ଲକ୍ ଡାଉନ୍ ସମୟରେ ସୁବିଧାରେ କୃଷିଜାତ ସାମଗ୍ରୀର ପରିବହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଲକ୍ ଡାଉନ୍ ସମୟରେ ସୁବିଧାରେ କୃଷିଜାତ ସାମଗ୍ରୀର ପରିବହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡିଶା ବଡ ଖବର

#ସୁବିଧାରେ_କୃଷିଜାତ_ସାମଗ୍ରୀର_ପରିବହନ_ପାଇଁ_ନିର୍ଦ୍ଦେଶ      ଭୁବନେଶ୍ୱର  : ଲକ୍ ଡାଉନ୍ ସମୟରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାସହ ଏହି ସମୟରେ ପାରିବାରିକ ହିଂସା ଚିନ୍ତାର ବିଷୟ ହୋଇଥିବାରୁ ଅଭ୍ୟାସଗତ ଅପରାଧୀମାନଙ୍କୁ ଚିହ୍ନଟ କରିବା ଏବଂ ଫୋନ୍ କଲ୍ ଜରିଆରେ ଅଭିଯୋଗକାରୀମାନଙ୍କୁ ସହାୟତା ଯୋଗାଇଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହା ବ୍ୟତୀତ ଆସନ୍ତା ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫରେନ୍ସଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି , ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ପ୍ରଥମ ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଓଡିଶା ଭଲ କାମ କରିଥିବାରୁ ନିୟୋଜିତ ସମସ୍ତ ଡାକ୍ତର , ସ୍ୱାସ୍ଥ୍ୟକର୍ମୀ , ପ୍ରଶାସନ ଓ ପୋଲିସ୍ ଅଧିକାରୀ. ସଫେଇ କର୍ମଚାରୀ ଏବଂ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ସପ୍ତାହେ ମଧ୍ୟରେ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୩୬ ଟି ସ୍ଥାନରେ ୬ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରିବାପାଇଁ ବ୍ୟବସ୍ଥା କରାଯାଇଛି ।
ଦକ୍ଷିଣ ଓଡିଶାର ଏମକେସିଜିରେ କୋଭିଡ୍ ପରୀକ୍ଷଣ ପାଇ ସୁବିଧା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସପ୍ତୋଷ ପ୍ରକାଶ କରିଥିଲେ ଏବଂ ଏପ୍ରିଲ ୧୬ ତାରିଖ ସୁଦ୍ଧା ବୁର୍ଲାର ଭିମସାରରେ କୋଭିଡ୍ ପରୀକ୍ଷା ସୁବିଧା ଉପଲବ୍ କରିବା ପାଇଁ ପଦକ୍ଷେପ ନେବାଲାଗି ନିର୍ଦ୍ଦେଶ ଦେଇଥିଲେ । ଆଇଜିଏଚ୍ ରାଉରକେଲାରେ କୋଭିଡ୍ ପରୀକ୍ଷଣ ଆରମ୍ଭ ହୋଇଥିବା ନେଇ ବେଠକରେ ସୂଚନା ଦିଆଯାଇଥିଲା ।
କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ନିୟୋଜିତ ପୋଲିସ୍ ତଥା ପ୍ରଶାସନିକ ଅଧିକାରୀମାନଙ୍କୁ ଏବଂ ଅନ୍ୟସମସ୍ତଙ୍କୁ ଏସଂକ୍ରାନ୍ତରେ ସର୍ବୋତମ ତାଲିମ୍ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନର ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ବିଭିନ୍ନ ସ୍ତରରେ ତାଲିମ ଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା ।