୧୦ ଜଣଙ୍କ ମୃତ୍ୟୁ ଘଟଣା, ଗିରଫ ହେଲା ବସ ଡ୍ରାଇଭର

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର ରାଜ୍ୟ

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ ମେଣ୍ଢାରାଜପୁର ଡଙ୍କଲପାଡୁ ଗ୍ରାମ୍ୟ ରାସ୍ତାରେ ୧୧କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ପ୍ରାଣହାନି ଘଟଣାରେ ବସ ଡ୍ରାଇଭରକୁ ଗିରଫ କରାଯାଇଛି | ବସ ଡ୍ରାଇଭରର ନାମ ଗୋଲକ ବିହାରୀ ନାୟକ ହୋଇଥିବାବେଳେ ସେ ହିଁ ସୀଲକ ସିଟି ବସ ଚଳାଉଥିବାର ଜଣାପଡିଛି | ଗୋଳନ୍ଥରା ପୁଲିସ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଏଠାରେ ସୂଚନା ଥାଉ କି ରବିବାର ଅପରାହ୍ଣରେ ନିର୍ବନ୍ଧ ପାଇଁ ବନ୍ଧୁବାନ୍ଧବଙ୍କୁ ନେଇ ସୀଲକ ସିଟି ବସରେ କନ୍ୟାଘରକୁ ଯାଉଥିଲେ ବରପକ୍ଷର ପରିବାର।

 

ଗାଁ ମୁଣ୍ଡ ଛକରେ ଉପରୁ ଓହଳିଥିଲା ମୃତ୍ୟୁ ରୂପି ୧୧କେଭି ବିଦ୍ୟୁତ ତାର। ଏହି ତାର ସଂସ୍ପର୍ଶରେ ଆସି ପୂରା ବସ୍‌ଟିରେ କରେଣ୍ଟ୍‌ ଚାର୍ଜ ହୋଇଯାଇଥିଲା । ଆଉ ବସ୍‌ରେ ବସିଥିବା ୪୩ ଜଣଙ୍କ ଭିତରୁ ୧୦ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବାବେଳେ ୧୮ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

୮ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ସାଉଥ୍‌କୋ ଯନ୍ତ୍ରୀ ଦେବାଶିଷ ନାୟକ, ଉପଖଣ୍ଡସ୍ତରୀୟ ଅଧିକାରୀ ବିଶ୍ବରଂଜନ ମହାପାତ୍ରଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଉପଖଣ୍ଡସ୍ତରୀୟ ଅଧିକାରୀଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିଲେ |