‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ରାଜ୍ୟପାଳ

ଓଡିଶା ବଡ ଖବର

#ମୋ_ସରକାର_ଓ ୫-ଟି_କାର୍ଯ୍ୟକ୍ରମକୁ_ପ୍ରଶଂସା_କଲେ_ରାଜ୍ୟପାଳ  ଭୁବନେଶ୍ୱର : ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭାର ବଜେଟ୍ ଅଧିବେଶନର ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ନିଜର ସଫଳତାର ଲମ୍ବାଚଉଡ଼ା ହିସାବ ରଖିଛନ୍ତି। କିନ୍ତୁ ଗତବର୍ଷ ଜୁନ୍ ୨୫ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ମୁହଁରେ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ରଖିଥିଲେ ସେଥିରୁ ଅଧିକାଂଶ ଏବେବି ଅଧୁରା ହୋଇ ରହିଛି। ଓବିସି ଗଣନା ପାଇଁ କେନ୍ଦ୍ର ସରକାରଙ୍କୁ କ୍ୟାବିନେଟର ସୁପାରିସ ପ୍ରସଙ୍ଗ ହେଉ ଅବା ପୁଣି ସଂସଦ ଓ ବିଧାନସଭାରେ ମହିଳାଙ୍କୁ ଏକତୃତୀୟାଂଶ ସଂରକ୍ଷଣ ପ୍ରସ୍ତାବ ଏଥର ରାଜ୍ୟପାଳଙ୍କ ଅଭିଭାଷଣରୁ ଗାଏବ ରହିଛି।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ବିଧାନସଭାରେ ନିଜର ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ ଓ ଯୋଜନାକୁ ପ୍ରଶଂସା କରିଛନ୍ତି। ଏହାସହିତ ୨୦୨୦-୨୧ ବର୍ଷରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚିତ କରିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ, ପରାମର୍ଶଭିତ୍ତିକ ପ୍ରଶାସନ ହେଉଛି ବିକାଶ ଯାତ୍ରାର ମୂଳମନ୍ତ୍ର। ‘ଫାଇଭ-ଟି ଓ ମୋ ସରକାର’ ପରି ଅଭିନବ ଉପକ୍ରମ ଦୃଢ଼ ଇଚ୍ଛାଶକ୍ତି ସହ କାର୍ଯ୍ୟକାରୀ ହେଉଛି। ଗାନ୍ଧିଜୀଙ୍କ ଆଦର୍ଶ ଆଧାରିତ ଅନ୍ତ୍ୟୋଦୟ ନୀତି ପ୍ରତି ପ୍ରାଥମିକତା ଦେବା ସହ ଜନକେନ୍ଦ୍ରିକ ଯୋଜନାମାନ ପ୍ରଣୟନ ଓ ରୂପାୟନ କରିବା ଦିଗରେ ତାଙ୍କ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ। ବଜେଟର ବିଶ୍ୱସନୀୟତାର ସୁଧାର ଆଣିବାକୁ ଓ ବର୍ଷ ଶେଷରେ ପାଣ୍ଠି ଫେରସ୍ତ ହ୍ରାସ କରିବା ଦିଗରେ ଆନ୍ତର୍ଜାତିକ ସର୍ବୋତ୍ତ ବ୍ୟବସ୍ଥାକୁ ଭିତ୍ତିକରି ୨୦୨୦-୨୧ରେ ବାର୍ଷିକ ବଜେଟ୍ ପ୍ରସ୍ତୁତ ହୋଇଛି। ସରକାରୀ-ଘରୋଇ ଭାଗିଦାରୀକୁ ଗୁରୁତ୍ୱ ଦେଇ ନୂଆ ପିପିପି ନୀତି ଓ ଏକ ନୂଆ ନିର୍ଦ୍ଦେଶାଳୟ ସୃଷ୍ଟି ହୋଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୮ଲକ୍ଷ ୫୦ହଜାର ୮୧୬ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ୨୦୧୪-୧୫ରୁ ଗ୍ରାମାଞ୍ଚଳ ଗରିବଙ୍କ ।ଇଁ ୨୩ଲକ୍ଷରୁ ଅଧିକ ପକ୍କାଘର ନିର୍ମାଣ କରି ରାଜ୍ୟ ସରକାର ସମଗ୍ର ଦେଶରେ ଅଗ୍ରଣୀ।

