ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡିଶା ବଡ ଖବର

#ସ୍ୱାସ୍ଥ୍ୟ_ଅଧିକାରୀ_ଓ_କର୍ମଚାରୀଙ୍କ_ଧନ୍ୟବାଦ_ଜଣାଇଲେ_ମୁଖ୍ୟମନ୍ତ୍ରୀ      ଭୁବନେଶ୍ୱର  : କରୋନା ଭାଇରସ୍ ବା କୋଭିଡ୍ -୧୯ ସଂକ୍ରମଣକୁ ରୋକିବାପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ଧର୍ମାନୁଷ୍ଠାନ ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଶୃଙ୍ଖଳାର ସହ ଅନୁପାଳନ କରିଥିବାରୁ ଧର୍ମାନୁଷ୍ଠାନମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ସେହିପରି ଏହି ସମୟରେ ଅହର୍ନିଶ କାର୍ଯ୍ୟରତ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍ -୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଅସାଧାରଣ ପରିସ୍ଥିତିକୁ ଆଖି ଆଗରେ ରଖି ଯେ କୌଣସି ପରିସ୍ଥିତିରେ ମଧ୍ୟ ୭ ଜଣରୁ ଅଧିକ ଲୋକ ଏକତ୍ର ହେବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଛନ୍ତି । କୋଭିଡ୍-୧୯ ଏବଂ ମୌଳିକ ସେବା ପରିଚାଳନା ସଂପର୍କିତ ବୈଠକ ବ୍ୟତୀତ ସରକାରୀ ଦପ୍ତରଗୁଡ଼ିକରେ ଅନ୍ୟକୌଣସି ସଭା ବା ବୈଠକ କରାଯାଇ ପାରିବ ନାହିଁ । ଜରୁରୀ ବୈଠକରେ ପରସ୍ପରଠାରୁ ୨ ମିଟର ଦୂରତା ଅନୁପାଳନକୁ କଡ଼ାକଡ଼ି କରାଯାଇଛି । ସମ୍ଭବ ହେଲେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବ । ସମସ୍ତ ସରକାରୀ ଉତ୍ସବ, ସ୍ମୃତି ଦିବସ ସମେତ ପ୍ରତିମୂର୍ତି ମାଲ୍ୟାର୍ପଣ ଆଦିକୁ ସ୍ଥଗିତ ରଖାଯାଇଛି ।

ସଂପ୍ରତି ସାରା ବିଶ୍ୱରେ କୋଭିଡ୍-୧୯ ଏକ ମହାମାରୀ ରୂପ ଧାରଣ କରିଥିବା ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଭଳି ଜରୁରୀ କଠିନ ପରିସ୍ଥିତିରେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ସହ ଆସନ୍ତା ରବିବାର ମାର୍ଚ୍ଚ ୨୨ ତାରିଖ ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ “ଜନତା କର୍ଫ୍ୟୁର ଆହ୍ୱାନ ଦେଇ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିଛନ୍ତି ।
ଏହା ବ୍ୟତୀତ ସମସ୍ତ ଏସ୍.ଟି/ଏସ୍.ସି ଛାତ୍ରାବାସଗୁଡ଼ିକ ମାର୍ଚ୍ଚ ୨୫ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ୩ ମାସର ପ୍ରି-ମାଟ୍ରିକ୍ ସ୍କଲାରସିପ୍ ଆଗୁଆ ପ୍ରଦାନ କରାଯିବ । ବାଳିକା ଅନ୍ତେବାସୀମାନଙ୍କୁ ୨୪୦୦ ଟଙ୍କା ଏବଂ ବାଳକ ଅନ୍ତେବାସୀମାନଙ୍କୁ ୨୨୫୦ ଟଙ୍କା ବିଦ୍ୟାଳୟରେ ଦିଆଯିବ ଏବଂ ସେମାନଙ୍କର ପିତାମାତା/ଅଭିଭାବକଙ୍କର ସ୍ୱାକ୍ଷର ନିଆଯିବ ବୋଲି ସେ କହିଛନ୍ତି ।