପାଇଁ ଆଜି କେରଳ ସରକାରଙ୍କ ସିପିଙ୍ଗ୍ ଆଣ୍ଡ ଇନଲ୍ୟାଣ୍ଡ ନାଭିଗେସନ୍ କର୍ପୋରେସନ୍ ସହ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏମଓୟୁ ସ୍ୱାକ୍ଷରିତ କରିଛି। କେରଳ ସରକାରଙ୍କ ଏହି ନିଗମ ଖୁବଶୀଘ୍ର ଓଡ଼ିଶା ଆସି ୱାଟର ପର୍ଯ୍ୟଟନର ସମ୍ଭାବନା ଥିବା ଅଞ୍ଚଳକୁ ଅନ୍ୱେଷଣ କରିବା ସହ ପ୍ରାଥମିକ ବୈଷୟିକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଉପସ୍ଥିତିରେ କେରଳ ସରକାରଙ୍କ ସିପିଙ୍ଗ୍ ଆଣ୍ଡ ଇନଲ୍ୟାଣ୍ଡ ନାଭିଗେସନ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଆଇଏଏସ ପ୍ରଶାନ୍ତ ନାୟର ଓ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବଙ୍କ ମଧ୍ୟରେ ଏନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ଏମଓୟୁ ଦ୍ୱାରା ରାଜ୍ୟରେ ଜଳପଥରେ ବିଭିନ୍ନ ଜଳକ୍ରୀଡ଼ା ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କିଭଳି ପଦକ୍ଷେପ ନିଆଯିବ ସେ ଦିଗରେ କେରଳ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବେ ।

ସୂଚନାଯୋଗ୍ୟ ଗତବର୍ଷ ଜାନୁୟାରୀ ମାସରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥା- ଚିଲିକା ଓ ତାମ୍ପରା ହ୍ରଦ, ଭିତରକନିକା, ଗୋପାଳପୁର ସମୁଦ୍ର ବୋଳଭୂମି ଆଦିରେ ହାଉସବୋଟ୍ ଓ ୱାଟରସ୍ପୋଟର୍ସ ପ୍ରୋତ୍ସାହନ କରିବା ନିମନ୍ତେ ନିବେଶକମାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ସିଙ୍ଗଲୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ବହୁ ନିବେଶକ ମଧ୍ୟ ଏଥିପାଇଁ ଆଗ୍ରହ ଦେଖାଇଛନ୍ତି । କେରଳ ସରକାରଙ୍କ ଦ୍ୱାରା ଏହି ଏମଓୟୁ ପରେ ଓଡ଼ିଶାରେ ଜଳମାର୍ଗରେ ବିଭିନ୍ନ ପ୍ରକାରର ଜଳକ୍ରୀଡ଼ା ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।