ସାଢେ ପାଞ୍ଚ ଘଣ୍ଟା ବିଳମ୍ବରେ ଭବାନୀପାଟଣାରେ ପହଞ୍ଚିଲା ଶ୍ରମିକ ସ୍ଵତନ୍ତ୍ର ଟ୍ରେନ

ସାଢେ ପାଞ୍ଚ ଘଣ୍ଟା ବିଳମ୍ବରେ ଭବାନୀପାଟଣାରେ ପହଞ୍ଚିଲା ଶ୍ରମିକ ସ୍ଵତନ୍ତ୍ର ଟ୍ରେନ

ଓଡିଶା କଳାହାଣ୍ଡି ଜିଲ୍ଲା
#ସାଢେ_ପାଞ୍ଚ_ଘଣ୍ଟା_ବିଳମ୍ବରେ_ପହଞ୍ଚିଲା_ଶ୍ରମିକ_ସ୍ଵତନ୍ତ୍ର_ଟ୍ରେନ      ଭବାନୀପାଟଣା: ( ରଜନୀ କାନ୍ତ ମୁନି )  ରାତି ୧୦ଟାରେ ରାଜକୋଟ ଠାରୁ ଆସିଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଭବାନୀପାଟଣା ରେଳ ଷ୍ଟେସନରେ  ସାଢ଼େ ପାଞ୍ଚ ଘଣ୍ଟା ବିଳମ୍ବ ରେ ପହଞ୍ଚିଥିଲା । ଏହି ଟ୍ରେନ ଯୋଗେ ୧୦ ଟି ଜିଲ୍ଲାର ୧୬୨୪ ଜଣ  ଓ କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୧୦୭୭ ଜଣ ପ୍ରବାସୀ ଆସି ପହଞ୍ଚିଥିଲେ । ସେମାନଙ୍କ ନିମନ୍ତେ ଭବାନୀପାଟଣା ରେଳ ଷ୍ଟେସନ ଠାରେ ୨୦ ଟି କାଉଣ୍ଟର ଖୋଲା ଯାଇଥିଲା । ପ୍ରବାସୀମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଓ ପାଣି ବୋତଲ ବ୍ୟବସ୍ଥା କରାଯାଇଥିଲା ।ପ୍ରବାସୀମାନଙ୍କ ପଞ୍ଜିକରଣ ପରେ କଳାହାଣ୍ଡି ଜିଲ୍ଲାର ପ୍ରବାସୀ ମାନଙ୍କୁ ୬୬ ଟି ବସ ଯୋଗେ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସଙ୍ଗରୋଧ କେନ୍ଦ୍ରରେ ନେଇ ଛଡା ଯାଇଥିଲା । ରେଳ ଷ୍ଟେସନଠାରେ କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଳି ପରାଗ ହର୍ଷଦ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ପିଡ଼ି ଡିଆରଡିଏ ପ୍ରଭାତ କୁମାର ମହାପାତ୍ର, ଭବାନୀପାଟଣା ଉପଜିଲ୍ଲାପାଳ ସୁଶାନ୍ତ ସିଂ ଉପସ୍ଥିତ ରହି ତଦାରଖ କରିଥିଲେ । ୧୦୦ରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀ ନିୟୋଜିତ ଥିଲେ । ପ୍ରବାସୀ ମାନେ ଯିବା ପରେ ସାନିଟାଇଜ କରିବା ପାଇଁ ମ୍ୟୁନିସିପାଲଟିକୁ ସଜାଗ ରଖା ଯାଇଛି ।
କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନେତୃତ୍ବରେ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଗତକାଲି ଗୁଜୁରାଟର ରାଜକୋଟ ସିଟି ଠାରୁ ଟ୍ରେନ ନଂ ୦୯୨୭୭ ଶ୍ରମିକ ଏକ୍ସପ୍ରେସ ଗତ ୧୮ ତାରିଖ ସକାଳ ୧ଟା ୯ ମିନିଟ ରେ ଦଶଟି ଜିଲ୍ଲାର ୧୬୨୬ ଜଣ ଶ୍ରମିକ ଙ୍କୁ ଧରି ବାହାରିଥିଲା । ଏଥିପାଇଁ ଭବାନୀପାଟଣା ଉପଜିଲ୍ଲାପାଳ ସୁଶାନ୍ତ କୁମାର ସିଂହ  ସକାଳ ୧୨ ଟାରୁ ୨୦ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବା ନିମନ୍ତେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧୪୪ ଧାରା ଜାରି  ବଳବତ୍ତର ରହିଛି ।ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭବାନୀପାଟଣା ରେଳ ଷ୍ଟେସନ ର ୫୦୦  ମିଟର ପରିଧି, ରେଳ ଷ୍ଟେସନ ଠାରୁ ଭଙ୍ଗାବାରୀ ଓ ଭାୟା ଓୟୁଏଟି କଲେଜ, ରେଳଷ୍ଟେସନ ଠାରୁ ପରମାନନ୍ଦ ପୁର ଠାରେ ଥିବା କେସିଙ୍ଗା  ରାସ୍ତା ଲେବେଲ କ୍ରସିଂ, ରେଳ ଷ୍ଟେସନ ଠାରୁ ମେଦିନିପୁର ଛକ, ରେଳଷ୍ଟେସନ ଠାରୁ ଆମ୍ବେଦକର ଛକ ଯାଏଁ  ଏହି ଧାରା ଲାଗୁ ହୋଇଛି । ସେହିଭଳି ଭବାନୀପାଟଣା ଟାଉନ ଥାନା ର ସମସ୍ତ ସହର ଏବଂ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରିରହିଛି ।  ଆଜି ଟ୍ରେନରେ ସମୁଦାୟ ୧୫୪୩ ଜଣ ପୁରୁଷ ଓ ମହିଳା ଦାଦନ ଶ୍ରମିକ ଓ ୮୧ଜଣ ଶିଶୁ ସମେତ ୧୬୨୪ ଜଣ ଆସିଥିଲେ ।
 ଏହି ଟ୍ରେନ ରେ ଅନୁଗୁଳ ଜିଲ୍ଲାର ୬୯ ଜଣ, ଭଦ୍ରକ ଜିଲ୍ଲାର ୪୭ ଜଣ, ବୌଦ୍ଧ ର ୨ ଜଣ, ଢେଙ୍କାନାଳ ଜିଲ୍ଲାର ୯ ଜଣ, ଗଂଜାମ ଜିଲ୍ଲାର ୯୯ ଜଣ, ଯାଜପୁର ଜିଲ୍ଲାର ୯୫ ଜଣ, କେନ୍ଦ୍ରାପଡା ଜିଲ୍ଲାର ୪୯ଜଣ, କଟକ ଜିଲ୍ଲାର ୮୩ ଜଣ, ମୟୁରଭଞ୍ଜ ଜିଲ୍ଲାର ୧୩ ଜଣ  ପ୍ରବାସୀ  ଆସିଥିଲେ । ସେମାନଙ୍କୁ ନିଜ ନିଜ ଜିଲ୍ଲାର ପ୍ରଶାସନ ପକ୍ଷରୁ ବସ ଯୋଗେ ନେବା ପାଇଁ ବନ୍ଦୋବସ୍ତ କରିଥିଲେ ।