ଏଣିକି କାମ ଲାଗି ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସବୁ ସୁବିଧା ଅନଲାଇନରେ ଉପଲବ୍ଧ ହେବ

ଓଡିଶା ବଡ ଖବର

#ସବୁ_ସୁବିଧା_ଅନଲାଇନରେ_ଉପଲବ୍ଧ_ହେବ  ଭୁବନେଶ୍ୱର: ଏଣିକି ଲୋକଙ୍କୁ କାମ ଲାଗି ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସବୁ ସୁବିଧା ଅନଲାଇନରେ ଉପଲବ୍ଧ ହେବ । ଲୋକେ ଘରେ ବସି ସବୁ ସୁବିଧା ପାଇବେ। ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଳୋଚନା ସମୟରେ  ବିବୃତି ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି,  ‘ଏଣିକି ରାଜ୍ୟ ସରକାରଙ୍କ ସବୁ ବିଭାଗ ‘ମୋ ସରକାର’ ଅଧିନରେ ରହିବ। ଘରେ ବସି ଲୋକେ ସବୁ ସୁବିଧା ଅନ୍‌ଲାଇନ୍‌ରେ ପାଇ ପାରିବେ। ନିଜର କାଗଜପତ୍ର କାମ ଲାଗି ସେମାନଙ୍କୁ ବାରମ୍ବାର ସରକାରୀ ଅଫିସକୁ ଧାଇଁବାକୁ ପଡ଼ିବ ନାହିଁ। ଆସନ୍ତା ମାର୍ଚ୍ଚ ୫ସୁଦ୍ଧା ସବୁ ବିଭାଗ ‘ମୋ ସରକାର’ ଅଧିନକୁ ଆସି ଏବଂ ଅଗଷ୍ଟ ୧୫ ତାରିଖ ସୁଦ୍ଧା ସବୁ ସରକାର କାରବାର ଅନ୍‌ଲାଇନ୍‌ରେ ହେବ।’

ଘୋଷଣା ଅନୁସାରେ, ଅନଲାଇନ ସର୍ଭିସ୍ ଅବା କମନ୍ ସର୍ଭିସ ସେଂଟର କିମ୍ବା ଡୋର୍ ଡେଲିଭରି ଜରିଆରେ ଲୋକଙ୍କୁ ସରକାରୀ ବ୍ୟବସ୍ଥାର ସୁଫଳ ମିଳିପାରିବ । ସେହିଭଳି ଏପ୍ରିଲ ୧ରୁ ବ୍ୟାଙ୍କ ଜରିଆରେ ସମସ୍ତ ଭତ୍ତା ପ୍ରଦାନ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତା ମାର୍ଚ୍ଚ ୫ ସୁଦ୍ଧା ସମସ୍ତ ସରକାରୀ ବିଭାଗକୁ ମୋ ସରକାର ଅଧୀନକୁ ଆଣିବାକୁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି । ଫାଇଭ୍-ଟି ଆଧାରରେ ନୂଆ ତରିକାରେ ହେବ ରାଜ୍ୟର ପ୍ରଶାସନିକ କାମ । ଫଳରେ ସରକାରୀ କାର୍ଯ୍ୟ ପାଇଁ ଲାଇନ ଲଗାଉଥିବା ଲୋକଙ୍କୁ ଏଥିରୁ ମୁକ୍ତି ମିଳିବ ବୋଲି ଅନୁମାନ କରାଯାଉଛି ।

ଏଥିସହ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି, ଲୋକକେନ୍ଦ୍ରିକ ପ୍ରଶାସନ ହେଉଛି ଗଣତନ୍ତ୍ରର ମୂଳମନ୍ତ୍ର। ତେଣୁ ଲୋକଙ୍କ ସୁବିଧା ଯୋଗାଇଦେବା ହିଁ ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ। ଏକଦା ଓଡ଼ିଶା ଦାରିଦ୍ର୍ୟ ଲାଗି ପରିଚିତ ହେଉଥିଲା। କିନ୍ତୁ ବର୍ତ୍ତମାନ  ଦାରିଦ୍ର୍ୟ ଦୂରୀକରଣରେ ଆମେ ବିଶ୍ବସ୍ତରୀୟ ସଫଳତା ହାସଲ କରିଛୁ। ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ କରିବା ଆମର ଲକ୍ଷ୍ୟ। ଏବେ ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି।