୧୦ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍‌

ଓଡିଶା ବଡ ଖବର

#୧୦ _ଡିଗ୍ରୀ_ କଲେଜକୁ _କାରଣ_ ଦର୍ଶାଅ _ନୋଟିସ୍‌  ଭୁବନେଶ୍ୱର : ଗତ ୩ବର୍ଷ ଧରି କ୍ରମାଗତ ଭାବେ ୨୫%ରୁ କମ୍ ନାମଲେଖା ହେଉଥିବା ୧୦ଟି ଡିଗ୍ରୀ କଲେଜକୁ ରାଜ୍ୟ ସରକାର କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହାସହିତ ସମ୍ପୃକ୍ତ କଲେଜଗୁଡ଼ିକର ମାନ୍ୟତାକୁ କାହିଁକି ପ୍ରତ୍ୟାହାର କରାନଯିବ ସେ ନେଇ ଆସନ୍ତା ୨୦ତାରିଖ ସୁଦ୍ଧା ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଜୟନ୍ତ ନାରାୟଣ ଷଡ଼ଙ୍ଗୀ ଆଜି ୧୦ଟି ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କୁ ଏଭଳି କାରଣଦର୍ଶାଅ ନୋଟିସ୍ ଜାରି କରି ସେସବୁ କଲେଜର ମାନ୍ୟତା କାହିଁକି ପ୍ରତ୍ୟାହାର କରାନଯିବ ସେନେଇ ନୋଟିସ୍ ଜାରି କରିଛନ୍ତି। ଏସବୁ କଲେଜର ମୋଟ୍ ପଞ୍ଜିକୃତ ସଂଖ୍ୟାର ୨୫% ସିଟ୍ ମଧ୍ୟ ପୂରଣ ହେଉନାହିଁ। ଗତ ୩ବର୍ଷ ଧରି ଏହି କଲେଜଗୁଡ଼ିକର ବହୁସଂଖ୍ୟକ ସିଟ୍ ଖାଲି ପଡ଼ୁଥିବାରୁ ରାଜ୍ୟ ସରକାର ସେହି କଲେଜଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେସବୁକୁ ବନ୍ଦ କରିବା ନିମନ୍ତେ ଯୋଜନା କରୁଛନ୍ତି।

ନୋଟିସ୍ ଜାରି ହୋଇଥିବା କଲେଜ ଭିତରେ ଖୋର୍ଦ୍ଧା ଜିଲ୍ଲାର ୨ଟି କଲେଜ ଯଥା- ଜ୍ଞାନଭାରତୀ ଡିଗ୍ରୀ କଲେଜ,ମଞ୍ଚେଶ୍ୱର ଓ ଗୌରବ କଲେଜ ଅଫ କର୍ମସ,ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ପଳାଶୁଣୀ ଥିବାବେଳେ ଯାଜପୁରର କମାଗଡ଼ସ୍ଥିତ ଆପେକ୍ସ ରେସିଡେନ୍ସିଆଲ ଡିଗ୍ରୀ କଲେଜ, କେନ୍ଦ୍ରାପଡ଼ାର ୨ଟି କଲେଜ ଯଥା- କ୍ଷେତ୍ରପାଳ ସଂସ୍କୃତ(ଡିଗ୍ରୀ) କଲେଜ ଓ ଶ୍ରୀରାମ ସଂସ୍କୃତ(ଡିଗ୍ରୀ) କଲେଜ, କେନ୍ଦୁଝରର ଯୋଡ଼ାସ୍ଥିତ ବୃହସ୍ପତି ଡିଗ୍ରୀ କଲେଜ, ମୟୂରଭଞ୍ଜର କାଳିଚନ୍ଦପୁରସ୍ଥିତ ବ୍ରିଲିଆନ୍ସ ଯୁକ୍ତ ୩ ସାଇନ୍ସ କଲେଜ, ସମ୍ବଲପୁରର ଅଙ୍ଗୁଳିଆପଡ଼ାସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଆଡଭାନ୍ସ ଷ୍ଟଡିଜ୍ ଇନ୍ କର୍ମସ, ସୋନପୁରର ଧୁବମୁଣ୍ଡାସ୍ଥିତ ସୁକାନ୍ତି ଡିଗ୍ରୀ କଲେଜ ଓ ସୁନ୍ଦରଗଡ଼ର ଡେଙ୍ଗିଭାଡ଼ିସ୍ଥିତ ଭେନସ ଡିଗ୍ରୀ କଲେଜ ସାମିଲ ରହିଛି।