ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଦୈନିକ ପରୀକ୍ଷଣ ହେବ୧୫ ହଜାର ନମୂନା, ଏଣିକି ଟ୍ରେନ୍ ରେ ଫେରିବେ ପ୍ରବାସୀ ଓଡିଆ

ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଦୈନିକ ପରୀକ୍ଷଣ ହେବ୧୫ ହଜାର ନମୂନା, ଏଣିକି ଟ୍ରେନ୍ ରେ ଫେରିବେ ପ୍ରବାସୀ ଓଡିଆ

ଓଡିଶା ବଡ ଖବର

#ଦୈନିକ_ପରୀକ୍ଷଣ_ହେବ_୧୫_ହଜାର_ନମୂନା           ଭୁବନେଶ୍ୱର  : କୋଭିଡ୍ ମୁକାବିଲା ପାଇଁ ରାଜ୍ୟରେ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସୁରତରୁ ପ୍ରବାସୀ ଓଡିଆଙ୍କୁ କେବଳ ଟ୍ରେନ୍ ଯୋଗେ ଫେରିବାକୁ ସରକାର ଅନୁମତି ଦେବେ । ଏହା ବ୍ୟତିତ ଗ୍ରୀନ୍ ଜୋନ୍ ରେ କୃଷି କାର୍ଯ୍ୟ , ଶିଳ୍ପ , ଜୀବନଜୀବିକା ଓ ପରିବହନ ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମଙ୍ଗଳବାର  ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଓ ତତଜନିତ ପରିସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ । ଏଥିରେ ମୁଖ୍ୟତଃ ବାହାରୁ ଆସୁଥିବା ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା , ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର , ପରୀକ୍ଷଣ , କୋଭିଡ୍ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ , ଫସଲ ପରିସ୍ଥିତି , ଶ୍ରମଭିତିକ କାର୍ଯ୍ୟ , ଆଇନ୍ ଶୃଙ୍ଖଳା ଏବଂ ଶିଳ୍ପ କ୍ଷେତ୍ରରେ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ପରିସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦୈନିକ କରୋନା ନମୂନା ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସୁରତରୁ ଓଡିଶାକୁ ଦୀର୍ଘ ପଥ ବସ୍ ରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା , ଅଂଶୁଘାତ , ଦୁର୍ଘଟଣା ଭଳି ସମସ୍ୟା ଦେଖାଦେବା ସହ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସୁରତରୁ କେବଳ ଟ୍ରେନ୍ ଯୋଗେ ଫେରିବାକୁ ଅନୁମତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହା ବ୍ୟତୀତ ଗ୍ରୀନ୍ ଜୋନ୍ ର କୃଷି କାର୍ଯ୍ୟ , ଶିଳ୍ପ , ଜୀବନଜୀବିକା ଓ ପରିବହନ ବ୍ୟବସ୍ଥା ସ୍ୱାଭାବିକ କରାଯିବ । ଶିଳ୍ପ ସଂସ୍ଥା ଗୁଡିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ । ଚାଷୀ ଓ ସ୍ୱଂୟ ସହାୟକ ଗୋଷ୍ଠୀ ମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ । ମିଶନ ଶକ୍ତିର ମା ମାନେ ଏକ କୋଟିରୁ ଅଧିକ ମିଲ୍ ଯୋଗାଈ ସାରିଲେଣି । ତେଣୁ ସେମାନଙ୍କୁ ପ୍ରତି ମିଲ୍ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କରିଲିଫ୍ ପାଣ୍ଠିରୁ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗଂଜାମ , କେନ୍ଦ୍ରାପଡା , ଭଦ୍ରକ , ବଲାଙ୍ଗୀର , ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲା ଯେଉଁଠାରେ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଆଗାମୀ ଖରିଫ୍ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ଚାଷୀମାନେ ସୁବିଧାରେ ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଦୈନିକ ୩୫୦୦ କରୋନା ନମୂନା ଟେଷ୍ଟିଂ କରାଯାଉଛି । ଆଗାମୀ ଦିନରେ ବାରିପଦା , ବାଲେଶ୍ୱର , କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟିଂ ସୁବିଧା କରାଯିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬ ହଜାର ଟେଷ୍ଟିଂହୋଇଥିବା ବେଳେ ଏଥିମଧ୍ୟରୁ ୧୭୦ଟି ପଜିଟିଭ୍ ଆସିଛି । ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୮୩ ଟି ଟେଷ୍ଟିଂ ହେଉଥିବା ବେଳେ ଓଡିଶାର ପ୍ରତି ୧୦ ଲକ୍ଷରେ ଏକ ହଜାର ଟେଷ୍ଟିଂ କରାଯାଉଛି ।
ରାଜ୍ୟରେ କରୋକା ସଂକ୍ରମଣ ସ୍ଥିତି ଅପେକ୍ଷାକୃତ ଭଲ ଥିବାରୁ ଏବଂ ଏଦିଗରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହିତ ଉତ୍ସର୍ଗୀକୃତ ଭାବେ କାମ କରୁଥିବା ପ୍ରଶାସନ , ପୋଲିସ୍ , ଶିକ୍ଷକ , ପଂଚାୟତିରାଜ ବିଭାଗ , ନଗର ଉନ୍ନୟନ ବିଭାଗ ଓ ପୌର ସଂସ୍ଥାର କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ବର୍ତମାନ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାରେ ଆତ୍ମସନ୍ତୋଷ ଲାଭ ନକରି ଆଗାମର ଦିନର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିବାକୁ ମଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଆଗାମୀ ଦିନରେ ବିଦେଶରୁ ଫେରିବାକୁ ଥିବା ଓଡିଆଙ୍କ ପାଇଁ ରେଜିଷ୍ଟ୍ରେସନ୍ , ଟେଷ୍ଟିଂ ଓ ସଂଗରୋଧ ବାଧ୍ୟତାମୂଳକ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୧୬ଟି ଜିଲ୍ଲାରେ କରୋନା ସଂକ୍ରମଣ ରହିଛି । ସେଥିପାଇଁ ୬୨ଟି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ରୂପେ ଘୋଷଣା କରାଯାଇଥିଲା । ସେଥିମଧ୍ୟରୁ ବର୍ତ୍ତମାନ ୪୭ ଟି ସକ୍ରିୟ ଜୋନ୍ ରହିଛି । ସଂକ୍ରମିତ ଅଞ୍ଚଳରୁ ସଂଗୃହୀତ ୬,୩୭୬ଟି ନମୂନା ମଧ୍ୟରୁ ୧୩୬ଟି ପଜିଟିଭ ବାହାରିଥିଲା ଯାହାକି ମୋଟ୍ ପଜିଟିଭ୍ ସଂଖ୍ୟାର ୮୩ % ।

ସେହିପରି କୃଷିକ୍ଷେତ୍ର ପାଇଁ ଶ୍ରମିକ ସମସ୍ୟା ନାହିଁ । ଚଳିତ ବର୍ଷ ମନରେଗାରେ ଏକ ଲକ୍ଷ ଚାଷ ପୋଖରୀ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବୈଠକରେ ସୂଚନା .ଦିଆଯାଇଥିଲା । ଶିଳ୍ପ ଏବଂ ଏମଏସଏମଇ ଶିଳ୍ପ ମାନଙ୍କ ସମସ୍ୟା ସମ୍ପର୍କରେ ସରକାର ଚ୍ୟାମ୍ବର ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ ଆଣ୍ଡ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଏବଂ ବ୍ୟାଙ୍କ୍ ମାନଙ୍କ ସହ ଖାବ୍ ଶୀଘ୍ର ଆଲୋଚନା କରିବେ । ଏହାସହିତ ଜାପାନ , କୋରିଆ ଏବଂ ଆମେରିକାରୁ ଯେପରି ଅଧିକ ପୁଂଜି ରାଜ୍ୟକୁ ଆସିପାରିବ ସେଥିପାଇଁ କଥାବାର୍ତା ଆରମ୍ଭ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଠା , ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।