ଯାଜପୁରରେ ୫ ନୂଆ କରୋନା ପଜିଟିଭ ଚିହ୍ନଟ

ଯାଜପୁରରେ ୫ ନୂଆ କରୋନା ପଜିଟିଭ ଚିହ୍ନଟ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ଯାଜପୁରରେ_୫_ନୂଆ_କରୋନା_ପଜିଟିଭ_ଚିହ୍ନଟ        ଯାଜପୁର  :  ( ବିଶ୍ବଜିତ ରଣା ) ଯାଜପୁର ଜିଲ୍ଲାରେ ସୋମବାର ଆଉ ୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ପରୀକ୍ଷା ଦ୍ୱାରା ଏହି ୫ ଜଣଙ୍କର ପଜିଟିଭ ଜଣାପଡି଼ବା ପରେ ଜିଲ୍ଲାରେ ମୋଟ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୭ ରେ ପହଂଚିଛି । ତେବେ ଏହି ୫ଜଣ ନୂଆ ଚିହ୍ନଟ ମାନେ ସମସ୍ତେ କୋଲକତାରୁ ଆସିଥିବା ଜଣାଯାଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଯାଜପୁର ବ୍ଲକ ପଣସା ପଂଚାୟତ ବେହେରା ପାଟଣାର ଜୈନିକ ୨୮ ବର୍ଷୀୟ ଯୁବକ, ବାସୁଦେବପୁର ପଂଚାୟତର ଜାଲପୁରର ୬୪ ଓ ବାସୁଦେବପୁର ୫୮ବର୍ଷୀୟ, ଦଶରଥପୁର ବ୍ଲକ ବିରଜାପୁର ପଂଚାୟତର କୋଦେଇବାଟିର ୩୨ବର୍ଷୀୟ ଓ କୋରେଇ ବ୍ଲକର ମୁକୁନ୍ଦପୁରର ୫୦ବର୍ଷୀୟ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛିା ଏମାନଙ୍କର ରିପୋର୍ଟ ମିଳିବାପରେ ସେମାନଙ୍କ ସଂପର୍କରେ ଆସିଥିବା ଲୋକମାନଙ୍କର ତଥ୍ୟ ସଂଗ୍ରହକୁ ପ୍ରଶାସନ ଜୋରଦାର କରିଛି । ସେହି ଅନୁସାରେ ତାଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ଆଇସୋଲେସନରେ ରଖାଯିବ ।

ଅପରପକ୍ଷରେ ସୋମବାର ଭଦ୍ରକରୁ ପଜିଟିଭ ବାହାରିଥିବା ୫ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଯାଜପୁର ଜିଲ୍ଲାର ୬ଜଣଙ୍କ ସହ ସଂପର୍କରେ ଆସିଥିଲେ ବୋଲି ସୂଚନା ମିଳିଛି । ପ୍ରାଥମିକ ଅବସ୍ଥାରେ ଭଣ୍ଡାରିପୋଖରୀରୁ ଚିହ୍ନଟ ଏହି ବ୍ୟକ୍ତି ୨୯ ତାରିଖରେ କୋଲକତା ବଡ଼ବଜାରରୁ ମାର୍ଚ୍ଚ ୨୯ ତାରିଖ ରାତିରେ ବାହାରି ୩୦ ତାରିଖରେ ଭଦ୍ରକରେ ଓ ଯାଜପୁର ଲୋକମାନେ ଷଠିପୁରରେ ପହଂଚିଥିଲେ ବୋଲି ସୂଚନା ଦେଇଥିବାବେଳେ ପରବର୍ତୀ ସମୟରେ ସେମାନେ ୨୮ ତାରିଖ ରାତିରେ କୋଲକତାରୁ ବାହାରି ୨୯ ତାରିଖରେ ଭଦ୍ରକ ଓ ଷଠିପୁରରେ ପହଂଚିଥିଲେ ବୋଲି ସୂଚନା ମିଳିଛି । ତେଣୁ ଏହିଦିନ ଯାଜପୁର ଜିଲ୍ଲାର ଯେଉଁ ବ୍ୟକ୍ତିମାନେ କୋଲକତାରୁ ଆସିଥିଲେ ସେମାନେ ନିଶ୍ଚିତ ଭାବେ ନିଜନାମ ପଞ୍ଜିକରଣ କରାଇ କ୍ୱାରେନଟାଇନରେ ରହିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଛନ୍ତି ।

