ସହରାଞ୍ଚଳରେ ଗରିବଙ୍କ ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି : ଏପ୍ରିଲ ୩୦ ଯାଏଁ ଲକଡାଉନ ବଢାଇବା ନେଇ କେନ୍ଦ୍ରକୁ ସୁପାରିସ

ଓଡିଶା ବଡ ଖବର

#ଏପ୍ରିଲ_୩୦_ଯାଏଁ_ଲକଡାଉନ_ବଢାଇବା_ନେଇ_କେନ୍ଦ୍ରକୁ_ସୁପାରିସ            ଭୁବନେଶ୍ୱର  :  ସମଗ୍ର ଦେଶରେ କରୋନାର ଭୟାବହତା ଓ ରାଜ୍ୟରେ ଏହାର ସ୍ଥିତିକୁ ଦେଖି ଏପ୍ରିଲ ୩୦ ଯାଏଁ ଲକଡାଉନ  ସମୟ ସୀମା ବଢାଇବା ନେଇ କେନ୍ଦ୍ରକୁ  ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିସ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ପୂର୍ଣ୍ଣ ବୈଠକ  ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ  ବୈଠକରେ ଏପ୍ରିଲ ୩୦ ଯାଏ ଲକ୍ ଡାଉନ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଏସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍ ଏକ ଭିଡିଓ ବାର୍ତ୍ତା ଜାରି କରି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହୋଇଛି । ଏହି କଠିନ ପରିସ୍ଥିତି ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆମେ ନିଷ୍ପତ୍ତି ନେଇଛୁ ବୋଲି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଭଳି ଭାବରେ ସହଯୋଗ ଓ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡୁଛି । ଅନେକ ତ୍ୟାଗ କରିବାକୁ ପଡୁଛି, କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକମାତ୍ର ବାଟ ।

ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କେସ୍ ଆସିଲା ତା’ ପରଠାରୁ ଆଜି ପର୍ଯ୍ୟନ୍ତ ୪୨ଟି କେସ୍ ଆସିଛି । ଏହି ସମୟ ମଧ୍ୟରେ ଆପଣମାନଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ଶକ୍ତି ଦେଇଛି ।ଏହି ସମୟ ମଧ୍ୟରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା କେସ୍ ୩୦୦୦ରୁ ଆସି ୪ ଲକ୍ଷରେ ପହଞ୍ଚିଛି । ୯/୧୧ ଆତଙ୍କବାଦୀ ଆକ୍ରମଣ ଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳି ଦେଇଥିଲେ ତା’ ଠାରୁ ଅଧିକ ଲୋକ କରୋନା ଶିକାର ହୋଇଛନ୍ତି । ତଥାପି ଆମେରିକା ସମ୍ପୂର୍ଣ୍ଣ ଭାବରେ ଲକଡାଉନ୍ କରିନାହିଁ ।

  • ରାଜ୍ୟର ସବୁ ସ୍କୁଲ୍ କଲେଜ୍ ଜୁନ୍୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ
  • ଲକଡାଉଡାଉନ ସମୟରେ କୃଷିକାର୍ଯ୍ୟ ଜାରି ରହିବ 
  • ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଏନ୍.ଆର୍.ଇ.ଜି.ଏସ୍. କାର୍ଯ୍ୟକ୍ରମ ଜାରି ରହିବ
  • ସବୁ କାମରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବରେ ପାଳନ କରାଯିବ

ଏହି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହେଇଛି । ଏହି କଠିନ ପରିସ୍ଥିତି ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆମେ ନିଷ୍ପତ୍ତି ନେଇଛୁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଲକଡାଉନ୍ ସମୟସୀମା ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି କଲୁ । ରାଜ୍ୟ କ୍ୟାବିନେଟ୍ ଆଜି ଲକଡାଉନ୍ ସମୟ ସୀମା ଏପ୍ରିଲ୍ ୩୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛି । ସେହିପରି ଏପ୍ରିଲ ୩୦ ପର୍ଯ୍ୟନ୍ତ ରେଳ ଓ ବିମାନ ସେବା ବନ୍ଦ ରଖିବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ ।

ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ରହିଯାଇଥିବା ଆମର ଶ୍ରମିକ ଭାଇଭଉଣୀମାନଙ୍କ ଯତ୍ନ ନେବା ପାଇଁ ଆମେ ସେ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ । ଓଡ଼ିଶା ସରକାର ମଧ୍ୟ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକ ବନ୍ଧୁମାନଙ୍କର ଯତ୍ନ ନେଉଛନ୍ତି । ଏହି ଲକଡାଉଡାଉନ ସମୟରେ କୃଷିକାର୍ଯ୍ୟ ଜାରି ରହିବ । ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଏନ୍.ଆର୍.ଇ.ଜି.ଏସ୍. କାର୍ଯ୍ୟକ୍ରମ ଜାରି ରହିବ । କିନ୍ତୁ, ଏ ସବୁ କାମରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବରେ ପାଳନ କରାଯିବ । ଲୋକଙ୍କ ଖାଦ୍ୟ ନିରାପତ୍ତା ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲକଡାଉଡନ୍ ସମୟରେ ଯେପରି ମାଲ୍ ପରିବହନରେ ବାଧା ସୃଷ୍ଟି ନ ହୁଏ ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି ।

ରାଜ୍ୟରେ କୋଭିଡ୍ ଟେଷ୍ଟିଙ୍ଗ୍ ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି । ଖୁବ୍ ଶୀଘ୍ର ରାଜ୍ୟରେ ୧ ଲକ୍ଷ ରେପିଡ୍ ଟେଷ୍ଟିଙ୍ଗ୍ ସୁବିଧା ବିକାଶ କରିବାକୁ ଆମେ ପଦକ୍ଷେପ ନେଉଛୁ ।ଯେଉଁ ଡାକ୍ତରମାନେ ମୋର ଅନୁରୋଧ ରକ୍ଷାକରି ଟେଲିମେଡିସିନ୍ ସେବା ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ଘୋଷଣା କରୁଛି ରାଜ୍ୟର ସବୁ ସ୍କୁଲ୍ କଲେଜ୍ ଜୁନ୍୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।କରୋନା ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ଼ ଶତ୍ରୁ ଭାବରେ ଦେଖାଦେଇଛି । ଜୀବନଯାତ୍ରା ଆଉ ଆଗ ଭଳି ରହିନାହିଁ । ଆମେ ସମସ୍ତେ ଏହା ବୁଝିବା ଦରକାର ଏବଂ ସାହସର ସହ ମିଳିତ ଭାବରେ ଏହାର ମୁକାବିଲା ପାଇଁ କାମ ରହିବା ଦରକାର । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ସମସ୍ତଙ୍କ ତ୍ୟାଗ ହିଁ ଏ କଠିନ ପରିସ୍ଥିତିରୁ ଆମକୁ ଶୀଘ୍ର ମୁକୁଳାଇ ପାରିବ ।