#ଗ୍ରାମାଞ୍ଚଳ_ତୁଳନାରେ_ସହରାଞ୍ଚଳରେ_ସଂକ୍ରମଣର_ଆଶଙ୍କା_ଅଧିକ ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ଓଡ଼ିଶାର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ବ୍ୟାପିବାର ଆଶଙ୍କା ରହିଛି । ଏହାର ମୂଳ କାରଣ ହେଉଛି ସହରାଞ୍ଚଳରେ ଜନସଂଖ୍ୟାର ଘନତ୍ୱ ଗ୍ରାମାଞ୍ଚଳ ତୁଳନାରେ ଅଧିକ । ଏବେ ଓଡ଼ିଶାରେ ମାତ୍ର ୩ ଜଣ ବ୍ୟକ୍ତି କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା ବେଳେ ସତର୍କ ନ ରହିଲେ ଏହା ପର୍ଯ୍ୟାୟ କ୍ରମେ ୩ରୁ ୩୦ ହୋଇପାରେ । ପୁଣି ଏହି ସଂଖ୍ୟା ୩୦ରୁ ୩୦୦ ଅଥବା ୩୦୦୦ରେ ପହଞ୍ଚିବା ବଡ଼ କଥା ନୁହେଁ । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସୁବ୍ରତ ବାଗଚୀ କହିଛନ୍ତି, ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଆଦି ସହରଗୁଡ଼ିକର ଜନବହୁଳତା ବା ପପୁଲେସନ୍ ଡେନ୍ସିଟି ବିଶ୍ୱର ଅନେକ ବଡ଼ ବଡ଼ ସହରର ଲୋକସଂଖ୍ୟାର ଘନତ୍ୱ ସହିତ ସମାନ । ଭୁବନେଶ୍ୱର ତୁଳନାରେ ପୁରୀରେ ବର୍ଗକିଲୋମିଟ ପିଛା ଲୋକସଂଖ୍ୟାର ଘନତ୍ୱ ଅଧିକ । ସେ କହିଛନ୍ତି, ନ୍ୟୁୟର୍କ ସହରର ଲୋକସଂଖ୍ୟାର ଘନତ୍ୱ ସହ ପୁରୀ ସହରର ଲୋକସଂଖ୍ୟାର ଘନତ୍ୱ ସମାନ । ଉଲ୍ଲେଖଯୋଗ୍ୟ, ନ୍ୟୁୟର୍କ ସହରର ଜନସଂଖ୍ୟାର ଘନତ୍ବ ବର୍ଗ କିଲୋମିଟର ପିଛା ୧୦,୦୦୦। ସେହିଭଳି କୋରାପୁଟ ଜିଲ୍ଲାର ଜୟପୁରର ଲୋକସଂଖ୍ୟାର ଘନତ୍ୱ ସହିତ ଇଟାଲୀର ରୋମ ସହରକୁ ତୁଳନା କରାଯାଇପାରିବ ଏବଂ ରୋମର ଜନସଂଖ୍ୟାର ଘନତ୍ବ ବର୍ଗ କିଲୋମିଟର ପିଛା ୫,୦୦୦ ବୋଲି ବାଗଚୀ ସୂଚନା ଦେଇଥିଲେ।
ବାଗଚୀ କହିଛନ୍ତି, ଭାରତୀୟ ମହାନଗରୀ ଜନସଂଖ୍ୟାର ଘନତ୍ୱ ଯୁକ୍ତରାଷ୍ଟ୍ର ଆମେରିକାର ଯେକୌଣସି ସହରର ଘନତ୍ୱଠାରୁ ଅଧିକ । ନ୍ୟୁୟର୍କରେ ବର୍ଗ କିଲୋମିଟର ପିଛା ୧୦ ହଜାର ଲୋକ ରହୁଥିବା ବେଳେ ମୁମ୍ବାଇରେ ୭୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ସେହିପରି କୋଲକାତାରେ ୨୦ ହଜାର, ହାଇଦ୍ରାବାଦ ୧୮ ହଜାର ଓ ଦିଲ୍ଲୀରେ ବର୍ଗ କିଲୋମିଟର ପିଛା ୧୨ ହଜାର ଲୋକ ରହୁଛନ୍ତି ।