୧୪ ଜିଲ୍ଲାରେ ଲକ୍‌ଡାଉନ୍‌ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ

ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଓଡିଶା ବଡ ଖବର ରାଜ୍ୟ

#ଲକ୍‌_ଡାଉନ୍‌_ନିୟମ_ଉଲ୍ଲଂଘନ_କଲେ_କଠୋର_କାର୍ଯ୍ୟାନୁଷ୍ଠାନ      ଭୁବନେଶ୍ୱର:  ରାଜ୍ୟରେ କରୋନା ଯେପରି ମହାମାରୀର ରୂପ ଗ୍ରହଣ ନ କରେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି, କରୁଛନ୍ତି ଓ କରିବେ ମଧ୍ୟ। ସେଥିପାଇଁ ରାଜ୍ୟରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ, ରାଜ୍ୟବାସୀ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ନେଇ ଏହାକୁ ଉଲ୍ଲଂଘନ କରିବା ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର।

ରାଜ୍ୟ ସରକାରଙ୍କର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ରାଜ୍ୟ ସରକାର ବର୍ତ୍ତମାନ ପାଇଁ ଲାଗୁ କରିଥିବା କଟକଣାକୁ ଲକ୍‌ ଡାଉନ୍‌ ନାମ ଦେଇଛନ୍ତି ସତ କିନ୍ତୁ ଏହାକୁ ମହାମାରୀ ଆଇନ୍‌ ଓ ବିପର୍ଯ୍ୟୟ ଆଇନ୍‌ ବଳରେ ଲାଗୁ କରାଯାଇଛି। ଏହି ନିୟମକୁ ଅତ୍ୟନ୍ତ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ, ଲକ୍‌ ଆଉଟ୍‌ ନିୟମକୁ ଉଲ୍ଲଂଘନ କରି ରାଜ ରାସ୍ତାକୁ ଆସୁଥିବା ବ୍ୟକ୍ତିବିଶେଷମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍‌ର ୧୮୮ ଓ ୨୭୧ ଧାରା ବଳରେ ରାଜ୍ୟ ସରକାର କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଚେତାଇ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଲକ୍‌ ଆଉଟ୍‌ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ ମଧ୍ୟ କରା ଯାଇପାରେ ବୋଲି ମଧ୍ୟ ପରୋକ୍ଷରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।