ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ନେବେ ନିଷ୍ପତ୍ତି

ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ନେବେ ନିଷ୍ପତ୍ତି

ଓଡିଶା ବଡ ଖବର

#ରଥଯାତ୍ରା_ସମ୍ପର୍କରେ_ରାଜ୍ୟ_ସରକାର_ନେବେ_ନିଷ୍ପତ୍ତି                      କଟକ : ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପ୍ରସଂଗରେ ପରିସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ଗ୍ରହଣ କରିବେ। କୋଭିଡ-୧୯କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ନିୟମାବଳୀ ପାଳନ କରାଯିବା ସହିତ ‌ସେତେବେଳର ସ୍ଥିତି ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ରଥଯାତ୍ରା ଆୟୋଜନ ସ୍ଥଗିତ ରଖିବାକୁ ପ୍ରାର୍ଥନା କରି ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଏଥି ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ରଥ ନିର୍ମାଣ ଓ ରଥଯାତ୍ରା ସଂପର୍କିତ ସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା। ଭବିଷ୍ୟତରେ ଯେଉଁ ସ୍ଥିତି ରହିବ ତାହା ବିଚାରକୁ ନେଇ ରାଜ୍ୟ ସରକାର ରଥଯାତ୍ରା ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମତି ନେଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ପାଳନ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆଜି ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆବେଦନ କରିଥିବା ଇଣ୍ଟରଭେନର୍‌ଙ୍କ ପକ୍ଷରୁ ମଧ୍ୟ ମାମଲାରେ ପକ୍ଷ ରଖାଯାଇଥିଲା।