ଶେଷରେ ଜଗନ୍ନାଥଙ୍କ ଜୟ ହେଲା : ସିଂହଦ୍ୱାରରେ ଲାଗିଲା ତିନିରଥ, ଆଜି ଗଡିବ ନନ୍ଦିଘୋଷ

ଶେଷରେ ଜଗନ୍ନାଥଙ୍କ ଜୟ ହେଲା : ସିଂହଦ୍ୱାରରେ ଲାଗିଲା ତିନିରଥ, ଆଜି ଗଡିବ ନନ୍ଦିଘୋଷ

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ସିଂହଦ୍ୱାରରେ_ଲାଗିଲା_ତିନିରଥ,_ଆଜି_ଗଡିବ_ନନ୍ଦିଘୋଷ                 ପୁରୀ    :    ମହାପ୍ରଭୁ ମହାବାହୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଲାଗିଥିବା କଳ୍ପନା ଜଳ୍ପନାର ଶେଷ ହୋଇଛି । ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ବଡଦାଣ୍ଡରେ ଗଡିବ ନନ୍ଦିଘୋଷ । ଚାରିକୋଟି ଓଡିଆ ଓ ବିଶ୍ୱର ଥିବା କୋଟି କୋଟି ଭକ୍ତଙ୍କ ଗୁହାରୀ ଶୁଣିଛନ୍ତି ମହାପ୍ରଭୁ । ଆଜିଠାରୁ ବଡଦାଣ୍ଡକୁ ପୁଲିସ ସିଲ କରିଛି । ୫୦ପ୍ଲାଟୁନ୍ ପୁଲିସ ଫୋର୍ସ ବଡଦାଣ୍ଡର ଦୁଇପାଶ୍ୱର୍ରେ ଥିବା ସାହି ଗଳିକନ୍ଦିକି ମଧ୍ୟ ବ୍ୟାରିକେଡ ଦ୍ୱାରା ବନ୍ଦ କରିଛି । ସୋମବାର ପୂର୍ବାହ୍ନରେ ଶ୍ରୀମନ୍ଦିରରୁ ତିନିଠାକୁରଙ୍କ ତିନୋଟି ଆଜ୍ଞାମାଳ ଆସିବା ପରେ ବିଜେ କାହାଳୀ ବାଜିଥିଲା । ସେବାୟତମାନେ ଏହି ଆଜ୍ଞାମାଳ ଆଣିବା ପରେ ତିନିରଥରେ ଲାଗି ହୋଇଥିଲା । ଆଷାଢଶୁକ୍ଳ ପ୍ରତିପଦାରେ ରଥ ଆଜ୍ଞାମାଳ ଲାଗି ହୋଇଥାଏ । ମହାପ୍ରଭୁଙ୍କ କରୁଣା ଓ କରିସ୍ମା ଯୋଗୁଁ ଶେଷରେ କୋଟି କୋଟି ଭକ୍ତଙ୍କର ଜୟ ହୋଇଛି । ରଥଯାତ୍ରାର ମୂଳପୀଠ ଶ୍ରୀକ୍ଷେତ୍ରରେ ରଥଗଡିବା ପାଇଁ ଅନୁମତି ମିଳିବା ପରେ ରାଜ୍ୟ, ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଘନ ଘନ ବୈଠକ ହେବା ସହ ଆସନ୍ତାକାଲି ସକାଳ ପ୍ରସ୍ତୁତି ପାଇଁ ବ୍ଲୁପ୍ରି ପ୍ରସ୍ତୁତ ହୋଇଛି । ପୁରୀ ପୌରସଂସ୍ଥା ପକ୍ଷରୁ ସିଂହଦ୍ୱାରଠାରୁ ଗୁଣ୍ଡିଚାମନ୍ଦିର ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀ, କ୍ୟାବିନ୍, ଖଟ, ଛତା, ପସରା ହଟାଇବା ପାଇଁ ଘନ ଘନ ପ୍ରଚାର ସହ ତାଗିଦ୍ କରାଯାଇଛି । ପୁରୀଜିଲ୍ଲା ସମତେ ପୁରୀ ସହରକୁ ସଟଡାଉନ କରାଯାଇଛି । ଏ ସଂପର୍କରେ ଜିଲ୍ଲାପାଳ ବଲବନ୍ତ ସିଂ କୁହନ୍ତି ଜିଲ୍ଲା ପ୍ରଶାସନ ରଥଯାତ୍ରା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ସବୁ ବିଭାଗର କାମ ତତ୍ପରତା ସହ ଅଧିକାରୀମାନେ ସଜାଗ ରହିଛନ୍ତି । କୋଭିଡ ଗାଇଡ ଲାଇନ୍ ଅନୁଯାୟୀ ସହରବାସୀ ସହଯୋଗ କରି ଶାନ୍ତିପୂର୍ଣ୍ଣଭାବେ ରଥଯାତ୍ରା ପାଳନ ପାଇଁ ଅନୁରୋଧ କରିଛନ୍ତି ।

ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ଓ ପୁଲିସ ମହାନିର୍ଦ୍ଦେଶକ ଅଭୟ ପୁରୀରେ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ୍ ଦୃଷ୍ଟି ରଖିଛନ୍ତି । ସନ୍ଧ୍ୟା ସମୟରେ ଛତିଶାନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହୋଇ ଶେଷ ସ୍ପର୍ଶ ଦିଆଯାଇଛି । କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଶହ ଶହ ଭକ୍ତ ଦୁଇହାତ ଟେକି ପ୍ରଭୁଙ୍କ ରଥଯାତ୍ରା ପାଇଁ ଅନୁମତି ମିଳିଥିବାରୁ କୋହଭରା କଣ୍ଠରେ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି । ସେବାୟତମାନଙ୍କର କୋଭିଡ ଟେଷ୍ଟ କରାଯାଇ ରଥଯାତ୍ରାରେ ସାମିଲ ହେବେ । ସାମାଜିକ ଦୂରତା, ମାକ୍ସ ବାନ୍ଧିବା, ସାନିଟାଇଜେସନ ସହିତ କୋଭିଡ ଗାଇଡ ଲାଇନ୍ ଅନୁଯାୟୀପାଳନ କରାଯିବ । ଭକ୍ତଙ୍କ ପ୍ରାର୍ଥନା ଭାବଗ୍ରାହୀ ଶୁଣିଥିବାରୁ ଗଜପତି ମହାରାଜା ସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ପୁରୀଜିଲ୍ଲାର କୌଣସି ଲୋକ ବଡଦାଣ୍ଡକୁ ପଶିପାରିବେ ନାହିଁ । ବଡଦାଣ୍ଡକୁ ଆଜି ରାତିରେ ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜେସନ କରାଯିବ । ସକାଳ ୭ରୁ ପହଣ୍ଡି ଆରମ୍ଭ ହୋଇ ୧୨ଟାରେ ରଥଟଣା ଆରମ୍ଭ ହେବା ପାଇଁ ନୀତି ନିର୍ଘ କରାଯାଇଛି । ବଡଦାଣ୍ଡର ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ କେହି ଯାଇ ପାରିବେ ନାହିଁ । ଏଏସଆଇର ପଦାଧିକାରୀମାନେ ରଥଗୁଡିକୁ ଯାଂଚ କରିଥିଲେ । ଏବେ ରଥ ପଥ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି । ହଟିଆ ଠାକୁର ନାଟ ନଲଗାଇଲେ ରଥଯାତ୍ରାକୁ ବାଟ ଫିଟିବନି ବୋଲି ଅନେକ ଭକ୍ତ କହୁଥିଲେ । ୭ଜଣ ଡାହୁକ ଆସିବା ପରେ ରଥର ଦକ୍ଷିଣ ମୋଡ ହୋଇ ସିଂହଦ୍ୱାରରେ ଲାଗିଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଘ ଉପରେ ଚୂଡାନ୍ତ ପ୍ରସ୍ତୁତି ହୋଇଛି । ସ୍ୱଳ୍ପ ସଂଖ୍ୟକ ସେବାୟତ, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତିନିରଥ ଟଣାଯିବ । ବଡଦାଣ୍ଡର ଦୁଇପାଶ୍ୱର୍ରେ କେବଳ ଝରକାରେ ଭକ୍ତମାନେ ଦର୍ଶନ କରିପାରିବେ ।