ମାନବିକତା ଦେଖାଇଲେ ନବରଙ୍ଗପୁର ସାଂସଦ

ମାନବିକତା ଦେଖାଇଲେ ନବରଙ୍ଗପୁର ସାଂସଦ

ଓଡିଶା ଜିଲ୍ଲା ନବରଙ୍ଗପୁର ବଡ ଖବର

#ମାନବିକତା_ଦେଖାଇଲେ_ନବରଙ୍ଗପୁର_ସାଂସଦ   ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା ଛକ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଉକ୍ତ ବାଇକ୍‌ରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଉକ୍ତ ରାସ୍ତା ଦେଇ ଯାଉଥିବା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାନବିକତା ଦେଖାଇ ଗୁରୁତର ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁୁଲାନ୍‌ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଗୁରୁତର ଆହତମାନେ ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ମେଣ୍ଡରା ଗ୍ରାମର ତୁଳାରାମ ସାନ୍ତା (୩୦) ଓ ମକର ସାନ୍ତା (୩୫)। ଡାବୁଗାଁ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିବା ସହ ଏ ନେଇ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ମେଣ୍ଡରା ଗ୍ରାମର ତୁଳା ରାମ ସାନ୍ତା ଓ ମକର ସାନ୍ତା ଆଜି ଅପରାହ୍ନ ୪ଟାରେ ଉମରକୋଟରୁ ତାଙ୍କ ନିଜ ଗ୍ରାମ ମେଣ୍ଡରାକୁ ଆସୁଥିବା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା ଛକରେ ଏକ କଲ୍‌ଭର୍ଟରେ ତାଙ୍କ ବାଇକ୍‌ ଭାରସାମ୍ୟ ହରାଇ ପିଟି ହୋଇଥିଲା। ଏଥିରେ ତୁଳାରାମ ଓ ମକର ବାଇକ୍‌ରୁ ଛିଟିକି ପଡ଼ିଥିଲେ। ଗୁରୁତର ଦୁଇ ଜଣଙ୍କୁ ଦେଖଣାହାରିମାନେ ମୋବାଇଲରେ ଫୋଟ ଉତ୍ତୋଳନ କରୁଥିବା ବେଳେ ଡାବୁଗାଁରୁ ଉମରକୋଟକୁ ଯାଉଥିବା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସେଠାରେ ଗାଡିରୁ ଓହ୍ଲାଇ ଫୋଟ ଉତ୍ତୋଳନ ନକରି ଡାକ୍ତରଖାନା ପଠାଇବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକଙ୍କୁ କହିଥିଲେ।

ଏହା ପରେ ନିଜେ ୧୦୮ ଆମ୍ବୁଲାନ୍ସ ଡକାଇ ଗୁରୁତର ଦୁଇଜଣଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ତେବେ ଦୁଇଜଣଙ୍କ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ସାଂସଦ ରମେଶ ଚନ୍ଦ୍ର ମାଝୀ ମାନବିକତା ଦେଖାଇଥିବାରୁ ସାଧାରଣରେ ଉଚ୍ଚ ପ୍ରଶଂସାର ପାତ୍ର ହୋଇଛନ୍ତି।