ରାଜ୍ୟରେ କରୋନା ପାଇଁ ସଙ୍ଗରୋଧ ନିୟମ ବଦଳିଲା

ରାଜ୍ୟରେ କରୋନା ପାଇଁ ସଙ୍ଗରୋଧ ନିୟମ ବଦଳିଲା

ଓଡିଶା ବଡ ଖବର

#ରାଜ୍ୟରେ_କରୋନା_ପାଇଁ_ସଙ୍ଗରୋଧ_ନିୟମ_ବଦଳିଲା                ଭୁବନେଶ୍ୱର  : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସଙ୍ଗରୋଧ ନିୟମରେ ପରିବର୍ତନ କରା ଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି ଯେ ବର୍ତ୍ତମାନ ବାହାରୁ ଆସୁଥିବା ଲୋକ ମାନେ ୧୪ ଦିନ ସଙ୍ଗରୋଧରେ ରହିବେ । ଗ୍ରାମାଂଚଳକୁ ଆସୁଥିବା ଲୋକ ମାନେ ସାତ ଦିନ ବାଧ୍ୟତାମୂଳକ ଭାବେ ସଂଗରୋଧରେ ରହିବେ । ଏହା ପରେ ଯାହାର ଲକ୍ଷଣ ଦେଖା ନ ଯିବ ସେମାନଙ୍କୁ ସାତ ଦିନ ଘରେ ସଙ୍ଗରୋଧରେ ରହିବାକୁ ପଡିବ । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସେ କହିଛନ୍ତି ଯେ ପ୍ରବାସୀ ମାନଙ୍କୁ କ୍ୱାରେଂଟାଇନରେ ରଖା ଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ଅଛି ।
ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ ୧୪ ଦିନିଆ କ୍ୱାରାଂଟାଇନ୍ ବ୍ୟବସ୍ଥା ରହିଛି । ସ୍ଥାନୀୟ କର୍ତୃପକ୍ଷ/ଜିଲ୍ଲାପାଳମାନେ ଏହି ୧୪ ଦିନିଆ କ୍ୱାରାଂଟାଇନ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବେ ।
ଗ୍ରାମାଂଚଳକୁ ଆସୁଥିବା ପ୍ରବାସୀ ଓଡ଼ିଆ ୭ ଦିନ ପର୍ଯ୍ୟନ୍ତ ବାଧ୍ୟତାମୂଳକ ପଂଚାୟତ ସ୍ତରୀୟ କ୍ୱାରାଂଟାଇନ୍ ସେଂଟରରେ ରହିବେ । ଏହା ପରେ ଯେଉଁମାନଙ୍କର କୌଣସି ରୋଗର ଲକ୍ଷଣ ଦେଖା ନଯିବ ସେମାନଙ୍କୁ ଆଉ ୭ ଦିନ ପର୍ଯ୍ୟନ୍ତ ନିଜ ଘରେ କ୍ୱାରାଂଟାଇନ୍ରେ ରହିବାକୁ ପଡ଼ିବ । ଯଦି ସ୍ଥାନୀୟ କର୍ତୃପକ୍ଷ ଅନୁଭବ କରନ୍ତି ଯେ କୋଭିଡ୍-୧୯ ରୋଗର ବିସ୍ତାରକୁ ରୋକିବା ଆବଶ୍ୟକ ହେଉଛି, ଏପରି ସ୍ଥଳେ ସେମାନେ ଆନୁଷ୍ଠାନିକ କ୍ୱାରାଂଟାଇନ୍ ଅବଧିକୁ ବଢ଼ାଇ ପାରିବେ । ଏହି ୧୪ ଦିନଆ କ୍ୱାରାଂଟାଇନ୍ ଅବଧି ମଧ୍ୟରେ ଯଦି କାହାର କୋଭିଡ୍-୧୯ ରୋଗର ଲକ୍ଷଣ ପ୍ରକାଣ ପାଏ ତେବେ ତାଙ୍କୁ କୋଭିଡ୍ କେୟାର ସେଂଟର ବା କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ।
ସେହିପରି ସହରାଂଚଳକୁ ଆସୁଥିବା ପ୍ରବାସୀ ଓଡ଼ିଆ ବାଧ୍ୟତାମୂଳକ ଭାବରେ ଘର କ୍ୱାରାଂଟାଇନରେ ରହିବେ । ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ କ୍ୱାରାଂଟାଇନ୍ ସର୍ତାବଳୀକୁ ପାଳନ କରିବେ । ଯଦି କୌଣସି ପ୍ରବାସୀ ଓଡ଼ିଆଙ୍କର ଘରେ କ୍ୱାରାଂଟାଇନ୍ରେ ରହିବା ପାଇଁ ସଠିକ୍ ସୁବିଧା ନଥାଏ ସେ ସ୍ଥାନୀୟ କର୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଆନୁଷ୍ଠାନିକ କ୍ୱାରାଂଟାଇନ୍ ବା ହୋଟେଲ୍ରେ ଦେୟଯୁକ୍ତ କ୍ୱାରାଂଟାଇନ୍ରେ ରହିପାରିବେ ବୋଲି ଶ୍ରୀ ଜେନା କହିଛନ୍ତି ।
ଅପରପକ୍ଷରେ ସରକାରୀ କର୍ମଚାରୀ, ବୃତିଗତ କୁଶଳୀ ବ୍ୟକ୍ତି, ବ୍ୟବସାୟୀ ବା ଅନ୍ୟ କୌଣସି ବ୍ୟକ୍ତି ଯଦି ଓଡ଼ିଶାକୁ କାର୍ଯ୍ୟ ଉଦ୍ଦେଶ୍ୟରେ ଅ ।ସୁଛନ୍ତି ଏବଂ ତିନି ଦିନ ମଧ୍ୟରେ ଓଡ଼ିଶାରୁ ଫେରିଯିବାକୁ ସ୍ଥିର କରିଛନ୍ତି, ତେବେ ସେ କ୍ୱାରାଂଟାଇନ୍ରେ ରହିବା ଆବଶ୍ୟକ ନାହିଁ ।
କ୍ୱାରାଂଟାଇନ୍ ଏବଂ କଟକଣା କୋହଳ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଓଡ଼ିଆ ସଂଗଠନ, ଫେରୁଥିବା ବ୍ୟକ୍ତି ଏବଂ ସ୍ଥାନୀୟ କର୍ତୃପକ୍ଷଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।