୧୬୦୯ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଓଡିଶା ବଡ ଖବର

ଭୁବନେଶ୍ୱର : ଓଡ଼ିଶା ସରକାର ୧୬୦୯.୪୯ କୋଟି ଟଙ୍କାର ୮ଟି ନୂଆ ପୁଞ୍ଜି ନିବେଶ  ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଗୁରୁବାରଦିନ ଅନୁଷ୍ଠିତ ୮୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ବୈଠକ ରେ ଏ ନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଅନୁଷ୍ଠିତ ଏକ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦିଆଯାଇଛି । ଏହି ନିବେଶ ପ୍ରସ୍ତାବ ଗୁଡ଼ିକ ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ, ପ୍ଲାଷ୍ଟିକ, ପର୍ଯ୍ୟଟନ, ଇସ୍ପାତ ଏବଂ ଭିତ୍ତିଭୂମି କ୍ଷେତ୍ର ଉପରେ ପର୍ଯ୍ୟବେସିତ । ପ୍ରକଳ୍ପ ଗୁଡ଼ିକରେ ୧୪୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିହୋଇଛି ।

ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ପକ୍ଷରୁ ଟାଟା ଗ୍ଲୋବାଲ ବେଭେରେଜ ଲିମିଟେଡ କୁ ବାର୍ଷିକ ୩୬୦୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଚା ବ୍ଲେଣ୍ଡିଙ୍ଗ ତଥା ପ୍ୟାକେଜିଙ୍ଗ କାର୍ଯ୍ୟ ନିମନ୍ତେ ୮୩.୫୩ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏଠାରେ ୨୯୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ପର୍ଯ୍ୟଟନ କ୍ଷେତ୍ରରେ ଏକ ୫ ତାରକା ହୋଟେଲର ସମ୍ପ୍ରସାରଣ ପାଇଁ ଆପିଜେ ସୁରେନ୍ଦ୍ର ପାର୍କ ହେଟେଲ ଲିମିଟେଡର ୧୫୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୧୫୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଏକ ୫ ତାରକା ହୋଟେଲର ସମ୍ପ୍ରସାରଣ ପାଇଁ କାମତ ହୋଟେଲସ୍ (ଇଣ୍ଡିଆ) ଲିମିଟେଡର ୫୧ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୧୬୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟର ଇସ୍ପାତ କ୍ଷେତ୍ରରେ ତ୍ରିଭେଣି ଅର୍ଥ ମୁଭର ପ୍ରାଇଭେଟ ଲିମିଟେଡର ବାର୍ଷିକ ୩୦ ନିୟୁତ ଟନ କ୍ଷମତା ବିଶିଷ୍ଟ ମାଟିତଳେ ସ୍ଲରି ପାଇପ୍ ଲାଇନ୍ ବସାଇବା ନିମନ୍ତେ ୯୪୮.୯୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୨୧୭ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।