୨୦୧୯ ଡିସେମ୍ବର ସୁଦ୍ଧା ବିଭିନ୍ନ ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ୪୦୭୨ କୋଟି ଟଙ୍କା ବ୍ୟୟରେ ୨ଲକ୍ଷ ଗୃହ ନିର୍ମାଣ କାର୍ଯ୍ୟ ହୋଇଛି। ୧୯ଲକ୍ଷ ପରିବାରକୁ କର୍ମନିଯୁକ୍ତି ଓ ଘର ପିଛା ହାରାହାରି ୩୬ଦିନର ଶ୍ରମଦିବସ ସୃଷ୍ଟି ହୋଇଛି। ରାଜ୍ୟରେ ୩୦ଟି କିଶୋରୀ ନ୍ୟାୟ ବୋର୍ଡ କରାଯାଇଛି । ୪୮ଲକ୍ଷ ୩୮ହଜାର ୫୪୮ଜଣଙ୍କୁ ସାମାଜିକ ସୁରକ୍ଷା ପେନସନ ଯୋଗାଇ ଦିଆଯାଇଛି । ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୪୧ଲକ୍ଷ ୮୪ହଜାର ୬୯୭ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ଓ ୫ଲକ୍ଷ ୨୫ହଜାର ୧୪୪ଜଣ ଛାତ୍ରଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ୨୦୦୨-୦୩ରେ ମୋଟ ଋଣ-ଘରୋଇ ଅନୁପାତ ୫୦.୭ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ଏହା ୧୬.୮ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୯ ଶେଷ ସୁଦ୍ଧା ନିର୍ମାଣ ଟିକସ ବାବଦରେ ୨୦୪୯.୩୮କୋଟି ଟଙ୍କା ମିଳିଛି। ବୋର୍ଡ ଅଧୀନରେ ୨୯.୧୯ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ପୁରୀ ଶ୍ରୀମନ୍ଦିରର ପାରିପାଶ୍ୱିର୍କ ବିକାଶ ପାଇଁ ୨୩୦୮କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଆଉ ୯୦୦କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଜାଗା ମିଶନରେ ୫୭,୫୫୦ଟି ପିରବାରକୁ ମୂଳବାସିନ୍ଦା ଭିତ୍ତିରେ ଜାଗା ଅଧିକାର ପ୍ରମାଣପତ୍ର ଦିଆଯାଇଛି। ରାଜ୍ୟରେ ୪.୨ଲକ୍ଷ ଏମଏସଏମଇ ଉଦ୍ୟୋଗ ଜରିଆରେ ୨୦ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ କରାଯାଇ ୧୬ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ରହିଥିବା ରାଜ୍ୟପାଳ କହିଛନ୍ତି।

କାଳିଆ ଯୋଜନାରେ ୫୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସହ ୨୫ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନାରେ ସହାୟତା ଯୋଗାଇ ଦିଆଯିବ । ଅତୀତରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇସାରିଥିବାରୁ ଜାତୀୟ ଏଜେଣ୍ଡା ଆଧାରିତ ଆଗୁଆ ବିକାଶମୂଳକ ପଦେକ୍ଷପ ଗ୍ରହଣ କରାଯାଉଛି ।
୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୧.୮୪ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । କେନାଲ ବ୍ୟବସ୍ଥା ପରିବର୍ତ୍ତେ ନୂତନ ଭାବେ ଭୂତଳ ପାଇପ ଲାଇନ୍ ବ୍ୟବସ୍ଥା ଥିବା ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି । ୨୦୨୦-୨୧ ମସିହାରେ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ଜରିଆରେ ୨୦୦ଟି କ୍ଷୁଦ୍ର ଜଳସେଚନ ଜଳଭଣ୍ଡାରର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯିବ ।
୨୦୨୦-୨୧ରେ ଅଧିକ ୨୫୦ ସେତୁ ଓ ୨୫୪୨କିମି ଗ୍ରାମ୍ୟ ସଡ଼କ ନିର୍ମାଣ କରିବା ସହ ୨୬୮ଟି ବିଭିନ୍ନ କୋଠାବାଡ଼ି ନିର୍ମାଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି ।

ସେହିପରି ୨୦୨୦-୨୧ ଶିକ୍ଷାବର୍ଷରୁ ଆଉ ୩୬ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ଏବେ ୨୯ଟି ଜିଲ୍ଲାରେ ୨୧୪ଟି ଆଦର୍ଶ ବିଦ୍ୟାଳୟରେ ୫୮ହଜାର ଜଣ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମିଡିୟମରେ ଶିକ୍ଷା ଦିଆଯାଉଛି ।୨୦୨୦-୨୧ରୁ ଆନ୍ତର୍ଜାତିକ ସର୍ବୋତ୍ତ ବ୍ୟବସ୍ଥାକୁ ଭିତ୍ତିକରି ଷ୍ଟ୍ରାଟେଜିକ୍ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ପ୍ରଚଳନ କରାଯାଉଛି। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ‘ଏକକ ସମାଧାନ କେନ୍ଦ୍ର’ ରୂପେ ପରିବର୍ତ୍ତିତ କରାଯିବ । ସେଠାରେ ବିନା ଅସୁବିଧାରେ ଋଣ,ସାର, ବିହନ, ଗୋଦାମଘର ସୁବିଧା, ଋଣ ସଂଯୋଗୀକରଣ, ବଜାର ସୁବିଧା ଆଦି ଗୋଟିଏ ଛାତ ତଳେ ମିଳିବ। ସେହିପରି ଭୁବନେଶ୍ୱରଠାରେ ଏକ ଆନ୍ତର୍ଜାତିକ ମାନର ଆକ୍ୱାଟିକ୍ ସ୍ପୋର୍ଟସ କମ୍ପେ୍ଲକ୍ସ, ବ୍ରହ୍ମପୁର-ସମ୍ବଲପୁର-କଟକ ଓ ରାଉରକେଲାରେ ସାଟେଲାଇଟ୍ ଷ୍ଟାଡ଼ିୟମ ନିର୍ମାଣ ଆଦି କାର୍ଯ୍ୟ କରାଯିବ ।