ଶ୍ରୀ ମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂରତି,ସୁରକ୍ଷା ଦାୟୀତ୍ତ୍ବରେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଶ୍ରୀ ମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂରତି,ସୁରକ୍ଷା ଦାୟୀତ୍ତ୍ବରେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ଶ୍ରୀମନ୍ଦିର_ବାହୁଡ଼ିବେ_ଚତୁର୍ଦ୍ଧାମୂରତି            ପୁରୀ  : ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ନଅ ଦିନ ଧରି ଅବସ୍ଥାନ କରିବା ପରେ  ବୁଧବାର ଶ୍ରୀ ମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତି । ଅନୁଷ୍ଠିତ ହେବ ବାହୁଡ଼ା ଯାତ୍ରା । ସେନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହିତ ଜିଲ୍ଲାରେ ୧୪୪ ଧାରା ଜାରୀ କରାଯାଇଛି । ଏପରିକି କୌଣସି ଯାନବାହନ, ବସ୍, ଟ୍ରେନ୍ ଆଜି ରାତି ୧୦ଟା ଠାରୁ ପୁରୀକୁ ଆସିବ ନାହିଁ । ସୁରକ୍ଷା ଦାୟୀତ୍ୱରେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ କରାଯିବ । ୪୦୦ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ବୋଲି ଏଡିଜେ ସୌମେନ୍ଦ୍ର ପ୍ରିୟଦର୍ଶି ସୂଚନା ଦେଇଛନ୍ତି ।
ସେହିପରି ପୁରୀ ବଡ଼ଦାଣ୍ଡକୁ ସଂଯୁକ୍ତ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ଏଥିସହ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କୌଣସି ଭକ୍ତ ବଡ଼ଦାଣ୍ଡକୁ ପ୍ରବେଶ ନକରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ. ଉମାଶଙ୍କର ଦାଶ ସମସ୍ତଙ୍କୁ ନିବେଦନ କରିଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରା କିପରି ସୁଚାରୂ ରୂପେ ଅନୁଷ୍ଠିତ ହେବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି ।
ଆଜି ନବମୀ ରାତିରେ ବଡ଼ସିଂହାର ବେଶ ଓ ପହୁଡ଼ ଆଳତୀ ପରେ କୋଠ ସୁଆଁସିଆ ମାନେ ଜନ୍ମବେଦିରେ ଚାରମାଳ ବାନ୍ଧିବେ । ବାହୁଡ଼ା ଦିନ ସକାଳୁ ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ସକାଳ ଧୂପ ଅନୁଷ୍ଠିତ ହେବ । ସକାଳ ଧୂପରେ ଖେଚୁଡ଼ି ଅନ୍ନ ଲାଗି କରାଯିବ । ବିଜେ କାହାଳୀ ବାଜିବା ପରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଧାଡି ପହଣ୍ଡିରେ ପ୍ରଥମେ ପ୍ରଭୁ ବଳଭଦ୍ର, ପରେ ପରେ ମା ସୁଭଦ୍ରା ଏବଂ ଶେଷରେ ଶ୍ରୀ ଜଗନ୍ନାଥ ରଥାରୁଢ଼ ହେବେ । ଚତୁର୍ଦ୍ଧାମୂର୍ତି ତିନି ରଥରେ ବିଜେ କରିବା ପରେ ନନ୍ଦିଘୋଷ ରଥକୁ ମଦନମୋହନ, ତାଳଧ୍ୱଜ ରଥକୁ ରାମକୃଷ୍ଣଙ୍କ ଚଳନ୍ତି ପ୍ରତିମା ବିଜେ କରିବେ । ଶ୍ରୀଜୀଉମାନେ ରଥାରୁଢ଼ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଜପତି ମହାରାଜଙ୍କୁ ଖବର ଦିଆଯିବା ସହ ଛେରାପହଁରା ପାଇଁ ତାଙ୍କୁ ଶ୍ରୀନଅରୁ ପାଛୋଟି ଅଣାଯିବ । ତିନି ରଥରେ ଗଜପତି ଛେରାପହଁରା କରିବା ପରେ ରଥରେ ଅଶ୍ୱ ଯୋଚାଯିବ । ପରେ ମହାରଣା ଓ ଭୋଇ ସେବାୟତ ମାନେ ରଥରେ ଦଉଡ଼ିକୁ ବାନ୍ଧିବେ । ଏହାପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ ।