ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଭର୍ଚୁଆଲ୍ ରାଲିକୁ ସମାଜବାଦୀ ପାର୍ଟିର ସମାଲୋଚନା

ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଭର୍ଚୁଆଲ୍ ରାଲିକୁ ସମାଜବାଦୀ ପାର୍ଟିର ସମାଲୋଚନା

ଓଡିଶା ବଡ ଖବର

#ସ୍ୱରାଷ୍ଟ୍ର_ମନ୍ତ୍ରୀଙ୍କ_ଭର୍ଚୁଆଲ୍_ରାଲିକୁ_ସମାଜବାଦୀ_ପାର୍ଟିର_ସମାଲୋଚନା              ଭୁବନେଶ୍ୱର :   ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ୍ ଶାହା ଏକ ଭର୍ଚୁଆଲ୍ ରାଲି ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେଇ ଓଡ଼ିଶା ପ୍ରତି ବିଜେପିର ଅବଦାନ ସମ୍ପର୍କରେ ତଥ୍ୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଛନ୍ତି । ବିଜେପି ଶାସନ କାଳରେ ଓଡ଼ିଶା ୫ଲକ୍ଷ ୫୨ ହଜାର ୧୦୯ କୋଟି ଟଙ୍କା ପାଇଛି ବୋଲି ଶ୍ରୀ ଶାହା କହିଛନ୍ତି । ଓଡ଼ିଶାର ଚାଷୀକୂଳର ବିକାଶ ପାଇଁ ବିଜେପି ନେତୃତ୍ୱ ପ୍ରତିଶ୍ରୁତିବଦ୍ଧ ଏବଂ ସେଥିପାଇଁ ଧାନର ଏମ୍.ଏସ୍.ପି. ବଢାଯାଇ କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କୁ ସର୍ବାଧିକ ଲାଭ ଦେବେ ବୋଲି ଶ୍ରୀ ଶାହା ପ୍ରକାଶ କରିଛନ୍ତି ।

ଏଠାରେ ଉଲ୍ଲେଖଥାଉକି, ଗତବର୍ଷ ଧାନ କ୍ୱିଂଟାଲ୍ ପିଛା ଦର ୧୮୧୫ ଟଙ୍କା ଥିଲା, ଯାହାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜୁନ୍ ମାସ ୧ ତାରିଖ ଦିନ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକି ଧର୍ମକୁ ଆଖିଠାର ବୋଲି କହି ସମାଜବାଦୀ ପାର୍ଟି ପୂର୍ବରୁ ସମାଲୋଚନା କରିଆସିଅଛି । କ୍ୱିଂଟାଲ୍ ପିଛା ୫୩ ଟଙ୍କା ବୃଦ୍ଧି କେବେହେଲେ ଚାଷୀଙ୍କ ପାଇଁ ଲାଭଦାୟକ ନୁହେଁ । ବିଜେପି ଦଳ କ୍ଷମତାକୁ ଆସିବା ପୂର୍ବରୁ ଚାଷୀଙ୍କୁ ଉତ୍ପାଦିତ ଖର୍ଚ୍ଚର ଦେଢଗୁଣା ଏମ୍.ଏସ୍.ପି. ଦେବ ଓ ଚାଷୀର ଆୟକୁ ଦ୍ୱିଗୁଣିତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଓଡ଼ିଶା ବିଧାନସଭାର ଏକ ସର୍ବସମ୍ମତ ପ୍ରସ୍ତାବକ୍ରମେ ଧାନ କ୍ୱିଂଟାଲ୍ ପିଛା ୨୯୩୦ଟଙ୍କା କରିବାକୁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ହୋଇଆସିଛି । ସେଥିପାଇଁ ବିଜେଡ଼ି, କଂଗ୍ରେସ ଓ ବିଜେପି ଦଳର ବିଧାୟକମାନଙ୍କୁ ନେଇ ଏକ ସର୍ବଦଳୀୟ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ବାସ୍ତବ ରୂପ ନେଇପାରିନାହିଁ । ଏହାହିଁ ହେଉଛି ଓଡ଼ିଶାର ଚାଷୀମାନଙ୍କ ପ୍ରତି ବିଜେପିର ଅବଦାନ ।

ସେହିଭଳି ଦେଶସାରା ଲକ୍ଡାଉନ୍ ଥିଲାବେଳେ ଓଡ଼ିଶାର ଚାଷୀମାନଙ୍କ ସମେତ ଭାରତ ବର୍ଷର ଦୁଗ୍ଧଚାଷୀମାନେ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି । କେନ୍ଦ୍ର ସରକାର ଘୋଷଣା କରିଥିବା ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ପ୍ୟାକେଜ୍ରେ କ୍ଷତିଗ୍ରସ୍ତ ଦୁଗ୍ଧଚାଷୀମାନଙ୍କ ପାଇଁ ଟଙ୍କାଟିଏ ନାହିଁ କିମ୍ବା ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୨୦ ଲକ୍ଷ କୋଟି ଟଙ୍କା ‘ଆତ୍ମନିର୍ଭର ଭାରତ’ ଯୋଜନାରେ ଋଣକୁ ଛାଡ଼ିଦେଲେ ଦୁଗ୍ଧଚାଷୀଙ୍କ ପାଇଁ ଟଙ୍କାଟିଏ ଅନୁଦାନ ଦିଆଯାଇନାହିଁ । ତେଣୁ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ବନ୍ଦ କରୁ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ ବିଜେପିକୁ ସମାଲୋଚନା କରିଛନ୍ତି । ଶ୍ରୀ ବେହେରା ଆହୁରି କହିଛନ୍ତି ଯେ, ବିଜେପି ସରକାର ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକା ଉପରେ ନୀତି ପ୍ରଣୟନ କରିଛି, ଏହା ଚାଷୀଙ୍କ ଅପେକ୍ଷା ବଡ଼ ବେପାରୀ ଓ କର୍ପୋରେଟ୍ ବେପାରୀଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ । ଭବିଷ୍ୟତରେ ଆଳୁ, ପିଆଜ, ଖାଇବା ତେଲ ପ୍ରଭୃତିର ଅହେତୁକ ଦର ବୃଦ୍ଧି ହେବ ଏବଂ ସାଧାରଣ ଖାଉଟି କ୍ଷତିଗ୍ରସ୍ତ ହେବେ । ଏହାଦ୍ୱାରା କେବେହେଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ କିମ୍ବା ଭାଗଚାଷୀମାନେ ଲାଭ ପାଇବେ ନାହିଁ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି । ତେଣୁ ଚାଷୀଙ୍କ ପ୍ରତିନିଧିତ୍ୱ କରୁଛି ବୋଲି ମିଥ୍ୟା ପ୍ରଚାରରୁ ବିଜେପି କ୍ଷାନ୍ତ ରହୁ ବୋଲି ଶ୍ରୀ ବେହେରା ବିଜେପିକୁ କଟାକ୍ଷ କରିଛନ୍ତି ।