ପଜିଟିଭ ବାହାରିଥିବା ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯିବା ସହ ସଂପୃକ୍ତ ଅଂଚଳକୁ ସଂକ୍ରମଣ ମୁକ୍ତ କରିବା ପାଇଁ ବ୍ଲିଚିଂ ଓ କ୍ଲୋରିନ୍ ୱାସ କରାଯିବାର ବ୍ୟବସ୍ଥା ହୋଇଛି । ତେବେ ବର୍ତମାନ ସର୍ବାଧିକ ପଜିଟିଭ କେଶ୍ କୋଲକତା ଲିଙ୍କରୁ ହେଉଥିବାରୁ ଇତିମଧ୍ୟରେ କୋଲକତାରୁ ବିଗତ ଦିନ ମାନଙ୍କରେ ଆସିଥିବା ଯେକୌଣସି ବ୍ୟକ୍ତି ନିଜକୁ ନ ଲୁଚାଇ ନାମ ପଞ୍ଜିକରଣ କରାଇ ନେଇ କ୍ୱାରେନଟାଇନରେ ରହିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ସେହିପରି କେବଳ ସରକାରୀ ଲୋକ ନୁହଁନ୍ତି ; ଲୋକପ୍ରତିନିଧି, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା ଏକ୍ଷେତ୍ରରେ ଆଗେଇ ଆସି ତାଙ୍କ ଅଂଚଳରେ ବାହାରୁ ଆସୁଥିବା ଯେକୌଣସି ବ୍ୟକ୍ତିକୁ ନିଶ୍ଚିତ ପଞ୍ଜିକରଣ କରାଇବାକୁ ବାଧ୍ୟ କରିବାକୁ ବା ପ୍ରଶାସନକୁ ତୁରନ୍ତ ଅବଗତ କରାଇବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଯେହେତୁ ସରପଂଚ ମାନଙ୍କୁ ସରକାର ଜିଲ୍ଲାପାଳ କ୍ଷମତା ପ୍ରଦାନ କରି କରୋନା ମୁକାବିଲା ପାଇଁ ଦାୟିତ୍ୱ ନେଇଛନ୍ତି, ତେଣୁ ସମସ୍ତ ସରପଂଚ ମାନେ ସେମାନଙ୍କ ଅଂଚଳକୁ ଦୃଢ଼ ଭାବେ ସୁରକ୍ଷିତ ରଖିବାକୁ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି ।

ଅପରପକ୍ଷରେ ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ଦୟାକରି ସେମାନେ ନିଜ ତରଫରୁ ପଂଚାୟତ ବା ଚିକିତ୍ସାଳୟରେ ନାମ ପଞ୍ଜିକରଣ କରାଇ କ୍ୱାରେନଟାଇନରେ ରହିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଏହାଦ୍ୱାରା ସେମାନଙ୍କ ପରିବାର ସହ ବୃହତର ସମାଜକୁ ସେମାନେ ସୁରକ୍ଷା ଦେଇପାରିବେ । ଅନ୍ୟ ରାଜ୍ୟ ସହ ସଂଲଗ୍ନ ସୀମାକୁ ଅଧିକ ତତ୍ପରତା ସହ ସୁରକ୍ଷିତ ରଖିବାକୁ ପୋଲିସ ବାହିନୀକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଆରକ୍ଷୀ ଅଧିକ୍ଷକ ଏ କ୍ଷେତ୍ରରେ ଦୃଷ୍ଟି ଦେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି ।