ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ ୨୦୨୦ ପାରିତ

ଓଡିଶା ବଡ ଖବର

#ରାଜ୍ୟ_ପଛୁଆ_ବର୍ଗ_କମିଶନ_ସଂଶୋଧନ_ବିଲ_୨୦୨୦_ପାରିତ  ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଓଡ଼ିଶା ପଛୁଆବର୍ଗ କମିଶନ ବିଲ୍‌ ୨୦୨୦ ଗୃହୀତ ହୋଇଯାଇଛି । ଏହି ବିଲ ଗୃହୀତ ହେବା ପରେ ଓଡ଼ିଶାର ପଛୁଆବର୍ଗଙ୍କ ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସର୍ଭେ କରାଯାଇପାରିବ । ଆଜି ସଂଧ୍ୟାରେ ବିଧାନସଭାରେ ଏହି ବିଲଟି ବାଚନିକ ଭୋଟରେ ଗୃହୀତ ହୋଇଛି ।

ରାଜ୍ୟ କ୍ୟାବିନେଟ ଆଜି ସକାଳେ ଏହି ବିଲକୁ ମଂଜୁର କରିଥିବାବେଳେ ବିଧାନସଭାରେ ଏହା ସଂଧ୍ୟାରେ ଗୃହୀତ ହୋଇଛି । ବିଧାନସଭାରେ ଏହି ବିଲକୁ ରାଜ୍ୟ ଅନୁସୂଚୀତ ଜାତି, ଜନଜାତି ଓ ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସରାକା ଉପସ୍ଥାପନ କରିଥିଲେ ।
ତେବେ ଏହି ବିଲକୁ ସରକାର ତରବରିଆ ଭାବେ ଉପସ୍ଥାପନ କରିଛନ୍ତି । ଅଧିକ ବିଚାରବିମର୍ଷ ପରେ ଏହାକୁ ଗୃହରେ ଉପସ୍ଥାପନ କରିବାର ଥିଲା ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ । କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି ପ୍ରମୁଖ ଏହାକୁ ନେଇ ହଟ୍ଟଗୋଳ କରିଥିଲେ ।

ଏହାକୁ ଏକ ଐତିହାସିକ ବିଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ୧୯୩୧ ମସିହାରେ ଶେଷ ଥର ପାଇଁ ଜାତିଭିତ୍ତିକ ଜନଗଣନା କରାଯାଇଥିଲା । ଏହାପରେ ୨୦୧୧ ଏସଇସିସି ସର୍ଭେରେ ଓବିସି ତଥ୍ୟ ସଂଗ୍ରହ କରାଯାଇଥିଲେ ବି ତଥ୍ୟ ସାମ୍ନାକୁ ଅଣାଯାଇ ନଥିଲା । ଏପରିକି ବର୍ତ୍ତମାନର ବିଜେପି ସରକାର ୨୦୧୩ରେ କଂଗ୍ରେସକୁ ଏନେଇ ସମାଲୋଚନା କରିଥିଲା । ଆଉ କ୍ଷମତାକୁ ଆସିଲେ ଜାତିଭିତ୍ତିକ ତଥ୍ୟ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ଏଯାବତ୍ କରିନାହାନ୍ତି ।

ସେହିପରି ୨୦୧୮, ଅଗଷ୍ଟ ୩୧ରେ ପୂର୍ବତନ ଗୃହମନ୍ତ୍ରୀ ରାଜନାଥ ସିଂ ୨୦୨୧ ଜନଗଣନା ନେଇ ସମୀକ୍ଷା କରିବାବେଳେ ଓବିସିଙ୍କ ତଥ୍ୟ ପ୍ରକାଶ କରାଯିବ ବୋଲି ନିଷ୍ପତି ନେଇଥିଲେ ମଧ୍ୟ ସେ ଚୁପ୍ ରହିଗଲେ । ଏସବୁ ବାଦ୍ ଓଡ଼ିଶା ସରକାର ଚଳିତ ଜାନୁଆରୀରେ ୨୦୨୧ ଜନଗଣନାରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସଂକଳ୍ପ ପତ୍ର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । ଏପରିକି ଉଭୟ ରାଜ୍ୟସଭା ଓ ଲୋକସଭାରେ ବିଜେଡି ସାଂସଦ ମାନେ ଏନେଇ ବାରମ୍ବାର ସ୍ୱର ଉଠାଇଚାଲିଛନ୍ତି ।ହେଲେ କେନ୍ଦ୍ର ଏନେଇ ନକରାତ୍ମକ ଆଭିମୁଖ୍ୟ ଦେଖାଇବା ପରେ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ଆଗକୁ ବଢିବାକୁ ନିର୍ଣ୍ଣୟ କରିଛନ୍ତି।

ରାଜ୍ୟ ବିଧାନସଭାରେ ନବୀନ ଖେଳିଛନ୍ତି ମାଷ୍ଟର ଷ୍ଟ୍ରୋକ୍ । ସାରା ଦେଶକୁ ଚକିତ କଲା ଭଳି ପଛୁଆବର୍ଗଙ୍କୁ ଅଧିକ ଫୋକସ୍ ଦେଇ ୧୯୯୩ ପଛୁଆ ବର୍ଗ ଆଇନରେ ସଂଶୋଧନ କରି ଓଡ଼ିଶା ପଛୁଆବର୍ଗ କମିଶନ ବିଲ୍ ୨୦୨୦ ପାରିତ କରିଛନ୍ତି । ଯାହାଦ୍ୱାରା ଏହି କମିଶନ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ଦିଗ ନେଇ ସର୍ଭେ କରିବ । ତେବେ ଯାହାକୁ ନେଇ ଦୀର୍ଘ ୧୯୩୧ ମସିହାରୁ ଏଯାବତ୍ ଅପେକ୍ଷା କରି ରହିଥିଲେ ପଛୁଆବର୍ଗର ଲୋକେ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିବାକୁ ଯାଉଛନ୍ତି । ପଛୁଆ ବର୍ଗର ଲୋକଙ୍କୁ କିଭଳି ତାଙ୍କର ନାର୍ଯ୍ୟ ଅଧିକାର ମିଳିବ ସେନେଇ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି।