୧ ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

୧ ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

ଓଡିଶା ବଡ ଖବର ବାଣିଜ୍ୟ

#ବ୍ୟୟ_ମଂଜୁରୀ_ବିଲ୍_ପାରିତ        ଭୁବନେଶ୍ୱର  :  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧ ଲକ୍ଷ ୫୫ ହଜାର ୯୬୩ କୋଟି ୨୬ ଲକ୍ଷ ୮୧ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିଥିଲେ । ଆଲୋଚନା ପରେ ଏହି ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା । ଏହା ପରେ ବାଚସ୍ପତି  ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।
ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ଲୋକସେବା ଭବନର କନଭେନସନ୍ ହଲ୍ ଠାରେ ଚଳିତ ବିଧାନସଭା ବଜେଟ୍ ଅଧିବେଶନର ସ୍ୱତନ୍ତ୍ର ଦିନିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ତୃତୀୟ କରୋନା ପଜିଟିଭ୍ ଙ୍କ ସଂସ୍ପର୍ଶରେ କେତେକ ବିଧାନସଭା କର୍ମଚାରୀ ଆସିଥିବାରୁ ଏହି ବୈଠକ ବିଧାନସଭା ବଦଳରେ ଲୋକସେବା ଭବନ ଠାରେ ବସିଥିଲା । ବୈଠକ ପୂର୍ବରୁ ଲୋକସେବା ଭବନର କନଭେନସନ୍ ହଲ୍ କୁ ସାନିଟାଇଜ୍ କରାଯାଇଥିଲା । ପୂର୍ବାହ୍ନ ୧୦ଟା ୩୦ରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ସମୟ ଅଭାବରୁ ଆଲୋଚନା ପରିସରଭୁକ୍ତ ହୋଇପାରିନଥିବା ବିଧାନସଭା ସମେତ ମୋଟ ୪୨ ଟି ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍ ଦ୍ୱାରା ଗୃହୀତ ହୋଇଥିଲା । ପୂର୍ବରୁ ଚଳିତ ମାସ ୧୨ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିଭାଗ ସ୍ୱରାଷ୍ଟ୍ର ଏବଂ ସାଧାରଣ ପ୍ରଶାସନ ବିଭାଗ ର ଖର୍ଚ୍ଚ ଦାବି ମଧ୍ୟ ଗିଲୋଟିନ୍ ଦ୍ୱାରା ଗୃହିତ ହୋଇଥିଲା । ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ବୈଠକରେ ଉପସ୍ଥିତ ଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମ ପରେ ପୂର୍ବାହ୍ନ ୧୧ ଟା ୪୬ ରେ ବାଚସ୍ପତି ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ବିଧାନସଭା ବଜେଟ୍ ଅଧିବେଶର କାର୍ଯ୍ୟକାଳ ଆସନ୍ତା ଅପ୍ରେଲ୍ ୯ ତାରିଖ ପର୍ଯ୍ୟନ୍ତ ଥିବାବେଳେ ସରକାରୀ ଦଳ ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ ଗୃହକୁ ମୁଲତବୀ ରଖିବା ପାଇଁ
ପ୍ରସ୍ତାବ ଆଗତ କରିଥିଲେ । ଗୃହର ସହମତି କ୍ରମେ ବାଚସ୍ପତି ତାଙ୍କ ଅଭିଭାଷଣ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।