ହିନ୍ଦୁ ମନ୍ଦିର ପରେ ଏବେ ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ପାଇଁ ପ୍ୟାକେଜ୍

ଓଡିଶା ବଡ ଖବର

#ହିନ୍ଦୁ _ମନ୍ଦିର _ପରେ_ ଏବେ_ ସଂଖ୍ୟାଲଘୁ_ ଧର୍ମାନୁଷ୍ଠାନ_ ପାଇଁ _ପ୍ୟାକେଜ୍  ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଞ୍ଚମ ପାଳି ସରକାରରେ ହିନ୍ଦୁ ମନ୍ଦିରଗୁଡ଼ିକର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାବେଳେ ଆଜି ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକ ନିମନ୍ତେ ମଧ୍ୟ ଅନୁରୂପ ପ୍ୟାକେଜ୍ ଘୋଷଣା କରିଛନ୍ତି।

ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର, ଗଞ୍ଜାମର ତାରାତାରିଣୀ, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ପାଇଁ ୧୬କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ୱତନ୍ତ୍ର ସମସ୍ୟା ପାଣ୍ଠି (ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡସ)ରୁ ଏହି ଅର୍ଥ ଯୋଗାଇ ଦିଆଯିବ।

ନିଷ୍ପତ୍ତି ଅନୁସାରେ ସତ୍ୟନଗର ଯୀଶୁ ଖ୍ରୀଷ୍ଟ୍ ଓ ମଦର ମେରୀ ଭୁବନେଶ୍ୱର କ୍ୟାଥଲିକ୍ ଚର୍ଚ୍ଚକୁ ଦୁଇକୋଟି ଟଙ୍କା ଓ ଭୁବନେଶ୍ୱର ୟୁନିଟ-୪ କ୍ୟାପିଟାଲ ମସଜିଦକୁ ୨କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ କଟକ ମିଶନ ରୋଡସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚ ଓ ଦରଘାବଜାର କଦମ-ଇ-ରସୁଲ ମସଜିଦକୁ ଦୁଇକୋଟି ଟଙ୍କା ଲେଖାଏ ଅର୍ଥ ମଞ୍ଜୁର କରିଛନ୍ତି।

ସେହିପରି କେନ୍ଦ୍ରାପଡ଼ାର ଫକୀରାବାଦ ମରକାଜି ମସଜିଦ୍, ଭଦ୍ରକ ପୁରୁଣା ବଜାର ଜାମା ମସଜିଦ୍, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟନ ମସଜିଦ୍ , ସମ୍ବଲପୁର ସେଣ୍ଟ ଯୋଶେଫ କ୍ୟାଥେଡ୍ରାଲ(ରୋମାନ କାଥଲିକ), ବ୍ରହ୍ମପୁରର ଭାପୁର ବଜାର ଜାମିୟା ମସଜିଦ୍, ଗିରିରୋଡ୍ ବ୍ରହ୍ମପୁର ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚା, ରାଉରକେଲା ବିଶପ ମିଶନାରୀ(ରୋମାନ କାଥଲିକ୍ ) ଓ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦକୁ ଏକ କୋଟି ଟଙ୍କା ଲେଖାଏ ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।