ମୁରାନ ଡ୍ୟାମ ଉ‌ପରେ ପୋଲ ନିର୍ମାଣ ପାଇଁ ବିଧାୟକଙ୍କ ଦାବି

ଓଡିଶା କୋରାପୁଟ ଜିଲ୍ଲା ବଡ ଖବର ରାଜ୍ୟ

କୋରାପୁଟ : (ନିରଜ ଶତପଥୀ ) ଦଶମନ୍ତପୁର ବ୍ଲକର ଗିର୍ଲିଗୁମ୍ମାରୁ ଦୁଆରଶୁଣି ପଞ୍ଚାୟତକୁ ସଂ‌ଯୋଗ କରିବା ପାଇଁ ମୁରାନ ଡ୍ୟାମ ଉପରେ ଏକ ଉଚ୍ଚ ସ୍ତରୀୟ ପୋଲ ନିର୍ମାଣ ପାଇଁ ଦାବି ଦୋହରାଇଛନ୍ତି ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନୀ। ଏଥିନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ନିଜ ନିର୍ବାଚନମଣ୍ଡଳୀର ୩ଟି ପ୍ରମୁଖ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ମାଗିଥିଲାବେଳେ ବିଧାୟକ ଏହାକୁ ଗୁରୁତ୍ବ ଦେଇଛନ୍ତି।

ଏହା ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀକୁ ବୋରିଗୁମ୍ମା, ଜୟପୁର, ନବରଙ୍ଗପୁର ଓ ଜଗଦଲପୁର ସହ‌ ଯୋଡିବାରେ ସହାୟକ ହୋଇ ପାରିବ। ଏହି ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଆଗରୁ ଘୋଷଣା କରିଥିଲାବେଳେ ତୁରନ୍ତ ଏଥିନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ବିଧାୟକ ଅନୁରୋଧ କରିଛନ୍ତି। ସେହିପରି ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକ ଅଂଚଳର ବିକାଶ ପାଇଁ ଝଂଝାବତୀ ନଦୀରେ ଚିନ୍ତାଗୁଡା‌ ନିକଟରେ ଡ୍ୟାମ ନିର୍ମାଣ ପାଇଁ ବିଧାୟକ ଦାବି କରିଛନ୍ତି। ଏହି ଡ୍ୟାମ ନିର୍ମାଣ ହେଲେ ଜଳସେଚନ ସହ ଏହି ଦୁଇ ବ୍ଲକରୁ ଜଳ ସଙ୍କଟ ଦୂର କରିବାରେ ସୁବିଧା ହେବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।

ଅପରପକ୍ଷରେ ଇନ୍ଦ୍ରାବତୀରୁ ଜଳ ଆଣି ମେଗା ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଳକକୁ ପାନୀୟ ଜଳ ଯୋଗାଇ ଦେବାକୁ ବିଧାୟକ ଅନୁରୋଧ କରିଛନ୍ତି। ଏହି ୩ ପ୍ରକଳ୍ପକୁ ବିଚାର କରି ତୁରନ୍ତ ଏହା ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ବିଧାୟକ।