ମେ’ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ତ୍ବପୂର୍ଣ୍ଣ

ମେ’ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ତ୍ବପୂର୍ଣ୍ଣ

ଓଡିଶା ବଡ ଖବର

#ମେ’_ମାସ_ଆମ_ସମସ୍ତଙ୍କ_ପାଇଁ_ଗୁରୁତ୍ତ୍ବପୂର୍ଣ୍ଣ                   ଭୁବନେଶ୍ୱର :  ମେ’ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ତ୍ବପୂର୍ଣ୍ଣ । କରୋନା ମୁକାବିଲା କ୍ଷେତ୍ରରେ  ଏହି  ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ  ସମସ୍ତ ରାଜ୍ୟବାସୀଙ୍କ ସଂପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ ଦରକାର। ଆଉ ଏଥିରେ ଯଦି କୌଣସି ପ୍ରକାରର ବ୍ୟତିକ୍ରମ ହୁଏ ତେବେ, ପରବର୍ତ୍ତୀ ପରିସ୍ଥିତି ଯେ କିଭଳି ସାଂଘାତିକ ହେବ, ତାହା କଳ୍ପନାର ବାହାରେ।   ଶତ୍ରୁ ଏବେ ଆସି ଆମ ଦୁଆର ମୁହଁରେ। ଏପରିସ୍ଥିତିରେ ରାଜ୍ୟବାସୀ ବିଚଳିତ ନହୋଇ ବିଚକ୍ଷଣ ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ  କହିଛନ୍ତି, ଶତ୍ରୁ ବିରୋଧରେ ଯେ କୌଣସି ପ୍ରକାରର ଯୁଦ୍ଧକୁ ଚାରିଟି ପର୍ଯ୍ୟାୟ ଦେଇ ଲଢ଼ା ଯାଇଥାଏ। ପ୍ରଥମ ପର୍ଯ୍ୟାୟ ହେଲା ପ୍ରସ୍ତୁତି। ଦ୍ୱିତୀୟ ରେ ପ୍ରାକ୍‌ ଲଢ଼େଇ। ତୃତୀୟରେ ଘମାଘୋଟ ଲଢ଼େଇ ଓ ଚତୁର୍ଥ ପର୍ଯ୍ୟାୟରେ ଯୁଦ୍ଧ ସମାପ୍ତି ଓ ସ୍ଥିରତା। ଆମେ କରୋନା ବିରୋଧରେ ଆରମ୍ଭ କରିଥିବା ଲଢ଼େଇରେ ମାର୍ଚ୍ଚ ମାସରେ ପ୍ରସ୍ତୁତି ପର୍ଯ୍ୟାୟରେ ଶତ୍ରୁ ବାବଦରେ ତଥ୍ୟ ସଂଗ୍ରହ ସହ, ଯୁଦ୍ଧ ପରିଚାଳନା ପାଇଁ ନକ୍ସା ପ୍ରସ୍ତୁତି, ଆବଶ୍ୟକୀୟ ସମଗ୍ରୀ (ପରୀକ୍ଷାଗାର, କୋଭିଡ୍‌-୧୯ ହସ୍ପିଟାଲ) ଯୋଗାଡ଼ କରି ଜନବଳ (ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର)ଙ୍କୁ ସଶକ୍ତ କଲୁ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଅପ୍ରେଲ ମାସରେ ବିଦେଶ ଫେରନ୍ତାମାନେ ଯେତେବେଳେ କରୋନା ନାମକ ଶତ୍ରୁକୁ ରାଜ୍ୟକୁ ଆଣିଲେ ସେତେବେଳେ ପ୍ରାକ୍‌ ଲଢ଼େଇ ଲଢ଼ିବା ଆରମ୍ଭ କଲୁ। ଏଥିରେ ସ୍ଥିତିକୁ ନିୟନ୍ତ୍ରଣରେ ରଖିଥିବା ବେଳେ ନିଜାମୁଦ୍ଦିନ୍‌ ଫେରନ୍ତା ଓ ପଶ୍ଚିମବଙ୍ଗ ଫେରନ୍ତା ଆମ ପାଇଁ କିଛିଟା ସମସ୍ୟା ସୃଷ୍ଟି କରିଥିଲେ। ତଥାପି, ସମୟୋଚିତ ପଦକ୍ଷେପ ନେଇ ସ୍ଥିତିକୁ ସମ୍ଭାଳି ନେଲୁ।

ଆଗକୁ ଘମାଘୋଟ ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ପଡ଼ୋଶୀ ରାଜ୍ୟମାନଙ୍କରେ ଲକ୍‌ଡାଉନ ପାଇଁ ଅଟକ ରହି ଯାଇଥିବା ପ୍ରବାସୀମାନେ ଯେତେବେଳେ ଆମ ରାଜ୍ୟକୁ ଫେରିବେ, ସେତେବେଳେ ଆମ ପାଇଁ ଆରମ୍ଭ ହୋଇଯିବ ଅସଲ ପରୀକ୍ଷା। କାରଣ, ଆମ ରାଜ୍ୟକୁ ଫେରିବାକୁ ଥିବା ସଂଖ୍ୟାଧିକ ପ୍ରବାସୀ ଦେଶର ଅଧିକ ମାତ୍ରାରେ କରୋନା ସଂକ୍ରମିତ ରାଜ୍ୟମାନଙ୍କରୁ ହିଁ ଆମ ରାଜ୍ୟକୁ ଫେରିବେ। ଏକଥା ଆମ ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ। ନଚେତ, କରୋନା ରୂପୀ ଅଦୃଶ୍ୟ ଶତ୍ରୁ ଆସି ଦୁଆର ମୁହଁ ଅତିକ୍ରମ କରି ପହଞ୍ଚି ଯିବ ଆମ ଘର ଭିତରେ। ତେବେ, ଏଥିପାଇଁ ରାଜ୍ୟବାସୀ ଆତଙ୍କିତ ହେବାର କୌଣସି କାରଣ ନାହିଁ। ରାଜ୍ୟ ସରକାର ଏଥିପାଇଁ ସଂପୂର୍ଣ୍ଣ ସଚେତନ, ସଜାଗ ଓ ବ୍ୟାପକ ଭାବେ ପ୍ରସ୍ତୁତ ହୋଇ ରହିଛନ୍ତି। ଏଥିପାଇଁ ରାଜ୍ୟବାସୀ ବିଚଳିତ ନହୋଇ ବିଚକ୍ଷଣ ହେବାର ଆବଶ୍ୟକତା ରହିଛି। ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ସମର୍ଥନ ଦେବା ସହ ଏଦିଗରେ ରାଜ୍ୟ ସରକାରଙ୍କୁ ସହଯୋଗ କଲେ ନିର୍ଣ୍ଣାୟକ ଲଢ଼େଇରେ ନିଶ୍ଚିତ ବିଜୟ ହାସଲ କରିବା ସହ ରାଜ୍ୟ ଓ ରାଜ୍ୟବାସୀ ଇତିହାସ ରଚିବେ ବୋଲି ଶ୍ରୀ ବାଗଚୀ ପ୍ରକାଶ କରିଥୁଲେ।