ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଓ ପାରିପାର୍ଶ୍ୱିକ ବିକାଶ ପାଇଁ ୪୩ ଜଣ ୫୧ ପ୍ଲଟ ଦେଲେ

ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଓ ପାରିପାର୍ଶ୍ୱିକ ବିକାଶ ପାଇଁ ୪୩ ଜଣ ୫୧ ପ୍ଲଟ ଦେଲେ

ଓଡିଶା ବଡ ଖବର ମହାନଗର

#ଶ୍ରୀଲିଙ୍ଗରାଜଙ୍କ_ମନ୍ଦିର_ଓ_ପାରିପାର୍ଶ୍ୱିକ_ବିକାଶ_ପାଇଁ_୪୩_ଜଣ_ଜମି_ଦେଲେ   ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଓ ପାରିପାର୍ଶ୍ୱିକ ବିକାଶ ଯୋଜନା ‘ଏକାମ୍ର’ (ଏକାମ୍ର କ୍ଷେତ୍ର ଆମେନିଟିସ୍‌ ଆଣ୍ଡ୍‌ ମନୁମେଣ୍ଟ୍‌ସ ରିଭାଇଭାଲ ଆକ୍ସନ) ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବୁଧବାର ଜମି ଅଧିଗ୍ରହଣ ପାଇଁ ଚୁକ୍ତିନାମାର ପ୍ରୋତ୍ସାହନମୂଳକ ଅବଧି ଶେଷ ହୋଇଛି। ଇତିମଧ୍ୟରେ ୪୩ଜଣ ବ୍ୟକ୍ତି ମୋଟ ୫୧ ପ୍ଲଟ୍‌ ପ୍ରଦାନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମୟ ମଧ୍ୟରେ ଉକ୍ତ ଜମି ମାଲିକମାନେ ଚୁକ୍ତିପତ୍ର ସ୍ବାକ୍ଷରିତ କରିଥିବାରୁ ଜମିର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ୧୦% ଅଧିକ ପ୍ରୋତ୍ସାହନମୂଳକ ରାଶି ପାଇବାକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହ ଅଧିଗ୍ରହଣ ହେବାକୁ ଥିବା ୧୦୦ ଘରୋଇ ପ୍ଲଟ୍‌ର ମାଲିକଙ୍କୁ ଜମି ବେଞ୍ଚମାର୍କ ମୂଲ୍ୟର ଦୁଇଗୁଣା ଅର୍ଥ ସହ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି (ସିଏମ୍‌ଆର୍‌ଏଫ୍‌)ରୁ ୨୦ ଲକ୍ଷର ପ୍ରୋତ୍ସାହନ ଦିଆଯିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି।

ଜମି ଅଧିଗ୍ରହଣ ଚୁକ୍ତିନାମାର ପ୍ରୋତ୍ସାହନମୂଳକ ଅବଧିର ଶେଷଦିନ ବୁଧବାର ବିଏମ୍‌ସି କାର୍ଯ୍ୟାଳୟରେ ଜମି ମାଲିକଙ୍କ ଭିଡ଼ ଲାଗିଥିଲା। ୭ଜଣ ବ୍ୟକ୍ତି ଚୁକ୍ତି କରିଥିବାବେଳେ ମୋଟ ୪୩ଜଣ ୫୧ଟି ପ୍ଲଟ୍‌ ଦେବାକୁ ବିଏମ୍‌ସି ସହ ଚୁକ୍ତିପତ୍ର କାର୍ଯ୍ୟ ସାରିଛନ୍ତି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଚାଲିବ, କିନ୍ତୁ ଆଉ ପ୍ରୋତ୍ସାହନମୂଳକ ରାଶି ୧୦ ପ୍ରତିଶତ ମିଳିବ ନାହିଁ। ଚୁକ୍ତିପତ୍ର କାର୍ଯ୍ୟ ସରିବା ପରେ ମାସକ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ସରିବ। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଜମି ମାଲିକଙ୍କୁ ସମସ୍ତ ଅର୍ଥ ପ୍ରଦାନ କରାଯିବ।
ଜମି ଅଧିଗ୍ରହଣ ପ୍ରକ୍ରିୟା ଦାୟିତ୍ୱରେ ଥିବା ବିଏମ୍‌ସି ଡେପୁଟି କମିଶନର କମଲଜିତ୍‌ ଦାସ କହିଛନ୍ତି, ଅଧିଗ୍ରହଣ ପାଇଁ ଚିହ୍ନଟ ହୋଇଥିବା ୧୦୦ ଘରୋଇ ପ୍ଲଟର ୮୧ଜଣ ମାଲିକଙ୍କୁ ୨୬ ତାରିଖ ପୂର୍ବରୁ ଚୁକ୍ତିସ୍ବାକ୍ଷରିତ କରିବା ପାଇଁ କୁହାଯାଇଥିଲା। ହେଲେ ପାରିବାରିକ ସମସ୍ୟା ଓ ଜମି ବିବାଦ ପାଇଁ ଆଉ ୩୮ଜଣ ଜମି ମାଲିକ ସମୟ ସୀମା ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ କରିପାରୁ ନ ଥିବା ଜଣାଇଛନ୍ତି। ଏକ ନିର୍ଦ୍ଦିଷ୍ଟ ପ୍ୟାକେଜ୍‌ରେ ଗୁରୁବାରଠାରୁ ସେମାନଙ୍କ ସହ ଚୁକ୍ତି କରାଯିବ। ଅଧିଗ୍ରହଣରେ ଯେପରି କୌଣସି ସମସ୍ୟା ନ ଉପୁଜିବ ସେନେଇ ବିଏମ୍‌ସି କର୍ତ୍ତୃପକ୍ଷ ଲଗାତର ଜମି ମାଲିକଙ୍କୁ ସଚେତନ କରାଇଆସୁଛନ୍ତି ଓ ଆଲୋଚନା ଜାରି ରଖିଛନ୍ତି ବୋଲି ଦାସ କହିଛନ୍ତି। ଶେଷ ଦିନରେ ସହକାରୀ ଜିଲାପାଳ ଅଂଶୁମାନ ରଥ, ସମୀର ରଞ୍ଜନ ଦାସ ଓ ଅତିରିକ୍ତ ତହସିଲଦାର ଅଶ୍ୱିନୀ ନାୟକଙ୍କ ସହ ଷ୍ଟାମ୍ପ ଭେଣ୍ଡର ବିଏମ୍‌ସି ମୁଖ୍ୟାଳୟରେ ଉପସ୍ଥିତ ରହି ଚୁକ୍ତିନାମା ପ୍ରକ୍ରିୟାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିଥିଲେ।