#ରାୟଗଡାରେ_ତୃତୀୟ_କରୋନା_ଆକ୍ରାନ୍ତ_ଚିହ୍ନଟ  

ରାୟଗଡାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶା ବଡ ଖବର

#ରାୟଗଡାରେ_ତୃତୀୟ_କରୋନା_ଆକ୍ରାନ୍ତ_ଚିହ୍ନଟ        ରାୟଗଡ଼ା : ( ଗୁରୁ ପ୍ରସାଦ ସାହୁ ) ରାୟଗଡ଼ା, କୁଜେନ୍ଦ୍ରୀ ପରେ ବିଷମକଟକରେ ଚିହ୍ନଟ ହୋଇଛନ୍ତି ଜିଲ୍ଲାର ତୃତୀୟ କରୋନା ଆକ୍ରାନ୍ତ। ସଂକ୍ରମିତ ୨୭ ବର୍ଷୀୟ ଯୁବତୀ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି। ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ଯାଇଥିବା ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଗତକାଲି ରାତିରେ ଯୁବତୀଙ୍କୁ ପାରଳାଖେମୁଣ୍ଡି କୋଭିଡ଼୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯୁବତୀଙ୍କ ପରିବାରର ୩ ସଦସ୍ୟଙ୍କୁ ହୋମ୍ କ୍ବାରାଣ୍ଟାଇନରେ ରଖାଯିବା ସହ ହେମଗିରି ସାହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ। ସଂକ୍ରମିତ ଯୁବତୀ ଦିଲ୍ଲୀର ଏକ ଘରୋଇ କଂପାନୀରେ ଚାକିରୀ କରୁଥିଲେ। ଲକଡାଉନ୍ କୋହଳ ପରେ ମେ’ ୨୦ ତାରିଖରେ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀରୁ ଭୁବନେଶ୍ବର ଫେରିଥିଲେ। ଭୁବନେଶ୍ବରରୁ ସ୍ବତନ୍ତ୍ର ଟ୍ୟାକ୍ସି ଯୋଗେ ଆସି ୨୨ ତାରିଖରେ ବିଷମକଟକରେ ପହଞ୍ଚି ସିଆରସି କେନ୍ଦ୍ରରେ ନାମ ପଞ୍ଜିକୃତ କରି ହୋମ୍ କ୍ବାରାଣ୍ଟାଇନରେ ରହିଥିଲେ।

ମେ’ ୨୪ ରେ ଯୁବତୀ ଜ୍ବରରେ ଆକ୍ରାନ୍ତ ହେବା ପରେ ୨୬ ତାରିଖରେ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ରବିବାର ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ବତନ୍ତ୍ର ଆମ୍ବୁଲାନସ୍ ଜରିଆରେ ଯୁବତୀଙ୍କୁ କୋଭିଡ଼୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀରୁ ଟ୍ରେନରେ, ଭୁବନେଶ୍ବରରୁ ଟ୍ୟାକ୍ସିରେ ଫେରିବା ସମୟରେ ଏବଂ ହୋମ୍ କ୍ବାରାଣ୍ଟାଇନରେ ଥିବା ସମୟରେ ଯୁବତୀ କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ଟ୍ୟାକ୍ସି ଚାଳକ ଯୁବତୀକୁ ନେଇ ଏକା ଆସିଥିବା ବେଳେ ରାସ୍ତାରେ କେଉଁଠି ରହିନଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ତେବେ ଗୋଟିଏ ଘରେ ଯୁବତୀଙ୍କ ବାପା, ମା’, ଭାଇ ରହୁଥିବାରୁ ସମସ୍ତଙ୍କୁ କ୍ବାରାଣ୍ଟିନରେ ରଖିବା ସହ ସ୍ବାବ ସଂଗ୍ରହ କରିବ ସ୍ବାସ୍ଥ୍ୟ ବିଭାଗ। ଯୁବତୀଙ୍କ ବାପା, ମାଆ ସରକାରୀ ଚାକିରୀ କରୁଥିବାରୁ ଝିଅ ହୋମ୍ କ୍ବାରାଣ୍ଟିନରେ ଥିବା ସମୟରେ ଏମାନେ କୁଆଡେ ଯାଇଛନ୍ତି, କାହା ସହ ମିଶିଛନ୍ତି ସେ ନେଇ ତଦନ୍ତ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। ପଜିଟିଭ୍ ଚିହ୍ନଟ ପରେ ଯୁବତୀଙ୍କ ଘର ହେମଗିରି ସାହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।

ବିଷମକଟକ ଅଗ୍ନିଶମ ବିଭାଗ ପକ୍ଷରୁ ସାହିକୁ ସାନିଟାଇଜ୍ କରାଯିବା ପରେ ବାଉଁଶ ବାଡ଼ ବାନ୍ଧି ସିଲ୍ କରାଯାଇଛି। ୧୪ ତାରିଖ ସକାଳ ୭ଟା ପର୍ୟ୍ୟନ୍ତ କଣ୍ଟେନମେଣ୍ଟ୍ ଜୋନରେ ଗାଡ଼ି ଚଳାଚଳ, ଅନାବଶ୍ୟକ ପ୍ରବେଶ, ଜୋନ ଅଞ୍ଚଳରେ ଥିବା ୯୦ରୁ ଉର୍ଧ୍ବ ପରିବାରକୁ ଘରୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। କଣ୍ଟେନମେଣ୍ଟ୍ ଜୋନର ନୋଡାଲ୍ ଅଫିସର ଭାବେ ବିଷମକଟକ ବିଡ଼ିଓ ଆଲର୍ବଟ ଲାକ୍ରା, ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀ ଯୋଗାଇବାକୁ ବ୍ଲକ୍ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀ, ସ୍ବାସ୍ଥ୍ୟ ସଂପର୍କିତ ପଦକ୍ଷେପ ପାଇଁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବିକାଶ କୁମାର ପଣ୍ଡା, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଲାଗି ତହସିଲଦାର ଶୁଭେନ୍ଦୁ ଜେନାଙ୍କୁ ଦାୟତ୍ବ ପ୍ରଦାନ କରାଯାଇଛି।