୨ ମାସରେ ୩ ଜିଲ୍ଲାରେ ପ୍ରତିଷ୍ଠା ହେବ କୋବାସ ମେସିନ୍

୨ ମାସରେ ୩ ଜିଲ୍ଲାରେ ପ୍ରତିଷ୍ଠା ହେବ କୋବାସ ମେସିନ୍

ଓଡିଶା ବଡ ଖବର

#୨_ମାସରେ_୩_ଜିଲ୍ଲାରେ_ପ୍ରତିଷ୍ଠା_ହେବ_କୋବାସ_ମେସିନ୍             ଭୁବନେଶ୍ୱର  : ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଆଗାମୀ ଦିନରେ ଶଯ୍ୟା ବ୍ୟବସ୍ଥା କରିବାକୁ ହେବ, ଆଇସୋଲେସନ୍ ବେଡ୍ ଖଞ୍ଜା ଯିବ, ସେଥିପାଇଁ କାମ ହେଉଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ଦିନକୁ ୨୫୦୦ ନମୁନା ପରୀକ୍ଷା ହୋଇପାରୁଛି । କୋରାପୁଟ, ବଲାଙ୍ଗୀର ଓ ବାଲେଶ୍ୱରରେ ଆଗାମୀ ୨ ମାସ ମଧ୍ୟରେ ୩ଟି କୋବାସ ମେସିନ ଲାଗିବ । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାରଙ୍କର ଗୋଟିଏ ବିଭାଗ କାମ କରୁଛି, ତାହା ହେଲା କୋଭିଡ୍ ମୁକାବିଲା ବିଭାଗ । ସ୍ୱାସ୍ଥ୍ୟ ବିଭାଗ ଏହି କୋଭିଡ୍ ମୁକାବିଲାକୁ ପରିଚାଳନା କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ କରୋନା ମୁକାବିଲା ଲାଗି ଟାର୍ଗେଟ୍ ଦେଇଛନ୍ତି ଏବଂ ଏହାକୁ ହାସଲ କରିବା ଲାଗି ସମସ୍ତେ ଲାଗିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ  ଓଡ଼ିଶାବାସୀଙ୍କ ସୁରକ୍ଷା ଲାଗି ସବୁ ମତେ ଉଦ୍ୟମ କରିବାକୁ କହିଛନ୍ତି । କୋଭିଡ-୧୯ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ରଣନୀତି ପ୍ରସ୍ତୁତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।

ଶିଳ୍ପ ସଚିବ ଶ୍ରୀ ଶର୍ମା କହିଛନ୍ତି, ରାଜ୍ୟ ସରକାର ଏବେ ନମୁନା ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ନମୁନା ପରୀକ୍ଷା ସଂଖ୍ୟା ବଢାଇବା ଉପରେ କାମ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ଦିନକୁ ୧୫ ହଜାର ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ଦିନରେ ନମୁନା ପରୀକ୍ଷଣ ଲାଗି ଓଡ଼ିଶାକୁ ଆହୁରି କୋବାସ ମେସିନ ଅଣାଯିବ । ଏହି ମେସିନଗୁଡ଼ିକର ସଂଖ୍ୟା ବଢିବା ପରେ ନମୁନା ପରୀକ୍ଷା ଅଧିକ ହୋଇପାରିବ ।

ସ୍ୱାସ୍ଥ୍ୟ ବିଭାଗ ଏବେ କୋଭିଡ-୧୯ ବିରୋଧରେ ଲଢେଇ ଜାରି ରଖିଛି । ଆଗାମୀ ୬ ମାସ ପର୍ଯ୍ୟନ୍ତ କ’ଣ କରାଯିବ, ସେଥିପାଇଁ ରଣନୀତି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଶ୍ରୀ ଶର୍ମା । କୋଭିଡ୍ ମୁକାବିଲା ସାମଗ୍ରୀ ଯୋଗାଣ ଦାୟିତ୍ୱରେ ଥିବା ସଚିବ ଶ୍ରୀ ଶର୍ମାଙ୍କ ଅନୁଯାୟୀ, ରାଜ୍ୟ ସରକାର ଏବେ ୩ଟି ଜିନିଷ ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତିୟ ତାହା ହେଲା ଔଷଧ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ଆଣିବା ଓ ଟେଷ୍ଟିଂ ପାଇଁ ଆବଶ୍ୟକ ହେଉଥିବା କିଟ୍ କ୍ରୟ କରିବା । କରୋନା ମୁକାବିଲା ପାଇଁ କେଉଁ କେଉଁ ମେଡିସିନ କେଉଁଠାରୁ ଆସିବ ଏବଂ ଏଗୁଡ଼ିକ କେମିତି ବ୍ୟବହାର ହେବ ସେ ଦିଗରେ କାମ ହେଉଛି । ସେହିପରି କୋଭିଡ ହସ୍ପିଟାଲରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଯଥା ଶଯ୍ୟା,ଆଇସୋଲେସନ୍ ଲାଗି ବ୍ୟବହାର୍ଯ୍ୟ ଉପକରଣ ବିଭିନ୍ନ କମ୍ପାନିରୁ ଅଣାଯିବା ତାହାକୁ ଗୁରୁତ୍ୱ ଦିଆଯାଇଛି ।

ସେ କହିଛନ୍ତି, ଟେଷ୍ଟିଂପାଇଁ ଯେଉଁ ସାମଗ୍ରୀ ଦରକାର ତାହା ଆଣିବା ପାଇଁ ଯୋଗାଣକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ କରୁଛୁ । କୋଭିଡ-୧୯ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଓଡ଼ିଶାରେ ପ୍ରସ୍ତୁତ ହେଉ ନାହିଁ । ତେଣୁ ଏଗୁଡ଼ିକ ବାହାର ରାଜ୍ୟରୁ ଆଣିବାକୁ ପଡୁଛି । ସେହିଭଳି ଆଉ କିଛି ସାମଗ୍ରୀ ଦେଶ ଭିତରେ ମିଳୁ ନ ଥିବାରୁ ବିଦେଶ ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ବାହାର ରାଜ୍ୟ ଓ ଦେଶଗୁଡ଼ିକରେ ଥିବା ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ କରି ସେଗୁଡ଼ିକ ଅଣାଯାଉଛି । ବାହାର ରାଜ୍ୟରୁ ଆସିବା ପରେ ଏଗୁଡିକୁ ଜିଲ୍ଲାଗୁଡ଼ିକୁ ପଠାଯାଉଛି । ତାହା ପୁଣି ଜିଲ୍ଲାକୁ ପଠାଯିବା ପରେ ସେଗୁଡ଼ିକ ବିଭିନ୍ନ ହସ୍ପିଟାଲରେ କେମିତି ବିନିଯୋଗ କରାଯାଉଛି, ସେ ଉପରେ ନଜର ରଖାଯାଉଛି ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।