ସଟ୍ ଡାଉନ୍ ବେଳେ ବି ଚାଲିବ ବସ୍

ସଟ୍ ଡାଉନ୍ ବେଳେ ବି ଚାଲିବ ବସ୍

ଓଡିଶା ବଡ ଖବର

#ସଟଡାଉନ୍_ବେଳେବି_ଚାଲିବ_ବସ୍     ଭୁବନେଶ୍ୱର   : ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ଶନିବାର ଓ ରବିବାର ସଟ୍ ଡାଉନ୍ ଘୋଷଣା କରାଯାଇଛି । ତେବେ ସଟ୍ ଡାଉନ୍ ସମୟରେ ସମ୍ପୃକ୍ତ ଜିଲ୍ଲାରେ ବସ୍ ଯାତାୟତ କରି ପାରିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) ପକ୍ଷରୁ କୁହାଯାଇଛି । ବସ୍ ରେ କେବଳ ସେହି ଯାତ୍ରୀ ଯାତାୟାତ କରି ପାରିବେ ଯେଉଁମାନଙ୍କ ପାଖରେ ରେଳ ଓ ବିମାନରେ ଯିବାର ବା ଫେରିଥିବାର ଟିକେଟ ରହିଥିବ । ଯାତ୍ରୀମାନଙ୍କର ଯାତାୟତର ସୁବିଧା ପାଇଁ ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଓ ବିମାନବନ୍ଦରକୁ ଘରୋଇ ଯାନ ଏବଂ ଟ୍ୟାକ୍ସି ଯିବା ଆସିବା କରିପାରିବ ।
ଶନିବାର ଓ ରବିବାର ସଟଡାଉନ୍ ସମୟରେ ଅଟୋ ଏବଂ ଟ୍ୟାକ୍ସି ସେବା ମଧ୍ୟ ଜାରି ରହିବ । ଅଟୋ ଓ ଟ୍ୟାକ୍ସିରେ ଯାତ୍ରୀ ସାଧାରଣ ଯାତ୍ରା କରି ପାରିବେ ନାହିଁ । କେବଳ ବିମାନ ଓ ରେଳରେ ଫେରୁଥିବା ଯାତ୍ରୀଙ୍କ ପାଇଁ ଅଟୋ ଓ ଟ୍ୟାକ୍ସି ସେବା ଉପଲବ୍ଧ ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଏହି ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବସ ଚଳାଚଳ ଅବ୍ୟାହତ ରହିବ ବୋଲି ଟୁଇଟ୍ କରି ଜଣାଯାଇଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଜୁନ୍ ମାସଟି କରୋନା ମହାମାରୀକୁ ରୋକିବା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ସରକାର ଅଧିକ ଆକ୍ରାନ୍ତ ଥିବା ୧୧ ଟି ଜିଲ୍ଲାରେ ସପ୍ତିାହକୁ ୨ ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର ଆଦି ଜିଲ୍ଲାରେ ସପ୍ତାହର ଶନିବାର ଓ ରବିବାର ସଟ୍ ଡାଉନ୍ ଘୋଷଣା କରାଯାଇଛି । ଜୁନ୍ ମାସ ସାରା ଏହି ନିୟମ ଲାଗୁ ହେବ ।