୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି, ସିଲ୍ ହେଲା ସୂର୍ଯ୍ୟନଗର ଅଞ୍ଚଳ

୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି, ସିଲ୍ ହେଲା ସୂର୍ଯ୍ୟନଗର ଅଞ୍ଚଳ

ଓଡିଶା ବଡ ଖବର ମହାନଗର

#୫ମ_କରୋନା_ଆକ୍ରାନ୍ତଙ୍କ_ପରିଚୟ_ସାର୍ବଜନୀନ         ଭୁବନେଶ୍ୱର   : ଭୁବନେଶ୍ବର ମହାନଗର ନିଗମ ୫ମ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣାକୁ ସାର୍ବଜନୀନ କରିବା ସହ ସେ ରହୁଥିବା ଅଞ୍ଚଳକୁ ସିଲ୍ କରିଛି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେ ହେଲେ ପ୍ରଦୀପ୍ତ ଦଳବେହେରା। ୟୁନିଟ୍‌-୭ ଅନ୍ତର୍ଗତ ଓ୍ବାର୍ଡ ନଂ. ୪୬ସ୍ଥିତ ସୂର୍ଯ୍ୟନଗରର ପ୍ଲଟ୍‌ ନଂ.୩୭ରେ ରୁହନ୍ତି। ଜନହିତ ପାଇଁ ଆକ୍ରାନ୍ତଙ୍କ ପରିଚୟ ଜଣାଇବା ନିହାତି ଜରୁରୀ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ସହ ଟୋଲ୍‌ ଫ୍ରି ନଂ.୧୦୪କୁ ଫୋନ୍‌ କରି ନିଜେ ନିଜର ନାମ ପଞ୍ଜୀକରଣ କରିବା ପାଇଁ କମିଶନର ଚୌଧାରୀ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ପ୍ରଦୀପ୍ତ ବିଗତ ଦିନରେ ବିଦେଶ ବା ଅନ୍ୟ ରାଜ୍ୟ ଗସ୍ତ କରିନାହାନ୍ତି। ଏହାସତ୍ତ୍ୱେ ସେ କରୋନାରେ ଆକ୍ରାନ୍ତ ଥିବା ସାମ୍ନାକୁ ଆସିଛି। ତେଣୁ ସଂକ୍ରମଣକୁ ଏଇଠୁ ରୋକିବା ଓ ଉକ୍ତ ଅଞ୍ଚଳର ଲୋକଙ୍କୁ ସଚେତନ କରିବା ପାଇଁ ବିଏମ୍‌ସି ପ୍ରଦୀପ୍ତଙ୍କ ନାମ ଲୋକଲୋଚନକୁ ଆଣିଛି। ଲୋକେ ମଧ୍ୟ ସାବଧାନ ରୁହନ୍ତୁ। ଏଥିସହ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୂର୍ଯ୍ୟନଗର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସଂଯୋଗ କରୁଥିବା ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରାଯାଇଛି। ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠିଙ୍କ ନେତୃତ୍ୱରେ ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଛକ, ଏଲ୍‌ଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକରୁ ଶିରିପୁର ଛକ ଓ ଶିରିପୁର ଛକରୁ ଗୋପବନ୍ଧୁ ଛକକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯାଇଛି। ଲୋକେ ଭୟଭୀତ ନ ହୋଇ ସଚେତନ ରହି ବିଏମ୍‌ସିକୁ ସହଯୋଗ କରିବାକୁ କମିଶନରେ ଚୌଧାରୀ ନିବେଦନ କରିଛନ୍ତି। ଏପରି କି ଉକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଖୋଲା ରହୁଥିବା ଦୋକାନ ଏବଂ ମଲ୍‌ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

କମିଶନର କହିଛନ୍ତି, କୌଣସି ଲୋକେ ବାହାରକୁ ବାହାରିବେ ନାହିଁ। ସ୍ବତନ୍ତ୍ର ଭାବେ ଚିହ୍ନଟ କେତେଜଣ ବ୍ୟକ୍ତି ସମ୍ପୃକ୍ତ ଅଞ୍ଚଳରେ ସେବା ଯୋଗାଇବେ। ହେଲ୍ପଲାଇନ ନଂ.୧୯୨୯ରେ କଲ୍‌ କରି ବିଏମ୍‌ସିକୁ ଲୋକେ ସମସ୍ୟା ଜଣାନ୍ତୁ। ଲୋକଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ସହାୟତା ଯୋଗାଇ ଦିଆଯିବ। ସେହିଭଳି ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦୈନିକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିବାବେଳେ ସେମାନେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଏହାବ୍ୟତୀତ ପ୍ରଦୀପ୍ତଙ୍କ ପରିବାରବର୍ଗଙ୍କୁ ଯଦି ଅନ୍ୟ କୌଣସି ବ୍ୟକ୍ତିବିଶେଷ ଅଣଦେଖା କିମ୍ବା ବାସନ୍ଦ କରିବାକୁ ପ୍ରୟାସ କରନ୍ତି ତା’ହେଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଚୌଧାରୀ ପ୍ରକାଶ କରିଛନ୍ତି।